ଗାଈ ଗିଳିଦେଲା ୨୦ ଗ୍ରାମର ସୁନା ଚେନ୍: ମେଟାଲ୍ ଡିଟେକ୍ଟର୍ ଜରିଆରେ ଖୋଜିଲେ ଡାକ୍ତର

Published By : Prameya-News7 Bureau | December 13, 2021 IST

ବେଙ୍ଗାଲୁରୁ ୧୩/୧୨ : ଆପଣ ଜାଣିଥିବେ ଗାଈ ଘାସ, କୁଣ୍ଡା, ନଡ଼ା, ତୋରାଣି ଓ ଗୋଖାଦ୍ୟ ଖାଏ। କିନ୍ତୁ ଗାଈ ସୁନା ଅଳଙ୍କାର ଖାଇବାର କେବେ ଶୁଣିଛନ୍ତିକି! ହଁ ଆଜ୍ଞା ଏପରି ଏକ ଘଟଣା ଦେଖିବାକୁ ମିଳିଛି ଦକ୍ଷିଣ ଭାରତର କର୍ଣ୍ଣାଟକରେ । ଆସନ୍ତୁ ଜାଣିବା ପୁରା ଘଟଣା କଣ।

କର୍ଣ୍ଣାଟକର ସିରସି ତାଲୁକର ହିପାନାହଲ୍ଲୀରେ ରହୁଥିବା ଶ୍ରୀକାନ୍ତ ହେଗଡ଼େଙ୍କ ଘରେ ଏଭଳି ଘଟଣା ଘଟିଛି। ତାଙ୍କ ଘରେ ଥିବା ଚାରି ବର୍ଷର ଗାଈ ୨୦ ଗ୍ରାମର ସୁନା ଚେନ ଖାଇଦେଇଥିଲା। ଗାଈକୁ ପଶୁ ଡାକ୍ତରଖାନା ନେବାପରେ ଡାକ୍ତର ମେଟାଲ ଡିଟେକ୍ଟର ସାହାଯ୍ୟରେ ଦେଖିବା ପରେ ଗାଈ ପେଟରେ ଏକ ସୁନା ଚେନ ଥିବା ସ୍ପଷ୍ଟ କରିଥିଲେ।

ଶ୍ରୀକାନ୍ତ ହେଗଡ଼େଙ୍କର ଘରେ ୪ବର୍ଷର ଗାଈ ଓ ବାଛୁରି ଅଛନ୍ତି। ସେ ଦୀପାବଳୀ ଦିନ ଗୋପୂଜା ଆୟୋଜନ କରିଥିଲେ। ପରମ୍ପରା ଅନୁସାରେ ସେ ଗାଈକୁ ଗାଧୋଇ ଦେବାପରେ ଫୁଲମାଳ ପିନ୍ଧାଇ ପୂଜା କରିଥିଲେ। ଏହା ମଧ୍ୟରେ ଯାହା ଘଟିଥିଲା ସେ ଜାଣି ପାରିଲେ ନାହିଁ। ଶ୍ରୀକାନ୍ତ ଗୋପୂଜା କରିବା ସମୟରେ ତାଙ୍କ ଗାଈକୁ ଫୁଲମାଳ ସହିତ ୨୦ ଗ୍ରାମର ଏକ ସୁନା ଚେନ ମଧ୍ୟ ପିନ୍ଧାଇଥିଲେ। ପୂଜା ସରିବା ପରେ ସେ ଗାଈ ବେକରୁ ସୁନା ଚେନ ସହିତ ଫୁଲମାଳ କାଢ଼ି ନେଇ ଅଲଗା ରଖିଥିଲେ। କିଛି ସମୟ ପରେ ରଖାଯାଇଥିବା ଜାଗାରେ ସୁନା ଚେନ ନଥିଲା । ବହୁତ ଖୋଜାଖୋଜି ପରେ ମଧ୍ୟ ଚେନ ମିଳିଲା ନାହିଁ। ତାପରେ ତାଙ୍କ ପରିବାର ଲୋକଙ୍କୁ ସନ୍ଦେହ ହେଲାଯେ ଗାଈ ଫୁଲମାଳ ସହିତ ସୁନାହାରକୁ ଖାଇଦେଇଛି। ସେଥିପାଇଁ ସେମାନେ ଗାଈ ଗୋବର ଉପରେ ମାସେ ପର୍ଯ୍ୟନ୍ତ ନଜର ରଖିଲେ। କିନ୍ତୁ ଚେନ ମିଳିଲାନାହିଁ।

ଏହାପରେ ଶ୍ରାକାନ୍ତଙ୍କ ପରିବାର ସଦସ୍ୟ ଗାଈକୁ ପଶୁ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଗାଈ ଶରୀରରେ ମେଟାଲ ଡିଟେକ୍ଟର ସାହାଯ୍ୟରେ ସମ୍ପୂର୍ଣ୍ଣ ଶରୀରକୁ ପରୀକ୍ଷା କରିଥିଲେ। ଏହାପରେ ଗାଈ ପେଟରେ ଚେନ ଥିବା ସ୍ପଷ୍ଟ ହୋଇଥିଲା । ପରେ ସ୍କାନ କରି ଗାଈର ପେଟରେ କେଉଁ ଅଙ୍ଗରେ ଚେନଟି ଅଛି ତାହା ଚିହ୍ନଟ କରାଯାଇଥିଲା। ଶେଷରେ ପରିବାର ଲୋକଙ୍କ ଅନୁମତିରେ ଡାକ୍ତର ଅସ୍ତ୍ରୋପଚାର କରି ଚେନକୁ ଗାଈର ପେଟରୁ ବାହାର କରିଥିଲେ। ବର୍ତ୍ତମାନ ଗାଈର ସ୍ୱାସ୍ଥାବସ୍ତା ଠିକ ରହିଛି। ଅସ୍ତ୍ରୋପଚାର ପରେ ଗାଈଟି ଧିରେ ଧିରେ ସୁସ୍ଥ ହେଉଥିବା ଦେଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.