କରୋନା ଭୟ: ବିମାନବନ୍ଦରରେ ଆରମ୍ଭ ହେଲା ବିଦେଶୀଙ୍କ ସାମ୍ପଲିଂ, କୋଭିଡ ପ୍ରୋଟକଲ ପାଳନ ଲାଗି ଜନତାଙ୍କୁ ନିବେଦନ

Published By : Prameya-News7 Bureau | December 22, 2022 IST

ନୂଆଦିଲ୍ଲୀ ୨୨।୧୨: ଚୀନ୍‌ରେ ବ୍ୟାପୁଥିବା କରୋନା ସଂକ୍ରମଣକୁ ନେଇ ସାରା ଦୁନିଆ ପୁଣି ଥରେ ସତର୍କ ହୋଇଛି। ଚୀନ୍‌ରେ ଏବେ ବିଏଫ.୭ ନାମକ କୋଭିଡ ସବ୍ ଭାରିଏଣ୍ଟ ପ୍ରକୋପ କରୁଛି। ଦେଶରେ ସଂକ୍ରମଣ ଯୋଗୁ ଉପୁଜିଥିବା ପରିସ୍ଥିତିକୁ ଚୀନ୍‌ କମ୍ କରି ଦେଖାଉଛି, ହେଲେ ଆସୁଥିବା ଚିତ୍ର ବେଶ ଭୟାବହ। ଭାରତରେ ବୁଧବାର କିଛି ବିଏଫ.୭ ସବ୍ ଭାରିଏଣ୍ଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପରଠାରୁ ଭାରତ ସରକାର ସକ୍ରିୟ ହୋଇ ଉଠିଥିବା ବେଳେ ଦେଶରେ ପୁରୁଣା କୋଭିଡ ପ୍ରୋଟକଲକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଏ ବାବଦେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଗୁରୁବାର ସଂସଦରେ ଜବାବ ରଖିଛନ୍ତି। କହିଛନ୍ତି ଯେ ସାରା ବିଶ୍ୱରେ ପୁଣି ଥରେ କୋଭିଡ ପ୍ରକୋପ କରୁଛି। ତେବେ ଗତ ୧ ବର୍ଷ ହେଲା ଭାରତରେ କୋଭିଡ-୧୯ ମାମଲା କମ୍‌ ରେକର୍ଡ ହେଉଛି। ସେ କହିଛନ୍ତି ଯେ ବର୍ତ୍ତମାନ ସମୟରେ ସାରା ଦେଶରେ ଦୈନିକ କରୋନା ସଂକ୍ରମଣର ୧୫୩ ଟି ମାମଲା ରେକର୍ଡ ହେଉଛି। ଏହା ତୁଳନାରେ ପୁରା ବିଶ୍ୱରେ ଏବେ ଦୈନିକ ୫.୮୭ ଲକ୍ଷ ନୂଆ କେସ୍‌ ସାମ୍ନାକୁ ଆସୁଛି ।     

{"id":724180,"sizeSlug":"full","linkDestination":"none"}

ଜାପାନ, ଦକ୍ଷିଣକୋରିଆ, ଆମେରିକା, ଫ୍ରାନ୍ସ, ଗ୍ରୀସ୍ ଓ ଇଟାଲୀ ଆଦି ଦେଶମାନଙ୍କରେ ଏହି ଭୂତାଣୁ ସଂକ୍ରମଣ ମାମଲା ବହୁତ ଅଧିକ। ସେହିପରି ଏହା ଯୋଗୁ ହେଉଥିବା ମୃତ୍ୟୁ ସଂଖ୍ୟା  ମଧ୍ୟ ଢେର ଅଧିକ ବୋଲି କହିଛନ୍ତି। ଏଣୁ ଭାରତ ସରକାର ପରିସ୍ଥିତି ଉପରେ ନଜର ରଖିଥିବା ଓ ସେହି ଅନୁସାରେ ପ୍ରସ୍ତୁତି କରିଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଗୃହକୁ ସୂଚିତ କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ନାଗରିକଙ୍କୁ ଭେକ୍ସିନ ଉପଲବ୍ଧ କରାଇଛନ୍ତି। ଫଳରେ ୨୨୦.୨ କୋଟି ଟିକା ଦେଶରେ ଲାଗିସାରିଛି।

