ଭୁବନେଶ୍ୱର: ରାଜ୍ୟରେ ‘ସମ୍ପୂର୍ଣ୍ଣ ନିଷେଧ ଗୋ- ହତ୍ୟା ଓ ଗୋ-ଚାଲାଣ। ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଓଡ଼ିଶାରେ ଗୋ ହତ୍ୟାକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯିବ। ଆଇନ ଆଣିବାକୁ ପ୍ରକ୍ରିୟା କରିଛନ୍ତି ରାଜ୍ୟ ସରକାର। ଏଭଳି କଠୋର ନିୟମ ଆଣିବାରେ ଓଡ଼ିଶା ହେବ ପ୍ରଥମ ରାଜ୍ୟ।
ସେପଟେ ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୋସମ୍ପଦର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ। ପୁରାଣ ଶାସ୍ତ୍ର ଅନୁଯାୟୀ ଗୋ ମାତାଙ୍କ ଠାରେ ତେତ୍ରିଶ କୋଟି ଦେବା ଦେବୀ ବାସ କରନ୍ତି।ସେଥିପାଇଁ କୁହାଯାଇଛି ଗୋମାତାଙ୍କ ପୂଜା କରିବା ଅର୍ଥ ଦେବତାଙ୍କୁ ସନ୍ତୁଷ୍ଟ କରିବା ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ହରିହରାନନ୍ଦ ଗୁରୁକୁଳମ୍ଠାରେ ଆୟୋଜିତ ଗୋ-ନବରାତ୍ର ମହୋତ୍ସବରେ କହିଛନ୍ତି।
ସୂଚନାଯୋଗ୍ୟ ଯେ ଗୁରୁଗୋବିନ୍ଦ ଗୋ ସେବାଶ୍ରମ, ଓଡିଶା ଗୋ ସେବା ସମିତି ହରିହରାନନ୍ଦ ଗୁରୁକୁଳମ୍ ପକ୍ଷରୁ ପୁରୀ ଠାରେ ଚଳିତ ମାସ ୨ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଗୋ ନବରାତ୍ର ମହୋତ୍ସବ ଆୟୋଜନ ହୋଇଛି।
ମୁଖ୍ୟମନ୍ତ୍ରୀ ଏହି ମହୋତ୍ସବରେ ଉଦ୍ବୋଧନ ଦେଇ କହିଥିଲେ ଯେ କେଉଁ ଆବାହମାନ କାଳରୁ ଆମ ସଂସ୍କୃତି ଓ ପରମ୍ପରାରେ ଗୋ ବଂଶର ଏକ ଅଲଗା ମହତ୍ବ ରହିଛି। ପ୍ରାଚୀନ କାଳରେ ଗୋ ମାତାଙ୍କ ସ୍ଥାନ କୌଣସି ରତ୍ନରୁ କମ୍ ନଥିଲା। ଗୋମାତା, ଗଙ୍ଗା, ଗୀତା, ଗାୟତ୍ରୀ ଓ ଗୁରୁ ହେଉଛନ୍ତି ଆମ ସଭ୍ୟତା ଓ ସଂସ୍କୃତିର ପ୍ରତୀକ।
ବୈଜ୍ଞାନିକ ଗବେଷଣାରୁ ଜଣାଯାଇଛି ଯେ ଗାଈର କ୍ଷୀର, ଗୋମୂତ୍ର ଓ ଗୋବରର ଔଷଧୀୟ ତତ୍ତ୍ବ ରହିଛି। ଆମର ଏହି ଅମୂଲ୍ୟ ସମ୍ପଦର ସୁରକ୍ଷା ଓ ମାହାତ୍ମ୍ୟ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ର ପୁରୀଠାରେ ଆୟୋଜିତ ଏହି ନବରାତ୍ର ମହୋତ୍ସବ ଗୋସେବା କ୍ଷେତ୍ରରେ ଓଡିଶାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଏକ ମହାନ୍ ପ୍ରଚେଷ୍ଟା।
ଗୋପାଳନ, ଗୋ ସମ୍ପର୍ଦ୍ଧନା, ଗୋ ସୁରକ୍ଷା ଓ ସଂରକ୍ଷଣ ଏବଂ ଗୋ ଆଧାରିତ ଜୈବିକ କୃଷି ଆଦି ବିଷୟ ବସ୍ତୁ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମ ଲୋକମାନଙ୍କୁ ଜାଗୃତ କରିଛି। ଯାହା ଫଳରେ ଆଜି ହଜାର ହଜାର ଲୋକ ଗୋସେବା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ପୂଜ୍ୟ ଗୁରୁଜୀ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ପୌରହିତ୍ୟରେ ଓଡିଶାରେ ପ୍ରଥମ କରି ଏହି ଗୋ ସେବା ଜାଗରଣ ଯାତ୍ରା ଆରମ୍ଭ ହୋଇଥିଲା। ଗୁରୁଜୀଙ୍କ ନେତୃତ୍ବରେ ଓଡିଶାର ୯୦ଟି ସ୍ଥାନରେ ଗୋ ଜାଗରଣ ଯାତ୍ରା ଅନୁଷ୍ଠିତ ହୋଇଛି। ଗୁରୁଜୀଙ୍କ ଏହି ଉଦ୍ୟମ ବଳରେ ଗୋସେବା କ୍ଷେତ୍ରରେ ବ୍ୟାପକ ଜନ ସଚେତନତା ସୃଷ୍ଟି ହୋଇଛି।