ହସ୍ପିଟାଲ, ଶବଗୃହରେ ଦୟନୀୟ ସ୍ଥିତି: ରିପୋର୍ଟ କହୁଛି ଚାଇନାରେ ମୃତ୍ୟୁ ସଂଖ୍ୟା କମ୍!
28/12/2022 at 5:34 PM

ନୂଆଦିଲ୍ଲୀ, ୨୮/୧୨: ଚୀନରେ କରୋନା ସ୍ଥିତି ଉତ୍କଟ ହେବାରେ ଲାଗିଛି। ନିକଟରେ ଚାଇନା ତିନି ବର୍ଷ ଧରି ଲାଗୁ ରହିଥିବା ଏହାର କଠୋର ଜିରୋ କୋଭିଡ୍ କଟକଣାରେ କୋହଳ କରିଥିଲା। ଯାହାପରେ ଦେଶରେ କରୋନା ବିସ୍ଫୋରଣ ଦେଖିବାକୁ ମିଳିଛି। ଆଉ ଏବେ ଏହା ଫଳରେ ଅନେକ ଅସୁବିଧା ଉପୁଜିଛି। ଦେଶରେ ହସ୍ପିଟାଲରେ ମୃତଦେହ ରଖିବାକୁ ମଧ୍ୟ ସ୍ଥାନ ନାହିଁ। ଏମିତିକି ଶବଗୃହ ଆଗରେ ଲମ୍ବା ଧାଡ଼ି ମଧ୍ୟ ଦେଖିବାକୁ ମିଳିଛି।
ସଦ୍ୟ ତଥ୍ୟ ଅନୁଯାୟୀ, ବୁଧବାରେ ଚୀନରେ ହସ୍ପିଟାଲ ଏବଂ ଶବଗୃହ ଗୁଡ଼ିକରେ ଦେଖିବାକୁ ମିଳିଛି ବିକଟ ସ୍ଥିତି। ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ କୋଭିଡ-୧୯ ସଂକ୍ରମଣ ବଢ଼ିବା ଏବଂ ଏହା ସହ ଲଢ଼ିବା ପାଇଁ ସମ୍ବଳର ଅଭାବ ଦେଖାଦେଇଛି। ବିଶେଷଜ୍ଞମାନେ ଭୂତାଣୁ ଦ୍ବାରା ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେବାର ସମ୍ଭାବନା ରହିଛି।
ସେପଟେ କିନ୍ତୁ ଚାଇନାର ନାସନାଲ ହେଲଥ୍ କମିଶନ (ଏନଏଚସି) ଘୋଷଣା କରିଛି ଯେ ଦୈନିକ ଡାଟା ପ୍ରକାଶ କରାଯିବ ନାହିଁ ଏବଂ ଏହା ସହ ଲଗାତାର ୭ ଦିନ ଧରି କୌଣସି ମୃତ୍ୟୁ ହୋଇନଥିବା କହିଛି। ଯାହାକୁ ନେଇ ଅନ୍ତର୍ଜାତୀୟ ସମୁଦାୟ ପ୍ରଶ୍ନ ଉଠାଇଛି। ମଙ୍ଗଳବାର ଚୀନରେ ୩ ନୂଆ କୋଭିଡ୍ ମୃତ୍ୟୁ ରେକର୍ଡ ହୋଇଛି। କିନ୍ତୁ ଏହା ଅନ୍ତିମ ସଂସ୍କାର କରାଯାଉଥିବା ଶବଗୃହର ତଥ୍ୟ ସହ ସମାନ ହେଉନାହିଁ। ଶବଗୃହ ଗୁଡ଼ିକରେ ପ୍ରତିଦିନ ୨୦୦ ଶବଦାହ କରାଯାଉଛି ଏହା ପୂର୍ବରୁ ପ୍ରତିଦିନ ୪୦-୫୦ ଶବଦାହ ହେଉଥିଲା। ହସ୍ପିଟାଲ ଗୁଡ଼ିକରେ ମଧ୍ୟ ବେଡ୍ ଅଭାବ ରହିଛି।
ସେପଟେ ଚୀନରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ଅନେକ ଦେଶ କଡ଼ା ପ୍ରତିବନ୍ଧକ ଲଗାଇଛନ୍ତି। ଚାଇନାରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖାଯାଇଛି ତଥା କଟକଣା ଲଗାଯାଇଛି। ଜାପାନ ମାଲେସିଆ ଏବଂ ଭାରତ କୋଭିଡ୍ ପ୍ରତିବନ୍ଧକ ଲଗାଇଛନ୍ତି।