ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କୋଭିଡ୍ ଭ୍ୟାକ୍ସିନର ପାର୍ଶ୍ଵ ପ୍ରତିକ୍ରିୟା ରହିଥିବା ଦାବି କରି ଦାଖଲ ଯାଚିକାକୁ ଖାରଜ କରିଛନ୍ତି। ଯାଚିକାରେ କୁହାଯାଇଥିଲା ଯେ, କୋଭିଡ୍ ଭ୍ୟାକ୍ସିନର ବ୍ୟବହାର ପରଠୁ ମଣିଷଙ୍କଠାରେ ବିଭିନ୍ନ ପ୍ରକାରର ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏଥିରେ ରକ୍ତ ଜମାଟ ବାନ୍ଧି ହେବା, ହୃଦଘାତ ଆଦି ରୋଗ ସାମିଲ। ଏହାକୁ ନେଇ ବ୍ରିଟେନର ଏକ କୋର୍ଟରେ ମଧ୍ୟ ଆବେଦନ ଦାଖଲ କରାଯାଇଥିଲା। ସୋମବାର ଆବେଦନ ଉପରେ ଶୁଣାଣି କରି ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାରଦିବାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ପୀଠ ଏହି ଜନସ୍ଵାର୍ଥ ମାମଲାକୁ ଖାରଜ କରି କହିଛନ୍ତି, ଏହା କେବଳ ଚାଞ୍ଚଲ୍ୟ ଖେଳାଇବା ପାଇଁ କରାଯାଇଛି। ଆମକୁ ସେହି ସ୍ଥିତି ବିଷୟରେ ମଧ୍ୟ ଚିନ୍ତା କରିବା ଉଚିତ୍ ଯେ, ଯଦି ଭ୍ୟାକ୍ସିନ ନିଆଯାଇ ନ ଥାନ୍ତା ତେବେ କଣ ପାର୍ଶ୍ଵ ପ୍ରତିକ୍ରିୟା ହୋଇ ନ ଥାନ୍ତା।
ଜଷ୍ଟିସ ପାରଦିବାଲା ଆବେଦନକାରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ କଣ ଆପଣ ଭ୍ୟାକ୍ସିନ ନେଇଛନ୍ତି ? ଆପଣଙ୍କୁ ସେମିତି କିଛି ହୋଇଛି କି ? ଆବେଦନକାରୀଙ୍କ ଓକିଲ ଭ୍ୟାକ୍ସିନ ନେଇଥିବା କଥା ସ୍ଵୀକାର କରିଥିଲେ ଏବଂ ତାଙ୍କୁ କୌଣସି ପ୍ରକାରର ପାର୍ଶ୍ଵ ପ୍ରତିକ୍ରିୟା ହୋଇ ନ ଥିବା କହିଥିଲେ। ଏହା ପରେ ଖଣ୍ଡପୀଠ କହିଛନ୍ତି, ଯାଚିକା କେବଳ ଚାଞ୍ଚଲ୍ୟ ଖେଳାଇବା ପ୍ରୟାସରେ ଦାୟର କରାଯାଇଛି, ଏଥିପାଇଁ ଏହାକୁ ଖାରଜ କରାଯାଉଛି।
ପ୍ରିୟା ମିଶ୍ର ଓ ଅନ୍ୟ ଆବେଦନକାରୀ ଦ୍ଵାରା ଦାଖଲ ଆବେଦନରେ ସୁପ୍ରିମକୋର୍ଟଙ୍କ ନିକଟରେ ଦାବି କରାଯାଇଥିଲା ଯେ, ଡାକ୍ତରୀ ବିଶେଷଜ୍ଞଙ୍କ ଏକ କମିଟି ଗଠନ କରାଯାଇ ଆଷ୍ଟ୍ରାଜେନେକାର କୋଭିସିଲ୍ଡ ଭ୍ୟାକ୍ସିନ ଓ ଏହାର ପାର୍ଶ୍ଵ ପ୍ରତିକ୍ରିୟାର ଯାଞ୍ଚ କରାଯିବା ଉଚିତ୍। ଏହା ମଧ୍ୟ ଦାବି ହୋଇଥିଲା ଯେ, କମିଟିରେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଓ ସୁପ୍ରିମକୋର୍ଟର ଅବସରପ୍ରପ୍ତ ଜଜ ସଦସ୍ୟ ରୁହନ୍ତୁ ଯଦ୍ଵାରା ଭ୍ୟାକ୍ସିନର ଅଧ୍ୟୟନ ଠିକ୍ ଭାବେ କରାଯାଇ ପାରିବ।
ସୂଚନାଯୋଗ୍ୟ, କୋଭିସିଲ୍ଡ ଭ୍ୟାକ୍ସିନ ପ୍ରସ୍ତୁତକାରୀ ବ୍ରିଟିଶ କମ୍ପାନି ଆଷ୍ଟ୍ରାଜେନେକା ଏପ୍ରିଲରେ କୋର୍ଟରେ ସ୍ଵୀକାର କରିଥିଲା ଯେ, ଭ୍ୟାକ୍ସିନ ଦ୍ଵାରା ମଣିଷଙ୍କ ଉପରେ ବିପଦଜନକ ପାର୍ଶ୍ଵ ପ୍ରତିକ୍ରିୟା ହୋଇପାରେ। ତେବେ ଏହାର ସମ୍ଭାବନା ବହୁତ କମ। ଭାରତର ସିରମ ଇନଷ୍ଟିଚ୍ୟୁଟ ଯେଉଁ ବ୍ୟାକ୍ସିନ ପ୍ରସ୍ତୁତ କରିଥିଲା, ତାହା ମଧ୍ୟ ଆଷ୍ଟ୍ରାଜେନେକା ଫର୍ମୁଲା ଉପରେ ଆଧାରିତ ଥିଲା। ଏହି ଭ୍ୟାକ୍ସିନର ପ୍ରାୟ ୧୭୫ କୋଟିରୁ ଅଧିକ ଡୋଜ୍ ଭାରତରେ ଦିଆଯାଇଛି। କୋଟି କୋଟି ସଂଖ୍ୟାରେ ଭ୍ୟାକ୍ସିନ ବିଦେଶକୁ ମଧ୍ୟ ପଠାଯାଇଛି।