ରାଜ୍ୟସଭାରେ ସିପିଆଇ(ଏମ) ସାଂସଦ ଉପସ୍ଥାପନ କଲେ ରାଷ୍ଟ୍ରୀୟ ନ୍ୟାୟିକ ଆୟୋଗ ବିଧେୟକ, ବିରୋଧରେ କଲେଜିୟମ ସିଷ୍ଟମକୁ ସମର୍ଥନ କଲା ‘ଆପ’
10/12/2022 at 6:10 PM

ନୂଆଦିଲ୍ଲୀ ୧୦।୧୨: ସଂସଦର ଶୀତକାଳୀନ ଅଧିବେଶନରେ ଶନିବାର ସିପିଆଇ(ଏମ) ସାଂସଦ ବିକାଶ ରଞ୍ଜନ ଭଟ୍ଟାଚାର୍ଯ୍ୟ ରାଜ୍ୟସଭାରେ ଉଚ୍ଚ ନ୍ୟାୟିକ ସେବା (ସୁପ୍ରିମକୋର୍ଟ ଓ ହାଇକୋର୍ଟ)ରେ ବିଚାରପତିମାନଙ୍କ ନିଯୁକ୍ତିକୁ ନେଇ ପ୍ରାଇଭେଟ ମେମ୍ବର ବିଲ ଆକାରରେ ରାଷ୍ଟ୍ରୀୟ ନ୍ୟାୟିକ ଆୟୋଗ ବିଧେୟକ ଉପସ୍ଥାପନା କରିଛନ୍ତି। ଏହି ବିଧେୟକକୁ ସରକାରଙ୍କ ପକ୍ଷରୁ ସଦନରେ ଉପସ୍ଥାପନ କରାଯାଇ ନାହିଁ। ତେବେ ଆମ ଆଦମୀ ପାର୍ଟି (ଆପ) ସାଂସଦ ରାଘବ ଚଡ୍ଡା ପ୍ରଚଳିତ କଲେଜିୟମ ବ୍ୟବସ୍ଥାକୁ ସମର୍ଥନ କରି ବିଧେୟକକୁ ଗୃହରେ ବିରୋଧ କରିଛନ୍ତି।
ଆପ ସାଂସଦ ରାଘବ ଚଡ୍ଡା ରାଜ୍ୟସଭାରେ ସିପିଆଇ(ଏମ) ସାଂସଦ ବିକାଶ ରଞ୍ଜନ ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା ଉପସ୍ଥାପିତ ବିଧେୟକକୁ ବିରୋଧ କରି କହିଛନ୍ତି ଯେ ରାଷ୍ଟ୍ରୀୟ ନ୍ୟାୟିକ ଆୟୋଗ ବିଧେୟକ ୧୯୯୩, ୧୯୯୮ ଓ ୨୦୧୬ରେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି। ଏହି ୩ ଥର ଜାକ ସୁପ୍ରିମକୋର୍ଟ ନ୍ୟାୟପାଳିକାଙ୍କ ସ୍ୱାଧୀନତାର ବାହାନା କରି ବିଧେୟକକୁ ଖାରଜ କରିଦେଇଛନ୍ତି। ଏଣୁ ସାମ୍ବିଧାନିକ ରୂପେ ଆମେ ଉଚ୍ଚିତ କାମ ଲାଗି ଉଦ୍ୟମ କରୁ ନଥିବା ସାଂସଦ ଚଡ୍ଡା କହିଛନ୍ତି। ସେ କହିଛନ୍ତି ଯେ ଜଜମାନଙ୍କ ନିଯୁକ୍ତି ଲାଗି ପ୍ରଚଳିତ ବ୍ୟବସ୍ଥା (କଲେଜିୟମ) ଠିକ୍ ରୂପେ କାମ କରୁଛନ୍ତି। ଏଥିଲାଗି ମୁଁ ଏହି ବିଧେୟକକୁ ବିରୋଧ କରିବା ନିମନ୍ତେ ଛିଡା ହୋଇଛି।
