ନିର୍ଦୟୀ ମା': ନବଜାତ ଶିଶୁକୁ ହସ୍ପିଟାଲରେ ଛାଡି କରୋନା ପଜିଟିଭ ମହିଳା ଫେରାର, ସଂକ୍ରମଣ ବ୍ୟାପିବା ଆଶଙ୍କା

Published By : Prameya-News7 Bureau | August 17, 2020 IST

ନୂଆଦିଲ୍ଲୀ ୧୭/୦୮ : ଦେଶର ରାଜଧାନୀ ଦିଲ୍ଲୀରୁ ଏକ ବଡ ଖବର ସାମ୍ନାକୁ ଆସିଛି | ହିନ୍ଦୁ ରାଓ ହସ୍ପିଟାଲରୁ କରୋନା ପଜିଟିଭ ମହିଳା ନିଜର ନବଜାତ ଶିଶୁକୁ ଛାଡି ଫେରାର ହୋଇଯାଇଛନ୍ତି | ମହିଳା ଫେରାର ହେବାପରେ ହସ୍ପିଟାଲ ପ୍ରଶାସନ ଚିନ୍ତାରେ ପଡିଯାଇଛନ୍ତି | ଟହନୀୟ ଥାନା ପୋଲିସ ଅଭିଯୁକ୍ତ ମହିଳାଙ୍କ ବିରୋଧରେ ମାମଲା ରୁଜ୍ଜୁ କରି ମହିଳାଙ୍କୁ ଖୋଜୁଛି | ହସ୍ପିଟାଲ କର୍ମଚାରୀ ନବଜାତ ଶିଶୁର ଦେଖରେଖ କରୁଛନ୍ତି | ମହିଳା ଜଣକ ବିହାର ଔରଙ୍ଗବାଦ ଜିଲ୍ଲାର ବୋଲି କୁହାଯାଉଛି |

ଜଣେ ବରିଷ୍ଠ ଡାକ୍ତର କହିଛନ୍ତି ଯେ, ନବଜାତ ଶିଶୁ ସୁସ୍ଥ ଅଛି ଏବଂ ଶିଶୁର ସ୍ୱାସ୍ଥ୍ୟ ସ୍ଥିର ରହିଛି | ନବଜାତ ଶିଶୁର ପ୍ରଥମ କରୋନା ରିପୋର୍ଟ ନେଗେଟିଭ ଆସିଛି | ଶିଶୁର ଦ୍ୱିତୀୟ ନମୁନା ଯାଞ୍ଚ ପାଇଁ ଲ୍ୟାବକୁ ପଠାଯାଇଛି ବୋଲି ଡାକ୍ତର କହିଛନ୍ତି | ଯଦି ଦ୍ୱିତୀୟ ଯାଞ୍ଚ ରିପୋର୍ଟ ନେଗେଟିଭ ଆସେ ତାହେଲେ ଶିଶୁକୁ ପୋଲିସକୁ ହସ୍ତାନ୍ତର କରିଦିଆଯିବା ବୋଲି ଡାକ୍ତର କହିଛନ୍ତି | କାରଣ ଶିଶୁକୁ ନେବା ପାଇଁ ଅନ୍ୟ କେହି ଆସିନାହାନ୍ତି |

ସୂଚନା ଅନୁଯାୟୀ, ଗର୍ଭବତୀ ମହିଳାଙ୍କୁ ଅଗଷ୍ଟ ୯ ତାରିଖରେ ଉତ୍ତର ଦିଲ୍ଲୀ ନଗର ନିଗମ ଦ୍ୱାରା ସଞ୍ଚାଳିତ କସ୍ତୁରବା ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ସେଠାରେ ମହିଳା ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଥିଲେ | କିନ୍ତୁ ମହିଳାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା | ଏହାପରେ ସମସ୍ତ ଆବଶ୍ୟକୀୟ ପ୍ରୋଟୋକଲ ପାଳନ କରି ଅଗଷ୍ଟ ୧୧ ତାରିଖରେ ମହିଳାଙ୍କୁ ହିନ୍ଦୁ ରାଓ ହସ୍ପିଟାଲର କୋଭିଡ-୧୯ ୱାର୍ଡ ପଠାଯାଇଥିଲା | କିନ୍ତୁ ମହିଳା ଜଣକ ସେଠାରେ ନିଜ ନବଜାତ ଶିଶୁକୁ ଛାଡି ଫେରାର ହୋଇଯାଇଛନ୍ତି | ବର୍ତ୍ତମାନ ମହିଳାଙ୍କ ଦ୍ୱାରା ସଂକ୍ରମଣ ବ୍ୟାପିବାର ଆଶଙ୍କା କରାଯାଉଛି |

ମିଡ଼ିଆ ରିପୋର୍ଟ ଅନୁଯାୟୀ, ନିଗମର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସବଜି ମଣ୍ଡି ପୋଲିସ ଷ୍ଟେସନରେ ଏକ ପ୍ରାଥମିକ ରିପୋର୍ଟ ରୁଜ୍ଜୁ କରାଯାଇଛି | ପୋଲିସ ମହିଳାଙ୍କ ସମ୍ପର୍କୀୟଙ୍କୁ ସମ୍ପର୍କ କରିବାକୁ ଚେଷ୍ଟା କରୁଛି | ମହିଳାଙ୍କ ସ୍ୱାମୀ ସହ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସମ୍ପର୍କ ହୋଇପାରିନାହିଁ | ତେବେ ମହିଳାଙ୍କୁ ଖୋଜିବାକୁ ଦିଲ୍ଲୀର ଏକ ସମ୍ଭାବ୍ୟ ଠିକଣାରେ ପୋଲିସ ଚଢ଼ାଉ କରିବ | ମହିଳା ହସ୍ପିଟାଲରେ ଯେଉଁ ନମ୍ବରରେ ଦେଇଥିଲେ ସେ ନମ୍ବର ମଧ୍ୟ ବନ୍ଦ ରହିଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.