ବାଲିପାଟଣାରେ ବନମାଳୀପୁରରେ ବାଣ ବିସ୍ଫୋରଣରେ ଦମ୍ପତିଙ୍କ ମୃତ୍ୟୁ ଘଟଣା ; ଆଜି ଘଟଣାସ୍ଥଳକୁ ଯିବ ଓଡ୍ରାଫର ୧୫ଜଣିଆ ଟିମ୍

Published By : Prameya-News7 Bureau | November 02, 2018 IST

ବାଲିପାଟଣା ୨|୧୧:  ବାଲିପାଟଣାରେ ବାଣ ବିସ୍ଫୋରଣରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିଲା । ମୃତଦେହ ଉଦ୍ଧାର ପାଇଁ ଆଜି ଭୁବନେଶ୍ବରରୁ ଯିବ ଓଡ୍ରାଫର ୧୫ ଜଣିଆ ଟିମ୍ । ଗତକାଲି ସ୍ତ୍ରୀ ଝୁନୁ ମିଶ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ଅଧାରେ ରହିଥିଲା । ସ୍ବାମୀ ଜ୍ଞାନ ରଞ୍ଜନ ମିଶ୍ରଙ୍କ ମୃତଦେହ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇପାରିନାହିଁ । ଆଜି ତାଙ୍କ ମୃତଦେହ ଉଦ୍ଧାର କରିବା ସହ ବାରୁଦ ନମୁନା ସଂଗ୍ରହ କରିବ ଟିମ୍ । ଗତ ୬୦ ବର୍ଷ ହେଲା ସେମାନେ ବାଣ ବ୍ୟବସାୟ କରୁଥିଲେ । ୨୦ ବର୍ଷ ତଳେ ବିସ୍ଫୋରଣରେ ତାଙ୍କର ଜଣେ ଭାଇଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ମିଶି ୩ ଥର ଏଠାରେ ବିସ୍ଫୋରଣ ହୋଇଛି । ଗତକାଲି ବାଲିପାଟଣା ବନମାଳୀପୁର ନୂଆସାହିରେ ଘରେ ବାଣ ଭିଡୁଥିବାବେଳେ ବିସ୍ଫୋରଣ  ହୋଇଥିଲା । ବିସ୍ଫୋରଣରେ ବାଣ ଭିଡୁଥିବା ଜ୍ଞାନରଞ୍ଜନ ମିଶ୍ରଙ୍କ ଛାତ ଘରର କାନ୍ଥ ଭୁଶୁଡିପଡିଛି । ଏଥିସହ ଜ୍ଞାନରଞ୍ଜନ ମିଶ୍ର ଓ ତାଙ୍କ ପତ୍ନୀ ଝୁନୁ ମିଶ୍ରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ, ଜ୍ଞାନରଞ୍ଜନ ମିଶ୍ର ଓ ତାଙ୍କ ପତ୍ନୀଙ୍କ ଅଙ୍ଗ ପ୍ରତ୍ୟଙ୍ଗ ଖିନଭିନ ହୋଇ ଚାରି ଆଡକୁ ଛିଟିକି ପଡିଥିଲା । ଆଗକୁ ଦୀପାବଳୀ ଥିବାରୁ ମୃତ ଜ୍ଞାନରଞ୍ଜନ ଘରେ ବ୍ୟାପକ ପରିମାଣର ବାରୁଦ ରଖିଥିଲେ ଏବଂ ନିଜେ ବାଣ ଭିଡୁଥିଲେ । କେଉଁ କାରଣ ଯୋଗୁଁ ବିସ୍ଫୋରଣ ହେଲା ତାହା ଜଣାପଡିନାହିଁ । ସମଗ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ବାଣ ବିସ୍ଫୋରଣ ଜନିତ ଦୁର୍ଘଟଣା ଖବର ପହଞ୍ଚୁଛି । ଘରେ ବାଣ ତିଆରି କରିବା ନେଇ ସରକାରଙ୍କ କଟକଣା ରହିଥିଲେ ମଧ୍ୟ ତାକୁ କଡାକଡି ଭାବେ ନିୟନ୍ତ୍ରଣ ଓ ଯାଞ୍ଚ କରାଯାଉନଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଛି । ନିକଟରେ ରାଉରକେଲାଠାରେ ମଧ୍ୟ ସମାନ ଦୁର୍ଘଟଣା ଘଟି ଗୋଟିଏ ପରିବାରର ୩ଜଣଙ୍କର ଜୀବନ ଯାଇଥିଲା । ବାଣ ତିଆରି, ବିକ୍ରି ଓ ଫୁଟାଇବା ଉପରେ ଚଳିତ ବର୍ଷ ସୁପ୍ରିମକୋର୍ଟ କଟକଣା ଲଗାଇଛନ୍ତି । ତଥାପି ତାର କୌଣସି ପ୍ରଭାବ ଦେଖିବାକୁ ମିଳୁନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.