‘ପିଇଲେ ମରିବ’ବୟାନକୁ ନେଇ ବିହାର ମହାମେଣ୍ଟରେ ଝଡ଼, ସରକାରରେ ସହଯୋଗୀ CPI(M) ଉଠାଇଲା ଏହି ଦାବି
17/12/2022 at 5:59 PM

ପାଟନା ୧୭।୧୨: ବିଷାକ୍ତ ମଦ ମୃତ୍ୟୁକୁ ନେଇ ବିହାର ରାଜନୀତି ଏବେ ଉଷ୍ମ। ପକ୍ଷ ଓ ବିପକ୍ଷ ଲଗାତାର ବୟାନବାଜୀ କରୁଛନ୍ତି ଓ ଜଣେ ଅନ୍ୟ ଜଣକ ଉପରେ ଦୋଷାରୋପଣ କରୁଛନ୍ତି। ଏପର୍ଯ୍ୟନ୍ତ ବିରୋଧୀ ଦଳ ସରକାରଙ୍କ ଉପରେ ଆକ୍ରମକ ଥିଲେ। ହେଲେ ଏବେ ଶାସନରେ ସହଯୋଗୀ ମଧ୍ୟ ସରକାରଙ୍କ ନୀତି ବିରୋଧରେ ମୁହଁ ଖୋଲିବାକୁ ଲାଗିଲେଣି। ଏହିକ୍ରମରେ ସରକାରରେ ସହଯୋଗୀ ସିପିଆଇ(ଏମ) ମୁଖ୍ୟମନ୍ତ୍ରୀଙ୍କ ବୟନ ‘ଯିଏ ପିଇବ ସିଏ ମରିବ’ ନକରାତ୍ମକ ବୋଲି କହିଛି। ଏଣୁ ମୁଖ୍ୟମନ୍ତ୍ରୀ ତାଙ୍କ ବୟାନ ପ୍ରତ୍ୟାହାର କରନ୍ତୁ ବୋଲି ଶନିବାର ଦାବି କରିଛି।
ସିପିଆଇ(ଏମ) ବିଧାୟକ ମହବୁବ ଆଲମ ଏ ନେଇ ଶନିବାର ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଉପରୋକ୍ତ ବୟାନକୁ ବିଜେପି ବିରୋଧ ପ୍ରତିକ୍ରିୟାରେ ମୁହଁରୁ ବାହାରିଥିବା ବୟାନ ବୋଲି କହିଛନ୍ତି। ହେଲେ ମଦ ବନ୍ଦ ସତ୍ତ୍ୱେ ମଦ ପିଇ ଯେଉଁମାନେ ମରିଗଲେ ସେମାନଙ୍କ ସ୍ତ୍ରୀ ଓ ପିଲାଙ୍କର ଏଥିରେ ଦୋଷ କଣ ବୋଲି ସେ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିତିଶ କୁମାର ନିଜେ ମହିଳା ଓ କନ୍ୟାସନ୍ତାନଙ୍କ ଲାଗି ରାଜ୍ୟରେ ଲଗାତାର କାମ କରୁଛନ୍ତି। ଏଣୁ ଏହି ଘଟଣାରେ ଯେଉଁମାନେ ମରିଗଲେ ସେମାନଙ୍କ ପିଲା ଓ ପରିବାରଙ୍କ ଲାଗି ମୁଖ୍ୟମନ୍ତ୍ରୀ ନିଶ୍ଚିତ କିଛି କରିବେ ବୋଲି ଆଲମ ଆଶାବ୍ୟକ୍ତ କରିଛନ୍ତି।

ସିପିଆଇ(ଏମ) ବିଧାୟକ କହିଛନ୍ତି ଯେ ଆମମାନଙ୍କର ଏକ ଦଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ମୃତକଙ୍କ ପରିବାର ନିମନ୍ତେ କ୍ଷତିପୂରଣ ଦାବି କରିବୁ। ତେବେ ରାଜ୍ୟରେ ମାମଲାକୁ ବିଜେପି ରାଜନୈତିକ ରଙ୍ଗ ଦେଉଥିବା ଓ ମିଥ୍ୟାର ରାଜନୀତି କରୁଥିବା ଆଲମ କହିଛନ୍ତି। ସେ କହିଛନ୍ତି ଯେ ବିଜେପିର ଏମିତି ଅନେକ ନେତା ଅଛନ୍ତି ଯେଉଁମାନଙ୍କ ବିରୋଧରେ ମଦ ମାମଲା ରହିଛି। ତେବେ ବିଜେପି ସେ ସବୁ ମାମଲାକୁ ଭୁଲି ସରକାରଙ୍କ ବିରୋଧରେ ମିଥ୍ୟାଆରୋପ ଲଗାଉଥିବା ଆଲମ ଅଭିଯୋଗ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଛପ୍ରା ବିଷାକ୍ତ ମଦ ମୃତ୍ୟୁ ମାମଲାରେ ଏପର୍ଯ୍ୟନ୍ତ ୭୩ ଜଣଙ୍କ ପ୍ରାଣହାନୀ ହେଲାଣି। ଏଥିରେ ଶିବାନରେ ମଧ୍ୟ ୫ ଜଣ ପ୍ରାଣ ହରାଇଥିବା ବେଳେ ବେଗୁସରାଇରେ ଜଣକର ମୃତ୍ୟୁ ହୋଇଛି। ହେଲେ ନିତିଶ ସରକାର ଏପର୍ଯ୍ୟନ୍ତ ମଦ ପିଇ ପ୍ରାଣ ହରାଇଥିବା ଲୋକଙ୍କ ପରିଜନଙ୍କୁ କୌଣସି କ୍ଷତିପୂରଣ ନଦେବା ଜିଦ୍ରେ ଅଡି ରହିଛନ୍ତି। ତେବେ ସରକାରରେ ସହଯୋଗୀ ଏ ନେଇ ନିତିଶଙ୍କୁ ଭେଟିବା ପରେ ସରକାର କେଉଁ ନିଷ୍ପତ୍ତି ନେଉଛନ୍ତି ଏବେ ତା ଉପରେ ସମସ୍ତଙ୍କର ନଜର।