ଅପରପକ୍ଷେ ସାଂସଦ ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା ଗୃହରେ ଉପସ୍ଥାପିତ ରାଷ୍ଟ୍ରୀୟ ନ୍ୟାୟିକ ଆୟୋଗ ବିଧେୟକ ୨୦୨୨କୁ ଉପସ୍ଥାପନ କରିବା ଲାଗି ଶାସକ ବିଜେପି ସମେତ ଅନ୍ୟ ବିରୋଧୀ ଦଳମାନେ ଧ୍ୱନୀମତରେ ସ୍ୱାଗତ କରିଛନ୍ତି। ସାଂସଦ ଭଟ୍ଟାଚାର୍ଯ୍ୟ ବିଧେୟକକୁ ଉପସ୍ଥାପନ କରି କହିଛନ୍ତି ଯେ ଏହାର ଉଦ୍ଦେଶ୍ୟ ରାଷ୍ଟ୍ରୀୟ ନ୍ୟାୟିକ ଆୟୋଗ ଦ୍ୱାରା ଭାରତର ମୁଖ୍ୟ ନ୍ୟାୟାଧୀଶ ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅନ୍ୟ ନ୍ୟାୟାଧୀଶମାନଙ୍କ ସହିତ ଉଚ୍ଚ ନ୍ୟାୟାଳୟମାନଙ୍କର ମୁଖ୍ୟ ନ୍ୟାୟାଧୀଶ ଓ ଅନ୍ୟ ନ୍ୟାୟାଧୀଶଙ୍କ ଚୟନ ପ୍ରକ୍ରିୟା ଓ ସେମାନଙ୍କ ନିଯୁକ୍ତିକୁ ଅଧିକ ପାରଦର୍ଶୀ କରାଯାଇପାରିବ।
ସେ କହିଛନ୍ତି ଯେ ଯଦି ଏହି ବିଧେୟକ ସଂସଦରେ ଗୃହୀତ ହୋଇଯାଏ ତେବେ ଜଜ୍ ମାନଙ୍କ ନିଯୁକ୍ତି ସହିତ ସେମାନଙ୍କ ବଦଳିକୁ ମଧ୍ୟ ନ୍ୟାୟିକ ମାନକ ଆଧାରରେ ନିର୍ଦ୍ଧାରିତ କରାଯାଇ ପାରିବ। ଏହା ଛଡା ବିଚାରପତିମାନଙ୍କର ଉତ୍ତର ଦାୟିତ୍ୱ ମଧ୍ୟ ବଢିବ ଓ ବିଶ୍ୱସନୀୟ ତନ୍ତ୍ର ସ୍ଥାପିତ ହୋଇପାରିବ। ଏହି ବିଧେୟକ ଆଇନର ରୂପ ଧାରଣ କଲେ କୋର୍ଟମାନଙ୍କରେ ଜଜ୍ଙ୍କ ନିଷ୍ପକ୍ଷ ଓ ପାରଦର୍ଶୀ ନିଯୁକ୍ତି ଲାଗି ବେଶ ଉପାଦେୟ ସାବ୍ୟସ୍ତ ହେବ। ତେବେ ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଡ୍ଡା ଆମେ କୌଣସି ନୂଆ ପ୍ରକ୍ରିୟା ଆପଣାଇବା ପୂର୍ବରୁ କଲେଜିୟମ ସିଷ୍ଟମରେ ସଂଶୋଧନର ସମ୍ଭାବନା ଖୋଜିବା ଉଚିତ ହେବ ବୋଲି କହିଛନ୍ତି। ଏହା ଛଡା ଆମେ କେନ୍ଦ୍ର ସରକାରଙ୍କୁ ଏପରି କୌଣସି ହତିୟାର ଦେବାର ଆବଶ୍ୟକତା ନାହିଁ ଯେଉଁଥିରେ ଶାସକ ଦଳ ଜଜ୍ ମାନଙ୍କ ନିଯୁକ୍ତିରେ କୌଣସି ପ୍ରକାର ଦଖଲ ଦେଇପାରିବେ ବୋଲି ସେ କହିଛନ୍ତି।