କୋଭାକ୍ସିନ ପ୍ରସ୍ତୁତିରେ ବ୍ୟବହାର ହୋଇଛି ବାଛୁରୀର ରକ୍ତ ? କଂଗ୍ରେସର ଦାବି ଉପରେ ସଫେଇ ଦେଲା ଭାରତ ବାୟୋଟେକ୍, ଜବାବ ରଖିଲା ମନ୍ତ୍ରଣାଳୟ

Published By : Prameya-News7 Bureau | June 16, 2021 IST

ନୂଆଦିଲ୍ଲୀ/ହାଇଦ୍ରାବାଦ ୧୬।୦୬: କରୋନା ଭାଇରସ୍‌କୁ ମାତ୍ ଦେବା ପାଇଁ ଦେଶରେ ଟିକାକରଣ ଅଭିଯାନ ଜୋରଦାର ଚାଲିଛି। କିନ୍ତୁ ଭ୍ୟାକ୍ସିନକୁ ନେଇ ଦେଶରେ ରାଜନୀତି ମଧ୍ୟ ଚାଲିଛି। କେତେ ବେଳେ ଟିକା ଅଭାବକୁ ନେଇ ତ ଆଉ କେତେବେଳେ ସାର୍ଟିଫିକେଟ୍‌ରେ ଫଟୋକୁ ନେଇ ରାଜନୀତି ଜୋର ଧରିଛି। ଏବେ ଭାରତୀୟ  ବାୟୋଟେକର କୋଭାକ୍ସିନକୁ ନେଇ କଂଗ୍ରେସ ନେତା ଗୌରବ ପାନ୍ଧୀଙ୍କ ଦ୍ଵାରା ଏକ ଅଜବ ଦାବି ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଚକିତ କରିଛି। ଏହାକୁ ନେଇ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଜବାବ ରଖିଥିବା ବେଳେ ଭାରତ ବାୟୋଟେକ୍‌କୁ ସଫେଇ ଦେବାକୁ ପଡିଛି।

ଗୌରବ ଦାବି କରିଛନ୍ତି ଯେ, କୋଭାକ୍ସିନର ପ୍ରସ୍ତୁତ ପାଇଁ ଗୋ ବାଛୁରୀର ରକ୍ତ ବ୍ୟବହାର କରାଯାଇଛି। ସେ ଏହି ଦାବି ଆରଟିଆଇରୁ ମିଳିଥିବା ଏକ ଜବାବ ଆଧାରରେ କରିଛନ୍ତି। ତାଙ୍କର ଏହି ଅଜବ ବୟାନ ପରେ କୋଭାକ୍ସିନକୁ ନେଇ ବିତର୍କ ଆରମ୍ଭ ହୋଇ ଯାଇଛି। ଭାରତ ବାୟୋଟେକକୁ ମଧ୍ୟ ସଫେଇ ଦେବାକୁ ପଡିଛି।

କଂଗ୍ରେସର ଗୌରବ ପାନ୍ଧୀଙ୍କ ଅନୁଯାୟୀ, ୨୦ ଦିନରୁ କମ ବୟସର ବାଛୁରୀଙ୍କ ସିରମର ବ୍ୟବହାର କୋଭାକ୍ସିନ ପ୍ରସ୍ତୁତିରେ କରାଯାଇଛି। ଯଦି ଏମିତି ତେବେ ସରକାରଙ୍କ ଦ୍ଵାରା ଏହି ବିଷୟରେ ସୂଚନା ଦିଆଗଲା ନାହିଁ କାହିଁକି ? ଯଦି ଏହାକୁ ସାର୍ବଜନୀନ କରାଯାଇଥାନ୍ତା ତେବେ ଧାର୍ମିକ ଭାବନାକୁ ଆଘାତ ଲାଗିଥାନ୍ତା ବୋଲି ସେ କହିଛନ୍ତି।

