ଦିନିକିଆ ସଂକ୍ରମଣରେ ରେକର୍ଡ ଭାଙ୍ଗିଲା କରୋନା, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ୧୨,୫୯୧ ନୂଆ କେସ୍, ବର୍ଷର ଏ ପର୍ଯ୍ୟନ୍ତ ସର୍ବାଧିକ
20/04/2023 at 2:17 PM

ନୂଆଦିଲ୍ଲୀ ୨୦।୪: ଦେଶରେ ପ୍ରକୋପ କରୁଛି କରୋନା। ଲଗାତାର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହା ଛଡ଼ା ମୃତ୍ୟୁ ହାର ମଧ୍ୟ ବଢ଼ି ବଢ଼ି ଚାଲିଛି। ସାରା ଦେଶରେ ଗତ ୨୪ ଘଣ୍ଟାରେ କରୋନା ଭାଇରସ ସଂକ୍ରମଣର ୧୨ହଜାର ୫୯୧ ନୂଆ ମାମଲା ସାମ୍ନାକୁ ଆସିଛି। ଯାହା ବର୍ଷର ଏ ପର୍ଯ୍ୟନ୍ତ ସବୁଠୁ ଅଧିକ ସଂକ୍ରମଣ ବୋଲି କୁହାଯାଉଛି। ଏହି ସମୟରେ ସଂକ୍ରମିତ ୨୯ ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ତାଜା ତଥ୍ୟ ଅନୁସାରେ ଏହି ସମୟରେ ଡେଲି ପଜିଟିଭିଟି ହାର ୫.୪୬ ପ୍ରତିଶତ ଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ୫.୩୨ ପ୍ରତିଶତ ରହିଛି।
ଦେଶରେ ଏବେ ସକ୍ରିୟ ମାମଲା ସଂଖ୍ୟା ୬୫,୨୮୬ ଓ ସକ୍ରିୟତା ହାର ୦.୧୫ ପ୍ରତିଶତ। ଏହି ସମୟରେ ସୁସ୍ଥତା ହାର ୯୮.୬୭ ପ୍ରତିଶତ ଥିବା ବେଳେ ଗତ ୨୪ ଘଣ୍ଟାରେ ୧୦,୮୨୭ ଜଣ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥତା ସଂଖ୍ୟା ୪,୪୨,୬୧,୪୭୬କୁ ପହଞ୍ଚିଛି। ଦେଶରେ କରୋନା ସଂକ୍ରମଣ ବଢିବା ସହ ଟେଷ୍ଟିଂ ମଧ୍ୟ ବଢିଛି। ଗତ ୨୪ ଘଣ୍ଟାରେ ୨,୩୦,୪୧୯ ଜଣଙ୍କ କରୋନା ପରୀକ୍ଷଣ ହୋଇଥିବା ବେଳେ ଫଳରେ ମୋଟ କରୋନା ପରୀକ୍ଷଣ ସଂଖ୍ୟା ୯୨.୪୮ କୋଟିକୁ ପହଞ୍ଚିଛି।

କରୋନାରେ ରାଜଧାନୀ ଦିଲ୍ଲୀର ଅବସ୍ଥା ବେଳକୁ ବେଳ ଖରାପ ହେବାରେ ଲାଗିଛି। ଫଳରେ କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ମଧ୍ୟ ବଢିଛି, କାରଣ କରୋନା ଯୋଗୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଦିଲ୍ଲୀରେ କରୋନା ଯୋଗୁ ଆହୁରି ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧,୭୬୭ଟି ନୂଆ ମାମଲା ରେକର୍ଡ ହୋଇଛି। ଦିଲ୍ଲୀରେ ପଜିଟିଭିଟି ହାର ଏବେ ୨୮.୬୩ ପ୍ରତିଶତ ରହିଛି। ଦେଶରେ ମହାମାରୀ ପ୍ରକୋପ ପରଠାରୁ ପ୍ରଥମ ଥର ଜାନୁୟାରୀ ୧୬ ତାରିଖରେ ଦିଲ୍ଲୀରେ କରୋନା ମାମଲା ସଂଖ୍ୟା ଶୂନ୍ୟ ହୋଇଯାଇଥିଲା।
କରୋନା ସବ ଭାରିଆଣ୍ଟ ଏକ୍ସବିବି.୧.୧୬ ଯୋଗୁ ସଂକ୍ରମଣ ବଢୁଥିବା ଡାକ୍ତର କହିଛନ୍ତି। କାରଣ କରୋନାର ଏହି ଭାରିଆଣ୍ଟ ଲୋକଙ୍କୁ ଦ୍ରୁତ ସଂକ୍ରମିତ କରୁଛି। ତେବେ ଏଥି ଯୋଗୁ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ଡାକ୍ତର କହିଛନ୍ତି। ଲୋକେ ଘରୁ ବାହାରକୁ ବାହାରିଲେ ମାସ୍କ ନିଶ୍ଚିତ ପିନ୍ଧନ୍ତୁ ଓ କୋଭିଡ ଅନୁରୂପ ବ୍ୟବହାର କରନ୍ତୁ। ଏହା ଛଡା ଡାକ୍ତର ଲୋକଙ୍କୁ ବୁଷ୍ଟର ସଟସ୍ ନେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।