ଦ୍ଵିତୀୟ ପର୍ଯ୍ୟାୟରେ କରୋନା ଲଢେଇ, ଗାଁ-ଗାଁ ଓ ଘର-ଘର ହେବ ଯାଞ୍ଚ, ପଞ୍ଚାୟତଠୁ ନେଇ ଥାନା ଅଞ୍ଚଳ ପର୍ଯ୍ୟନ୍ତ ଘୋଷିତ ହେବ କଣ୍ଟେନମେଣ୍ଟ ଜୋନ୍

Published By : Prameya-News7 Bureau | May 01, 2020 IST

ନୂଆଦିଲ୍ଲୀ ୦୧।୦୫: କରୋନା ଭାଇରସ୍‌ ବିରୋଧୀ ଲଢେଇ ଏବେ ଦ୍ଵିତୀୟ ପର୍ଯ୍ୟାୟରେ ପହଞ୍ଚିଛି। କେନ୍ଦ୍ର ସରକାର ଆଗାମୀ ସମୟର ଲଢେଇ ପାଇଁ ରୂପରେଖା ମଧ୍ୟ ପ୍ରସ୍ତୁତ କରି ନେଇଛନ୍ତି ଯାହାର ଏକ ଝଲକ ଆଜି ପ୍ରେସ୍ କନଫରେନ୍ସରେ ଦେଖିବାକୁ ମିଳିଛି। ଆଗାମୀ ପର୍ଯ୍ୟାୟ ରଣନୀତି ଆଧାରରେ ଛୋଟ ସହର, ଟାଉନ୍ ଏବଂ ଗାଁ ଭିତରେ ସମ୍ଭାବିତ ସଂକ୍ରମିତଙ୍କ ଚିହ୍ନଟ କରି ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଟ୍ରେସ୍ କରି ସେମାନଙ୍କ ଚିକିତ୍ସା ପର୍ଯ୍ୟନ୍ତ କଡାକଡି ବ୍ୟବସ୍ଥା କରାଯିବ। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ଵାଲ ଏହାର ସୂଚନା ଦେଇ କହିଛନ୍ତି ଯେ, ଏବେ ଗାଁ ଗାଁରେ କଣ୍ଟେନମେଣ୍ଟ ଜୋନ୍‌ର ଚିହ୍ନଟ କରାଯିବ ଏବଂ  ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇ ଘର ଘର ଯାଞ୍ଚ କରାଯିବ।

{"id":263126,"sizeSlug":"large"}

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କହିଛନ୍ତି, ଏବେ ଲଢେଇରେ ଭାଇରସ୍‌ର ଶୃଙ୍ଖଳକୁ ଭାଙ୍ଗିବାକୁ ପଡିବ। ଏଥିପାଇଁ ସମସ୍ତ ସମ୍ଭାବିତ ସଂକ୍ରମିତ ଏବଂ ତାଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି, ସେମାନେଙ୍କ ସନ୍ଧାନ କରାଯାଇ ଅଭିଯାନ ଆରମ୍ଭ କରାଯିବ। କୋଭିଡ୍-୧୯ ରୋଗୀ କେଉଁ କେଉଁ ଅଞ୍ଚଳରେ ଅଛନ୍ତି, ତାର ବିଶ୍ଳେଷଣ କରାଯିବ। ଉତ୍ତମ ରଣନୀତି ପ୍ରସ୍ତୁତ କରି ଯେଉଁଠୁ କେସ୍‌ ଆସୁଛି, ସେଠାରେ କଣ୍ଟେନମେଣ୍ଟ ଜୋନ୍ ଘୋଷିତ କରାଯିବ। ଏଥିରେ କୌଣସି ବି ଆବାସୀୟ କଲୋନୀ, ମୋହଲ୍ଲା, ନଗରପାଳିକା ଓ୍ଵାର୍ଡ, ପୋଲିସ ଷ୍ଟେସନ ଏରିଆ, ନିଗମ କ୍ଷେତ୍ର କିମ୍ବା ପୂରା ସହର ଆସିପାରେ।

