'ମୁ' ରୁ ଆରମ୍ଭ ପରେ ଡେଲ୍‌ଟା, ଓମିକ୍ରନ୍‌ ଆଉ ଏବେ ନୂଆ ଭ୍ୟାରିଆଣ୍ଟ 'ନିଓକୋଭ୍‌', ଚେତାଇଲେ ବିଶେଷଜ୍ଞ

Published By : Prameya-News7 Bureau | January 29, 2022 IST

ନୂଆଦିଲ୍ଲୀ ୨୯/୦୧: କୋଭିଡ ଭାଇରସ୍‌ ଆଉ ମ୍ୟୁଟାଣ୍ଟ । ଗୋଟିଏ ପରେ ଗୋଟିଏ ଭ୍ୟାରିଆଣ୍ଟ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ପ୍ରଥମେ 'ମୁ' ଭ୍ୟାରିଆଣ୍ଟରୁ ଆରମ୍ଭ ହୋଇଥିବା କୋଭିଡ୍‌ ମ୍ୟୁଟାଣ୍ଟ ଏବେ ନିଓକୋଭ୍‌ରେ ପହଞ୍ଚିଲାଣି । ୨୦୨୧ ଜାନୁଆରୀରେ ଆମେରିକାରେ ପ୍ରଥମେ ଚିହ୍ନଟ ହୋଇଥିଲା କୋଭିଡ୍‌ର 'ମୁ' ଭ୍ୟାରିଆଣ୍ଟ । ପରେ ଆଲଫା, ବିଟା, ଗାମା, ଲାମ୍ବଡା, ଡେଲ୍‌ଟା, ଡେଲ୍‌ଟା +, IHU, ଓମିକ୍ରନ୍‌ ଆଉ ଏବେ ନିଓକୋଭ୍‌ । ଆଗକୁ ସଂକ୍ରମଣର ଗତି ଯେ କୁଆଡେ, ତାହା ବିଶେଷଜ୍ଞମାନେ ବି କହିପାରୁ ନାହାନ୍ତି ।

ଆମେରିକାରେ ପ୍ରଥମେ 'ମୁ' ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିଲା ସତ କିନ୍ତୁ କମ ଥିଲା ପ୍ରଭାବ । 'ମୁ' କୁ ଭ୍ୟାରିଆଣ୍ଟ ଅଫ୍‌ ଇଣ୍ଟେ୍ରଷ୍ଟ ଘୋଷଣା କରିଥିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ପରେ ଆରମ୍ଭ ହୋଇଥିଲା ଆଲ୍‌ଫା ଭ୍ୟାରିଆଣ୍ଟର ଭୟାବହତା । ଚାହୁଁଚାହୁଁ ସାରା ବିଶ୍ବରେ ବ୍ୟାପିଯାଇଥିଲା ସଂକ୍ରମଣ । ଆଲ୍‌ଫା ଭ୍ୟାରିଆଣ୍ଟ ଯୋଗୁଁ ଶରୀରରେ ଆଣ୍ଟି ଭାଇରାଲ ସିଷ୍ଟମ୍‌ ଅର୍ଥାତ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥିଲା ।

