ଚୀନ୍ରେ କାଳ ପାଲଟିଛି କରୋନା, କେବଳ ଗତ ସପ୍ତାହରେ ମରିଛନ୍ତି ୧୩ ହଜାର ଲୋକ, ବିଶେଷଜ୍ଞ କହିଲେ ରଚିବ ବିନାଶ
22/01/2023 at 7:54 PM

ବେଜିଂ ୨୨।୧: ଚୀନ୍ରେ କରୋନାର ପ୍ରକୋପ ଜାରି ରହିଛି। ଦେଶର ୮୦ ପ୍ରତିଶତ ଜନସଂଖ୍ୟା କରୋନାରେ ସଂକ୍ରମିତ ହେଲେଣି, ତଥାପି ସଂକ୍ରମଣ ଜାରି ରହିଛି। ଦେଶରେ ଜିରୋ କୋଭିଡ ନୀତି ହଟାଯିବା ପରଠାରୁ ଚୀନ୍ରେ କୋଭିଡକୁ ନେଇ ହା ହାକାର ସୃଷ୍ଟି ହୋଇଛି। ଏଥିରେ ଚୀନ୍ ଚମକାଇବା ଭଳି ତଥ୍ୟ ଜାରି କରିଛି। ଚୀନ୍ ସୂଚନା ଅନୁସାରେ ୧୩ରୁ ୧୯ ଜାନୁୟାରୀ ମଧ୍ୟରେ ବିଭିନ୍ନ ହସ୍ପିଟାଲରେ ୧୩ ହଜାର ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ତେବେ ଏବା ପୂର୍ବ ସପ୍ତାହରେ ଦେଶରେ କୋଭିଡ ସଂକ୍ରମଣ ଯୋଗୁ ୧୨ ଜାନୁୟାରୀର ସମାପ୍ତ ସପ୍ତାହ ସୁଦ୍ଧା ୬୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଚୀନ୍ ସୂଚିତ କରିଥିଲା।

ଚୀନ୍ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନ (ସିଡିସି) ଶନିବାର ଏକ ବୟାନରେ ହସ୍ପିଟାଲରେ ଭର୍ତ୍ତି ୬୮୧ ରୋଗୀଙ୍କ ମୃତ୍ୟୁ କରୋନା ସଂକ୍ରମଣ ଯୋଗୁ ହୋଇଥିବା କୁହାଯାଇଛି। ଏହି ରୋଗୀମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଭୋଗୁଥିଲେ। ତେବେ ୧୧ ହଜାର ୯୭୭ ରୋଗୀଙ୍କ ମୃତ୍ୟୁ ଗତ ୭ ଦିନ ମଧ୍ୟରେ ହୋଇଛି ବୋଲି ଏଥିରେ କୁହାଯାଇଛି। ତେବେ ଏହି ତଥ୍ୟରେ ହସ୍ପିଟାଲକୁ ନ ଆସି ଘରେ ପ୍ରାଣ ହରାଇଥିବା ଲୋକଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ।

ଉପୁଜିଥିବା ପରିସ୍ଥିତିରେ ଏକ ସଂସ୍ଥା ଅନୁମାନ କରିଛି ଯେ ଦେଶରେ ଲୁନାର ନ୍ୟୁ ଇୟର ଲିଭ କାଳରେ ଚୀନ୍ରେ ଦୈନିକ କୋରନାରେ ହଜାର ହଜାର ଲୋକେ ପ୍ରାଣ ହରାଇବେ। ଅର୍ଥାତ ଚୀନ୍ରେ ଏବେବି କରୋନା ଭାଇରସ ମହାମାରୀ ବିନାଶ ରଚିବ ବୋଲି ଆକଳନ କରାଯାଉଛି। ଏହି ସଂସ୍ଥା ଏହା ମଧ୍ୟ କହିଛି ଯେ ଗତ ଡିସେମ୍ବରରେ ଦେଶରୁ ଜିରୋ କୋଭିଡ ପଲିସି ହଟାଇ ଦିଆଯିବା ଯୋଗୁ ଏପର୍ଯ୍ୟନ୍ତ ୬ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଏଥିରେ ଚୀନ୍ ସିଡିସିଙ୍କ ମୁଖ୍ୟ ମହାମାରୀ ବୈଜ୍ଞାନିକ ଭୁ ଜୁନୟୋ କହିଛନ୍ତି ଯେ ଚୀନ୍ ନବବର୍ଷ ଛୁଟି କାଳରେ ଲୋକେ ବହୁ ସଂଖ୍ୟାରେ ଟ୍ରାଭେଲ କରିବେ, ଏଣୁ ମହାମାରୀ ଆହୁରି ବ୍ୟାପିବ ।