ବଢିଲା କରୋନା ଚିନ୍ତା, ଏବେ ସଂକ୍ରମଣ ଦ୍ବିଗୁଣ ହେବାକୁ ଲାଗୁଛି ୧୦.୨ ଦିନ

Published By : Prameya-News7 Bureau | May 08, 2020 IST

ନୂଆଦିଲ୍ଲୀ ୮|୫: ଦେଶରେ ବଢି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦେଢ ମାସ ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଯେତିକି ବଢିନଥିଲା ମେ’ ମାସର ପ୍ରଥମ ସପ୍ତାହରେ ତାକୁ ବଳିଗଲା । ମେ’ ମାସ ଆରମ୍ଭରୁ ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ଅପ୍ରେଲ ୩୦ ପର୍ଯ୍ୟନ୍ତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାରରେ ପହଞ୍ଚିଥିବା ବେଳେ ମେ’ ମାସ ପ୍ରଥମ ୭ ଦିନ ମଧ୍ୟରେ ୨୩ ହଜାର ନୂଆ ମାମଲା ସାମ୍ନାକୁ ଆସିଛି।

ଅପ୍ରେଲ ୩୦ ସୁଦ୍ଧା ଦେଶରେ କରୋନା ଯୋଗୁଁ ୧୦୭୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ସୁଦ୍ଧା ଏହି ସଂଖ୍ୟା ୧୮୮୬ରେ ପହଞ୍ଚିଗଲାଣି । ସପ୍ତାହକ ମଧ୍ୟରେ ୮ ଶହରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ସେହିପରି ଅପ୍ରେଲ ସୁଦ୍ଧା ୮ ହଜାର ଲୋକ ସୁସ୍ଥ ହୋଇଥିବା ବେଳେ ଆଜି ସୁଦ୍ଧା ୧୬ ହଜାର ଲୋକ ଅଧିକ ଲୋକ ସୁସ୍ଥ ହୋଇଛନ୍ତି । ଭାରତରେ ଏବେ ୧୦.୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ବଢୁଛି। ମହାରାଷ୍ଟ୍ର, ଗୁଜରାଟ ଓ ଦିଲ୍ଲୀରେ ହୁହୁ ହୋଇ ବଢୁଛନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ।

ତେବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, ଭାରତରେ କରୋନା ମୃତ୍ୟୁ ହାର ବିଶ୍ବର ଅନ୍ୟ ଦେଶ ତୁଳନାରେ କମ୍ ରହିଛି । ଦେଶର ମୋଟ୍ କରୋନା  ମଧ୍ୟରୁ ୧.୧ ପ୍ରତିଶତ ଭେଣ୍ଟିଲେଟରରେ ଅଛନ୍ତି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ପାଖାପାଖି ପହଞ୍ଚିଗଲାଣି । ଗୁଜରାଟରେ ୭ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଦିଲ୍ଲୀରେ ୫ ହଜାର ୯ ଶହରୁ ଅଧିକ ତାମିଲନାଡୁରେ ୫ ହଜାର ୪ ଶହରୁ ଅଧିକ ଆକ୍ରାନ୍ତ ଅଛନ୍ତି । ପଶ୍ଚିମବଙ୍ଗରେ ୧୫୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.