ନ୍ୟୁୟର୍କ ୨୮।୪: ଗୁଜୁରାଟ ଏବଂ ମଧ୍ୟପ୍ରଦେଶର ଇନ୍ଦୋରରେ କରୋନାଜନିତ ମୃତ୍ୟୁ ଭାଇରସ୍ର ମାରାତ୍ମକ ଷ୍ଟ୍ରେନ୍ କାରଣରୁ ହେବା ଦାବିକୁ ପ୍ରତ୍ୟାଖ୍ୟାନ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) । WHOର ବୈଷୟିକ ତଥା ଜରୁରୀକାଳୀନ ରୋଗର ମୁଖ୍ୟ ମାରିଆ ୱାନ୍ କରଖୋଭେ ଏକ ଗଣମାଧ୍ୟମକୁ କହିଛନ୍ତି ଯେ, ଲ୍ୟାବ୍ର ଗ୍ଲୋବାଲ୍ ନେଟଓ୍ବର୍କ ଏବଂ ସ୍ନାୟୁବିଜ୍ଞାନୀମାନଙ୍କ ପାଖରେ ଏମିତି କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ ଯାହାଦ୍ବାରା ଏହା ପ୍ରମାଣିତ ହୋଇପାରିବ କରୋନା ଭାଇରସ୍ର ଗୋଟିଏ ଷ୍ଟ୍ରେନ୍ ଅନ୍ୟ ତୁଳନାରେ ଅଧିକ ମାରାତ୍ମକ ହୋଇପାରିବ ।
ସେ ଆହୁରି କହିଛନ୍ତି ଯେ, ୧୦ ହଜାରରୁ ଅଧିକ ଜିନୋମ ଉପଲବ୍ଧ ରହିଛି ଏବଂ ମୋ ପାଖରେ ଶେଷ ଗଣନା ନାହିଁ । ବିଭିନ୍ନ ଦେଶରେ ମିଳିଥିବା ଭାଇରସ୍ରେ କୌଣସି ପାର୍ଥକ୍ୟ ନାହିଁ ଯାହା ପ୍ରମାଣିତ କରେ ଯେ ସେମାନେ (କୋଭିଡ୍ -୧୯) ସଂକ୍ରମଣ କ୍ଷମତା ଅଥବା ଲୋକଙ୍କୁ ଗୁରୁତର ଭାବେ ଅସୁସ୍ଥ କରିବାର କ୍ଷମତା ଦୃଷ୍ଟିରୁ ଭିନ୍ନ ଆଚରଣ କରଥାନ୍ତି ।
କୋଭିଡ୍-୧୯ ମ୍ୟୁଟେସନ ହିସାବରେ ‘ଅପେକ୍ଷାକୃତ ସ୍ଥିର’ ଅଟେ । ଭାଇରସ୍ର କିଛି ପରିବର୍ତ୍ତନ ଘଟିଥାଏ ଯାହା କୌଣସି ଭାଇରସ୍ଠାରେ ଦେଖାଯାଏ । କିନ୍ତୁ ଏହି ପରିବର୍ତ୍ତନଗୁଡିକ ଆଶା କରାଯାଉଥିବା ସୀମା ମଧ୍ୟରେ ଅଛି ।
ଏହା ପୂର୍ବରୁ ଗୁଜୁରାଟ ଏବଂ ମଧ୍ୟପ୍ରଦେଶର ବିଶେଷଜ୍ଞମାନେ ନିଜ ନିଜ ରାଜ୍ୟର କେତେକ ଅଞ୍ଚଳରେ ସଂକ୍ରମଣର ଗମ୍ଭୀରତାକୁ ଭାଇରସ୍ର ମାରାତ୍ମକ ଷ୍ଟ୍ରେନ୍ ସହିତ ଯୋଡିଥିଲେ ଯାହାକୁ ସେମାନେ ଏଲ୍-ଟାଇପ୍ ଷ୍ଟ୍ରେନ୍ ବୋଲି ବର୍ଣ୍ଣନା କରିଥିଲେ । ଗୁଜୁରାଟ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ସି.ଜି. ଜୋଶୀ କହିଛନ୍ତି ଯେ, କରୋନା ଭାଇରସ୍ ରୋଗୀଙ୍କ ମୃତ୍ୟୁହାର ଅଧିକ ହେତୁ ସେଠାରେ ଏଲ୍-ଟାଇପ୍ ଷ୍ଟ୍ରେନ୍ ପ୍ରଭାବଶାଳୀ ଅଟେ । ଉହାନରେ ଏହି ଷ୍ଟ୍ରେନ୍ ଅଧିକ ବ୍ୟାପକ ହୋଇଥିଲା ।
ଗୁଜୁରାଟରେ ମୁଖ୍ୟ ସ୍ବାସ୍ଥ୍ୟ ସଚିବ ଜୟନ୍ତୀ ରବି ମଧ୍ୟ ଯୋଶୀଙ୍କ ସିଦ୍ଧାନ୍ତକୁ ଅନୁମୋଦନ କରିଛନ୍ତି । ଇନ୍ଦୋରର ଏମଜିଏମ ମେଡିକାଲ କଲେଜର ଡିନ୍ ଡକ୍ଟର ଜ୍ୟୋତି ବିନ୍ଦଲ ମଧ୍ୟ ସମାନ ମତ ଦେଇଛନ୍ତି । ଅଧିକ ଅନୁସନ୍ଧାନ ପାଇଁ ପୁଣେକୁ ନମୁନା ପଠାଯାଇଥିବା ସେ କହିଛନ୍ତି ।