ସେହିପରି ୨୨.୩ କୋଟି ଜନସଂଖ୍ୟାକୁ ପ୍ରିଭେଣ୍ଟିଭ ଡୋଜ ଦିଆଯାଇଥିବା କହିଛନ୍ତି। ଏହା ଛଡା ଆଗକୁ ଆସୁଥିବା ଉତ୍ସବ ଓ ନୂଆ ବର୍ଷକୁ ନଜରରେ ରଖି ରାଜ୍ୟ ସରକାର ଓ ସାଧାରଣ ନାଗରିକଙ୍କୁ କୋଭିଡ ପ୍ରୋଟକଲ ପାଳନ କରିବାକୁ ନିବେଦନ କରାଯାଇଛି। ଏଥିରେ ମାସ୍କ ପିନ୍ଧିବା, ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବା ଓ ଭିଡରୁ ଦୂରେଇ ରହିବାକୁ ଲୋକଙ୍କୁ ସତର୍କ କରାଯାଇଛି। ସେହିପରି ଗୁରୁବାର ଠାରୁ ଦେଶର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କ କୋଭିଡ ଆରଟି-ପିସିଆର ରାଣ୍ଡୋମ ସାମ୍ପଲିଂ ଆରମ୍ଭ କରିଦିଆଯାଇଥିବା କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ବୈଶ୍ୱିକ ମହାମାରୀ ଏପର୍ଯ୍ୟନ୍ତ ସମାପ୍ତ ହୋଇ ନାହିଁ ଏହା ବିରୋଧରେ ଆମକୁ ସାମୂହିକ ଲଢେଇ ଜାରି ରଖିବାକୁ ହେବ। 

{"id":724182,"width":837,"height":478,"sizeSlug":"full","linkDestination":"none"}

ଏହା ଛଡା କୋଭିଡକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନୀତି ଆୟୋଗ ସଦସ୍ୟ ଭି.କେ. ପାଲଙ୍କ ଏକ ଭିଡିଓ ଟ୍ୱିଟ୍‌ କରିଛନ୍ତି। ଯେଉଁଥିରେ ସେ ଲୋକଙ୍କୁ ଆତଙ୍କିତ ନ ହେବା ଲାଗି କହିଛନ୍ତି। କାରଣ ଭାରତ ଏବେବି ସୁରକ୍ଷିତ ଜୋନରେ ରହିଛି। ହେଲେ ବି ଏବେ ଶୀତ ଦିନ ହୋଇଥିବାରୁ ଥଣ୍ଡା ଓ କାସ ହୋଇପାରେ। ଏଣୁ ଲୋକଙ୍କୁ ସେମାନଙ୍କର ଯାଞ୍ଚ କରାଇ ନେବା ଜରୁରୀ ବୋଲି କହିଛନ୍ତି। କାରଣ ହୁଏତ ଏହା କରୋନା ଭାଇରସ ହୋଇଥାଇପାରେ ଅଥବା ଇନଫ୍ଲୁଏଞ୍ଜା ଭଳି ଅନ୍ୟ କୌଣସି ଭାଇରସ ଏଣୁ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ଉପୁଜିଥିବା ପରିସ୍ଥିତିରେ ଲୋକଙ୍କୁ କୋଭିଡ ପ୍ରୋଟକଲ ପାଳନ କରିବା ସହ ବୟସ୍କ ଲୋକଙ୍କ ଖାସ୍ ଧ୍ୟାନ ରଖିବାକୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.