ଗାଁ ପାଇଁ ପ୍ରସ୍ତୁତ ରଣନୀତି ବିଷୟରେ ସେ କହିଛନ୍ତି ଯେ, ଗ୍ରାମାଞ୍ଚଳ କ୍ଷେତ୍ରରେ କୌଣସି ଗାଁ କିମ୍ବା କିଛି ଗାଁର ସମୂହ, ଥାନା କ୍ଷେତ୍ର, ଗ୍ରାମ ପଞ୍ଚାୟତ କିମ୍ବା ପ୍ରଖଣ୍ଡ, ଏହି ପରି ଇଲାକାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷିତ କରିବାକୁ ପଡିବ। ଏହା ସହିତ ପ୍ରତି କଣ୍ଟେନମେଣ୍ଟ ଜୋନ୍‌ରେ ଏକ ବଫର ଜୋନ୍ ମଧ୍ୟ କରିବାକୁ ପଡିବ ଯଦ୍ଵାରା ଅଞ୍ଚଳର ଗତିବିଧି ଏବଂ ଆବଶ୍ୟକ ଦିଗ ପ୍ରତି  ନଜର ରଖାଯାଇ ପାରିବ। ବଫର ଜୋନ୍‌ରେ ସବୁ ପ୍ରକାରର ସ୍ଵାସ୍ଥ୍ୟ ସୁବିଧା ସୁନିଶ୍ଚିତ କରାଯିବ।

{"id":263128,"sizeSlug":"large"}

ଅଗ୍ରଓ୍ଵାଲ କହିଛନ୍ତି ଭାଇରସ୍‌ ସଂକ୍ରମଣକୁ ରୋକିବା ଲାଗି ଏବଂ ସଂକ୍ରମିତଙ୍କ ଚିହ୍ନଟ ପାଇଁ କଠୋର ମାନଦଣ୍ଡ ଲାଗୁ କରିବା ସହିତ ସ୍ଵତନ୍ତ୍ର ଟିମ୍‌ ଗଠନ କରିବାକୁ ପଡିବ, ଯେଉଁମାନେ କଣ୍ଟେନମେଣ୍ଟ ଜୋନ୍‌ରେ ଘର ଘର ଯାଇ ଯାଞ୍ଚ କରିବେ। ସ୍ଵତନ୍ତ୍ର ଟିମ୍ ସମସ୍ତଙ୍କ କେସ୍ ସକ୍ରିୟତାର ସହ ଯାଞ୍ଚ କରିବେ। ସେମାନଙ୍କର ନଜର ଇନଫ୍ଲୁଏଞ୍ଜା ପରି ରୋଗୀ ଏବଂ ଶ୍ଵାସ ସମ୍ବନ୍ଧିତ ଗମ୍ଭୀର ରୋଗର ଲକ୍ଷଣ ଦେଖାଯାଉଥିବା ଲୋକଙ୍କ ଚିହ୍ନଟ କରିବା, ନମୂନା ସଂଗ୍ରହ କରିବା, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟ୍ରେସ କରିବା ଏବଂ ସେମାନଙ୍କର ଚିକିତ୍ସା ଆରମ୍ଭ କରିବା ଆଦି ଉପରେ ରହିବ।

କେନ୍ଦ୍ରୀୟ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ କୋଭିଡ୍-୧୯ର ମୋଟ୍ ସଂକ୍ରମିତ ସଂଖ୍ୟା ୩୫,୦୪୩ ରହିଛି। ସେଥିରେ ୨୫,୦୦୭ ଲୋକଙ୍କ ଚିକିତ୍ସା ଜାରି ରହିଥିବା ବେଳେ ୮୮୮୯ ରୋଗୀ ସୁସ୍ଥ  ହୋଇ ସାରିଛନ୍ତି। ଅଗ୍ରଓ୍ଵାଲ କହିଛନ୍ତି ଗତ ୨୪ ଘଣ୍ଟାରେ ୧୯୯୩ ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.