କାୟା ମେଲେଇ ଚାଲିଛି କରୋନା : ଦେଶରେ ମୃତ୍ୟୁ ସଂଖ୍ୟା ୨୦ ! ସଂକ୍ରମିତଙ୍କ ସଂଖ୍ୟା ୭୦୦ ଟପିଲା
27/03/2020 at 2:20 PM

ନୂଆଦିଲ୍ଲୀ ୨୭।୩: କରୋନା ଭାଇରସ୍ ଯୋଗୁଁ ଗୁରୁବାର ଦିନ ସାରା ଦେଶରେ ମୋଟ୍ ୭ ଜଣଙ୍କର ମୃତ୍ୟୁ ଘଟିଛି । ଯାହାକି ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ । ବେସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୃତ୍ୟୁ ସଂଖ୍ୟା ୨୦ରେ ପହଞ୍ଚିଛି । ଅନ୍ୟପଟେ ଦିଲ୍ଲୀରେ ଆଉ ୪ ଜଣଙ୍କ ସମେତ ୭୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟଗୁଡିକର ରିପୋର୍ଟ ଅନୁଯାୟୀ, ଭାରତରେ କରୋନୋ ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ଅତିକ୍ରମ କରି, ବର୍ତ୍ତମାନ ସୁଦ୍ଧା ୭୨୭ରେ ପହଞ୍ଚିଛି । ଅନ୍ୟପକ୍ଷରେ, ସମଗ୍ର ବିଶ୍ବରେ ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୩୧ ହଜାରରୁ ଅଧିକ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୨୪ ହଜାରରୁ ଅଧିକ ରହିଛି । ୧ ଲକ୍ଷ ୨୩ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି ।
ତେବେ ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ମୋଟ୍ ମୃତ୍ୟୁ ସଂଖ୍ୟା ୧୬ ଥିବାବେଳେ ଆଉ ୮୮ଜଣ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତ ଲୋକଙ୍କ ସଂଖ୍ୟା ୬୯୪ରେ ପହଞ୍ଚିଥିବା କହୁଛି ସରକାରୀ ରିପୋର୍ଟ । ମୁମ୍ବାଇରେ ଦୁଇ ଜଣଙ୍କୁ (ଉଭୟ ୬୫ ବର୍ଷ ବୟସ୍କା ମହିଳା) ଏଥିରେ ମିଶାଯାଇ ନାହିଁ | ଏହା ବ୍ୟତୀତ ଜାମ୍ମୁ କାଶ୍ମୀରର ସୋପୋରରୁ ଜଣେ ୬୫ ବର୍ଷ ବୟସ୍କ ବ୍ୟବସାୟୀ ଏବଂ ରାଜସ୍ଥାନର ଭିଲୱାରା ସହରର ୭୩ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି ।
ତେବେ ବୃଦ୍ଧାବସ୍ଥାରେ ଏହି ସଂକ୍ରମଣ ମୃତ୍ୟୁ ସଂଖ୍ୟା ଅଧିକ ରହିଛି | ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ଏ ନେଇ କହିଛନ୍ତି, ରୋଗୀ ମଧୁମେହ, କିଡନୀ ରୋଗ ଏବଂ ଷ୍ଟ୍ରୋକରେ ପୀଡିତ ଥିଲେ।