ଆଲ୍‌ଫା ପରେ ଆରମ୍ଭ ହୋଇଥିଲା ବିଟା ଲହର । ଅବଶ୍ୟ ଏହାର ପ୍ରଭାବ ସେତେଟା ଦେଖିବାକୁ ମିଳିନଥିଲା । କିନ୍ତୁ କୋଭିଡ୍‌ ଭ୍ୟାକସିନ୍‌ ଉପରେ ଏହା ପ୍ରଭାବ ପକାଇବ କହିଥିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ । ପରେ ସୃଷ୍ଟି ହୋଇଥିଲା ଗାମା ଭ୍ୟାରିଆଣ୍ଟ । ବ୍ରାଜିଲରୁ ଆରମ୍ଭ ହୋଇଥିବା ଗାମା ୨ ଗୁଣା ଅଧିକ ସଂକ୍ରାମକ ବୋଲି ଜଣାପଡିଥିଲା । ଯାହାକି ମଣିଷ ଶରୀରରୁ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରୁଥିଲା । ଗାମା ପରେ ପେରୁରେ ପ୍ରଥମେ ଚିହ୍ନଟ ହୋଇଥି​ଲେ ଲାମ୍ବଡା ଭ୍ୟାରିଆଣ୍ଟ ରୋଗୀ । ଏହି ମ୍ୟୁଟାଣ୍ଟରେ ଶରୀରରେ କୋଭିଡ ଲକ୍ଷଣ ବଦଳିବାକୁ ଲାଗିଥିଲା । ଯେମିତିକି ଶରୀରର ତାପମାତ୍ରା ବୃଦ୍ଧି, ଅନବରତ ଭାବେ ଖାସିବା ଏବଂ ଖାଦ୍ୟର ସ୍ମେଲ୍‌ ଓ ଟେଷ୍ଟ ଜଣା ନପଡିବା ଭଳି ସମସ୍ୟା ଦେଖାଦେଇଥିଲା ।

ଡେଲଟା ଭ୍ୟାରିଆଣ୍ଟର ଭୟାବହତା କିଏ ବା ନଜାଣେ । ବିଶ୍ବର ଅନେକ ଦେଶରେ ରଚିଥିଲା ମୃତ୍ୟୁର ତାଣ୍ଡବ । ଡେଲ୍‌ଟା ଭ୍ୟାରିଆଣ୍ଟ ଫଳରେ ଭାରତରେ ଆରମ୍ଭ ହୋଇଥିଲା ଦ୍ବିତୀୟ ଲହର । ଯାହାକି ପୂର୍ବ ମ୍ୟୁଟାଣ୍ଟ ଗୁଡିକ ତୁଳନାରେ ଥିଲା ଭୟଙ୍କର। ସେହିଭଳି ଡେଲ୍‌ଟା ଭ୍ୟାରିଆଣ୍ଟର ତିଆରି ହୋଇଥିଲା ଡେଲ୍‌ଟା + । ୨୦୨୧ ମାର୍ଚ୍ଚରେ ୟୁରୋପରେ ଏହାର ବେଶ୍‌ ପ୍ରଭାବ ରହିଥିଲା ।

ଡେଲ୍‌ଟା+ ପରେ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହୋଇଥିଲା ସବୁଠାରୁ ଭୟଙ୍କର ମ୍ୟୁଟାଣ୍ଟ ଓମିକ୍ରନ୍‌ । ଯାହାକୁ କି କରୋନା ଭାଇରସ୍‌ର ସବୁଠାରୁ ଭୟାନକ ମ୍ୟୁଟାଣ୍ଟ ଅର୍ଥାତ 'ଭ୍ୟାରିଆଣ୍ଟ ଅଫ୍‌ କନସର୍ଣ୍ଣ' କୁହାଯାଉଛି । ବର୍ତ୍ତମାନ ମଧ୍ୟ ଭାରତ ଭଳି ଅନେକ ଦେଶରେ ଜାରି ରହିଛି ଓମିକ୍ରନ୍‌ ଲହର । ଓମିକ୍ରନ୍‌ ପ୍ରଭାବ କମିନି କିନ୍ତୁ ଚିହ୍ନଟ ହେଲାଣି ଆଉ ଏକ ଭୟଙ୍କର ମ୍ୟୁଟାଣ୍ଟ ନିଓକୋଭ୍‌ । ନିଓକୋଭ୍‌ କ୍ଷୀପ୍ର ବେଗରେ ସଂକ୍ରମିତ କରିବା ନେଇ ଚେତାବନୀ ଦେଇଛନ୍ତି ଚୀନ୍‌ର ବୈଜ୍ଞାନିକ । ତେବେ, ମ୍ୟୁଟାଣ୍ଟ ପରେ ମ୍ୟୁଟାଣ୍ଟ ଚାଲିଥିବା ବେଳେ କେବେ ଶେଷ ହେବ କୋଭିଡ୍‌ ତାହା ଉପ​‌ରେ ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.