କରୋନା ବଦଳାଇଛି ଉପଭୋକ୍ତାଙ୍କ ଅଭ୍ୟାସ, ସୌଖୀନ ସାମଗ୍ରୀ ବଦଳେ କିଣୁଛନ୍ତି ଜରୁରି ସାମଗ୍ରୀ: Nestle India
30/08/2020 at 6:57 PM

ନୂଆଦିଲ୍ଲୀ ୩୦।୮: କୋଭିଡ-୧୯ ମହାମାରୀ ଦେଶରେ ଗ୍ରାହକଙ୍କ ବ୍ୟବହାରରେ ବିଶାଳ ପରିବର୍ତ୍ତନ ଆଣିଛି। ଏହା କହିଛନ୍ତି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କର୍ତା ନେସ୍ଲେ ଇଣ୍ଡିଆଙ୍କ ଅଧ୍ୟକ୍ଷ ସୁରେଶ ନାରାୟଣ। ଲୋକେ ଏବେ ଆଗପରି ଆଉ ସୌଖିନ ସାମଗ୍ରୀ କିଣିବାକୁ ପସନ୍ଦ କରୁନଥିବା ସେ କହିଛନ୍ତି। ତେବେ ଜରୁରି ସାମଗ୍ରୀ କ୍ରୟ ବଢାଇଛନ୍ତି। କରୋନା ଭାଇରସ ସଂକଟ ଯୋଗୁ ସୃଷ୍ଟି ହୋଇଥିବା ଆର୍ଥିକ ବ୍ୟବଧାନ ଲୋକଙ୍କୁ ବୁଝି ବିଚାରି ଖର୍ଚ୍ଚ କରିବାକୁ ବାଧ୍ୟ କରୁଥିବା ନାରାୟଣ କହିଛନ୍ତି।

ଆଗରୁ ଗ୍ରାହକ କ୍ରୟ କରୁଥିବା ସମଗ୍ରୀର ଗୁଣମାନ ପ୍ରତି ଏତେଟା ଧ୍ୟାନ ଦେଉ ନଥିଲେ। ହେଲେ ଏବେ କିଣାକିଣି ବେଳେ ପ୍ରତ୍ୟେକ ସାମଗ୍ରୀର ମାନ, ସୁରକ୍ଷା ଓ ପୋଷଣ ତତ୍ୱ ସମ୍ପର୍କରେ ଭଲ ଭାବେ ବୁଝିବା ପରେ କିଣୁଛନ୍ତି। ଉପୁଜିଥିବା ଅନିଶ୍ଚିତତାର ପରିବେଶରେ ଗ୍ରାହକ କେବଳ ସେହିସବୁ ବ୍ରାଣ୍ଡ ଉପରେ ନିର୍ଭର କରୁଛନ୍ତି ଯାହା ପୂର୍ବରୁ ପରୀକ୍ଷିତ। କୋଭିଡ-୧୯ ମହାମାରୀ ଯୋଗୁ ଉପୁଜିଥିବା ଆର୍ଥିକ ସଂକଟ ଯୋଗୁ ଲୋକଙ୍କ ଖର୍ଚ୍ଚରେ ମଧ୍ୟ ବିଶାଳ ପରିବର୍ତ୍ତନ ଆସିଥିବା ନାରାୟଣ କହିଛନ୍ତି।

ଏହି ପରିବର୍ତ୍ତନରେ ଗ୍ରାହକ ଇ-କମର୍ସ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଲକଡାଉନ୍ ପୂର୍ବରୁ ଲୋକେ ଏପରି କାରବାର ଉପରେ ଏତେଟା ଭରସା କରୁନଥିଲେ। ହେଲେ ଏବେ ଏହି ସବୁ ସାଇଟ ଓ ଆପ୍ ଉପରେ ଅଧିକ ନିର୍ଭରଶୀଳ ହୋଇପଡିଛନ୍ତି। ଏଥିରେ ଇ-କମର୍ସ ବାଣିଜ୍ୟ କଥା ଦେଖିଲେ ଆମେରିକାରେ ଗତ ୮ ବର୍ଷରେ ଏପରି କାରବାର ଯେତିକି ଅଗ୍ରଗତି ନ କରିଛି ଭାରତରେ ଲକଡାଉନର ୮ ସପ୍ତାହରେ ତାଠରୁ ଅଧିକ ପ୍ରଗତି ହାସଲ କରିପାରିଥିବା ନାରାୟଣ କହିଛନ୍ତି।

ଏଥିରେ ଉପୁଜିଥିବା ପରିସ୍ଥିତିରେ ନେସ୍ଲେ ମଧ୍ୟ ଗ୍ରାହକଙ୍କ ସହ ସଂଯୁକ୍ତ ହେବା ଲାଗି ଉଦ୍ୟମ ଜାରି ରଖିଛି। ଗ୍ରାହକଙ୍କ ବ୍ୟବହାରରେ ପରିବର୍ତ୍ତନ ଯୋଗୁ ପ୍ରତ୍ୟେକ ବ୍ୟବସାୟ ଏବେ ନିଜକୁ ନୂଆ କରି ପ୍ରସ୍ତୁତ କରିବାରେ ଲାଗିଲେଣି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସଂକଟର ଏହି କ୍ଷଣରେ କେହି ବି ହେଲେ ଉପଭୋକ୍ତାଙ୍କ ଠାରୁ ନିଜକୁ ପୃଥକ କରିବାକୁ ଚାହିଁବେନି ନିଶ୍ଚିତ । ଏଣୁ ସବୁ ବିଷୟକୁ ସମସ୍ତେ ନୂଆ କରି ଦେଖିବା ଆରମ୍ଭ କଲେଣି ବୋଲି ନାରାୟଣ କହିଛନ୍ତି।