ବେଆଇନ୍ ଗୋ-ଚାଲାଣ ବେଳେ ଅଘଟଣ, ଟ୍ରକ ଚାପାରେ ୧୫ ଗୋରୁ ମୃତ
9/09/2022 at 12:42 PM

କେନ୍ଦୁଝର ୦୯/୦୯: କେନ୍ଦୁଝରରେ ବେଆଇନ୍ ଗୋରୁ ଚାଲାଣ କରାଯାଉଥିବା ସମୟରେ ଟ୍ରକ ଚାପାରେ ୧୫ ଗୋରୁ ମୃତ ୩ ଗୋରୁ ଗୁରୁତର । ଆଜି ଭୋର ପ୍ରାୟ ସାଢ଼େ ତିନିଟା ସମୟରେ ପ୍ରାୟ ୫୦ ରୁ ୬୦ ଗୋରୁଙ୍କୁ ବେଆଇନ ଭାବେ ୪୯ ନମ୍ବର ଜାତୀୟ ରାଜପଥରେ ଚଲାଇ ଚଲାଇ ନିଆଯାଉଥିଲା । ଏହି ସମୟରେ କେନ୍ଦୁଝରର ଡଙ୍ଗାପାଣି ଗାଁ ନିକଟରେ ପଛପଟୁ ଆସୁଥିବା ଏକ ଟ୍ରକ ଗୋରୁଙ୍କ ଉପରେ ଚଢିଯାଇଥିଲା ।
ଫଳରେ ଘଟଣାସ୍ଥଳରେ ହିଁ ୧୫ଟି ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଗୋରୁ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଘଟାଇ ଥିବା ଟ୍ରକଟିର ଚକା ତଳେ ଏକାଧିକ ଗୋରୁ ଲାଗି ରହିଯିବାରୁ ଟ୍ରକଟି ସେହିଠାରେ ଅଟକି ରହିଯାଇଥିଲା । ଫଳରେ ଟ୍ରକର ଡ୍ରାଇଭର ଓ ହେଲପର ଟ୍ରକ ଛାଡି ଫେରାର ହୋଇ ଯାଇଛନ୍ତି ।
ସେପଟେ ବେଆଇନ ଗୋ ଚାଲାଣକାରୀ ମାନେ ମଧ୍ୟ ମୃତ ଓ ଆହତ ଗୋରୁଙ୍କୁ ଛାଡି ଫେରାର ହୋଇଯାଇଛନ୍ତି । ଘଟଣା ସ୍ଥଳରେ ପୋଲିସ ଓ ସ୍ଥାନୀୟ ଲୋକେ ପହଞ୍ଚି ମୃତ ଗୋରୁଙ୍କୁ ରାସ୍ତାରୁ ହଟାଇବା ସହ ଆହତ ଗୋରୁଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି ।