ବେଜିଂର ନୂଆ ଅଭିଯୋଗ, ୨୦୧୯ ଗ୍ରୀଷ୍ମ ଋତୁରେ ଭାରତରୁ ବ୍ୟାପିଥିଲା କୋଭିଡ୍-୧୯ ଭାଇରସ

Published By : Prameya-News7 Bureau | November 28, 2020 IST

ବେଜିଂ,୨୮/୧୧: କରୋନା ଭାଇରସ କେଉଁଠାରୁ ଆରମ୍ଭ ହୋଇଛି ତାହା ଏଯାଏଁ ଚୀନ ସରକାର ସ୍ପଷ୍ଟ କରିନାହାଁନ୍ତି । ଏବେ ନିଜ ଦୋଷ ଘୋଡାଇବାକୁ ଅନ୍ୟ ଉପରେ ଦୋଷ ଲଦିବା ଆରମ୍ଭ କଲେଣି ଚୀନ ସରକାର । ବୁହାନରେ କରୋନାର ପ୍ରଥମ ମାମଲା ସାମ୍ନାକୁ ଆସିବା ମାନେ ଚୀନରୁ ଏହି ଭାଇରସ ସୃଷ୍ଟି ହୋଇଥିବା ନୁହେଁ ବୋଲି କହିଛି ଚୀନ୍ ।

ଚୀନର କିଛି ବୈଜ୍ଞାନିକ ଦାବି କରିଛନ୍ତି ଯେ. ୨୦୧୯ରେ ବୁହାନ ପୂର୍ବରୁ ଏହି ଭାଇରସ ଭାରତରେ ଥିଲା । ସାଙ୍ଘାଇ ଇନଷ୍ଟିଚ୍ୟୁଟ୍ ଫର୍ ବାୟୋଲୋଜିକାଲ ସାଇନ୍ସେସର ବୈଜ୍ଞାନିକମାନେ ଏହା ଦାବି କରିଛନ୍ତି । କିନ୍ତୁ ଏହାର ସତ୍ୟତା ଅନ୍ୟ କୌଣସି ବୈଜ୍ଞାନିକ ପରଖି ନାହାଁନ୍ତି । ସେମାନେ କହିଛନ୍ତି ଯେ, ଭାରତ ପରେ ବାଂଲାଦେଶରୁ ଏହା ବ୍ୟାପିଥିଲା । ସାଙ୍ଘାଇ ଇନଷ୍ଟଚ୍ୟୁଟର ଏହି ରିସର୍ଚ୍ଚ ପେପର ଏସଏସଆରଏନ.କମରେ ପ୍ରକାଶ ପାଇଛି ।

ଏହି ରିସର୍ଚ୍ଚ ପେପର୍ ୧୭ଟି ଦେଶର କରୋନା ଷ୍ଟ୍ରେନ୍ ଉପରେ ଗବେଷଣା କରାଯାଇ ପ୍ରକାଶ ପାଇଛି । ଏହାର ନେତୃତ୍ୱ ନେଇଥିଲେ ସେନ୍ ଲିମ୍ବିଙ୍ଗ୍ । ସେ ଦାବି କରିଛନ୍ତି ଯେ, ଭାରତର ଅଧିକ ଜନସଂଖ୍ୟା, ଖରାପ ପାମିପାଗ ଓ ମରୁଡି ଭଳି ସ୍ଥିତି ପାଇଁ ଭାଇରସ ବ୍ୟାପିଛି । ବୁହାନରେ ପ୍ରଥମ କେସ୍ ବାହାରିବାର ୩-୪ ମାସ ପୂର୍ବରୁ ଭାରତରେ ଏହା ବ୍ୟାପଥିଲା । ତେବେ ଏହି ଦାବି ଉପରେ ପ୍ରଶ୍ନ କରିଛନ୍ତି ଭାରତୀୟ ବୈଜ୍ଞାନିକ ମୁକେଶ ଠାକୁର । ରିସର୍ଚ୍ଚର ରେଜଲ୍ଟ ଭୁଲ ବୋଲି ସେ କହିଛନ୍ତି ।

ନିକଟରେ ଚୀନ୍ ସରକାରଙ୍କ ନିୟନ୍ତ୍ରଣରେ ଥିବା ଗଣମାଧ୍ୟମରେ ରିପୋର୍ଟ ଆସିଥିଲା ଯେ, ଆମଦାନୀ ହୋଇଥିବା ଖାଦ୍ୟ ପଦାର୍ଥ ପ୍ୟାକେଟରେ କରୋନା ଭାଇରସ ମିଳିଥିଲା ।ଭାରତରୁ ସମୁଦ୍ରରେ ଆସିଥିବା ମାଛ ପ୍ୟାକେଟରେ ମଧ୍ୟ ଭାଇରସ ଥିଲା । ଆହୁରି ମଧ୍ୟ ୟୁରୋପ ତଥା ଅନ୍ୟ ଦେଶରୁ ଆସୁଥିବା ଖାଦ୍ୟ ପ୍ୟାକେଟ୍ ଦ୍ୱାରା ଭାଇରସ ଚୀନକୁ ଆସିଛି ।

ଚୀନ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଝାଓ ଲିଜିୟାନ କହିଛନ୍ତି ଯେ, ଚୀନରେ ସଂକ୍ରମଣର ପ୍ରଥମ ମାମଲା ଆସିଛି କିନ୍ତୁ କରୋନା ଭାଇରସ ଏଠାରୁ ସୃଷ୍ଟି ହୋଇନାହିଁ । ଭାଇରସ କେଉଁଠାରୁ ସୃଷ୍ଟି ହୋଇଛି ଚାହା କହିବା କଷ୍ଟକର । ସାରା ବିଶ୍ୱର ବୈଜ୍ଞାନିକ ଏନେଇ ଗବେଷଣା କରିବା ଆବଶ୍ୟକ । ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏକ ଟିମ୍ ଆସୁଛି ।

ମାର୍ଚ୍ଚରେ ଚୀନ ବୈଦେଶିକ ମନ୍ତ୍ରାଳୟର ଜଣେ ମୁଖପାତ୍ର କହିଥିଲେ ଯେ, ଆମେରିକା ଆର୍ମୀ ଚାଇନାକୁ ଭାଇରସ ପଠାଇଛି । ସେହିପରି ଆଉ କିଛି ରିପୋର୍ଟରେ ଭାଇରସ ଗତବର୍ଷ ଅକ୍ଟୋବରରେ ଇଟାଲି ଓ ବାର୍ସେଲିନାରେ ଠାବ ହୋଇଥିବା ପ୍ରକାଶ ପାଇଥିଲା । ଏତତ୍ ବ୍ୟତୀତ ଆଉ କିଛି ରିପୋର୍ଟରେ ବୁହାନ ବାହାରେ କାମ କରୁଥିବା କର୍ମଚାରୀଙ୍କ ମାଧ୍ୟମରେ ଏହି ଭାଇରସ ଆସିଥିବା ଦାବି କରାଯାଉଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଜରୁରୀକାଳିନ ବିଶେଷଜ୍ଞ ମାଇକ ରେୟାନ କହିଥିଲେ ଯେ, ଚୀନ ଭାଇରସର ଉତ୍ପତ୍ତି ବାବଦରେ ସମସ୍ତ ତଥ୍ୟ ଦେବ ବୋଲି ଆଶ୍ୱାସନା ଦେଉଛି । ହୁ ନିଜର ପ୍ରତିନିଧିଙ୍କୁ ବୁହାନ ପଠାଯିବ ।  ଚୀନର ବୁହାନରେ ଗତ ବର୍ଷ ଡିସେମ୍ବରରେ କରୋନାର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଏବେସୁଦ୍ଧା ଏହି ଭାଇରସ ସାରା ବିଶ୍ୱରେ ୧୪ ଲକ୍ଷ ଜୀବନ ନେଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.