ଗୌରବ ଟ୍ଵିଟ୍ କରିଛନ୍ତି, ଆରଟିଆଇ ଜବାବରେ ମୋଦୀ ସରକାର ମାନିଛନ୍ତି ଯେ, କୋଭାକ୍ସିନରେ ବାଛୁରୀର ରକ୍ତ ବ୍ୟବହାର ହୋଇଛି। ଏଥିରେ ୨୦ ଦିନ ବୟସର ବାଛୁରୀଙ୍କୁ ମାରି ଏହାର ରକ୍ତ ବ୍ୟବହାର  କରାଯାଉଛି। ଏହା ଏକ ଜଘନ୍ୟ ଅପରାଧ। ଆରମ୍ଭରୁ ହିଁ ଏହି ସୂଚନା ସାମ୍ନାକୁ ଆସିବା ଉଚିତ୍ ବୋଲି ସେ ଲେଖିଛନ୍ତି।

ଏହି ଦାବି ପରେ ସାମାଜିକ ଗଣମାଧ୍ୟମରେ କୋଭାକ୍ସିନକୁ ନେଇ ଲଗାତାର ପ୍ରଶ୍ନ ଉଠୁଛି। ଶେଷରେ  ବାୟୋଟେକକୁ ଏହା ଉପରେ ସଫେଇ ଦେବାକୁ ପଡିଛି। ଭାରତ  ବାୟୋଟେକ୍‌ ମତରେ ଟିକା ପ୍ରସ୍ତୁତିରେ ବାଛୁରୀର ସିରମ ବ୍ୟବହାର କରାଯାଏ। ଏହାର ବ୍ୟବହାର କୋଷିକାର ବୃଦ୍ଧି ପାଇଁ ହୋଇଥାଏ। ମାତ୍ର କୋଭିଡ୍-୧୯ ଭାଇରସ୍‌କ ମାରିବା କିମ୍ବା ଚୂଡାନ୍ତ ଫର୍ମୁଲାରେ ଏହାର ବ୍ୟବହାର କରାଯାଇ ନାହିଁ।

ଏହାକୁ ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ମନ୍ତ୍ରଣାଳୟ ଏହି ଦାବିକୁ ଭୁଲ୍ ଦର୍ଶାଇ କହିଛି ଯେ, କୋଭାକ୍ସିନର ଚୂଡାନ୍ତ ଉତ୍ପାଦନରେ ବାଛୁରୀର ରକ୍ତ ବ୍ୟବହାର ହୋଇ ନାହିଁ। ତଥ୍ୟକୁ ଭୁଲ୍ ଭାବେ ଉପସ୍ଥାପନ କରାଯାଉଛି ଏବଂ ଲୋକଙ୍କୁ ଭ୍ରମିତ କରାଯାଉଛି।

wp:html /wp:html

ଅନେକ ରାଜନୈତିକ ଦଳ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଶିବସେନା ସାଂସଦ ପ୍ରିୟଙ୍କା ଚର୍ତୁବେଦୀ ଟ୍ଵିଟ୍ କରି ଲେଖିଛନ୍ତି, ଯେଉଁ ଲୋକେ ବୈଜ୍ଞାନିକ ଗବେଷଣାର  କଥା କୁହନ୍ତି ସେମାନେ ଏବେ କୋଭାକ୍ସିନକୁ ନେଇ ଏହି ଧରଣର ପୋଷ୍ଟ କରୁଛନ୍ତି। ଦୟା କରି ଭ୍ୟାକ୍ସିନ ବିରୋଧରେ ଏହି ଧରଣର ଗୁଜବ ପ୍ରଚାର କରନ୍ତୁ ନାହିଁ।

ସୂଚନାଯୋଗ୍ୟ, ଭ୍ୟାକ୍ସିନକୁ ନେଇ ଏ ପର୍ଯ୍ୟନ୍ତ ଅନେକ ପ୍ରକାରର ଗୁଜବ ପ୍ରଚାର ହୋଇ ସାରିଛି। ଏହାର ସୁଦୂର ପ୍ରଭାବ ଗ୍ରାମାଞ୍ଚଳରେ ପଡୁଛି। ଫଳରେ ଗ୍ରାମାଞ୍ଚଳର ଲୋକେ ଟିକା ନେବାକୁ ପଛଘୁଞ୍ଚା ଦେଉଛନ୍ତି ଯାହା ଟିକାକରଣ ଅଭିଯାନରେ ବଡ ବାଧା ଉପୁଜିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.