କରୋନା ଭାଇରସରୁ ସୁରକ୍ଷା ଦେବ କୋଭାକ୍ସିନର ବୁଷ୍ଟର ଡୋଜ, ନିରାପଦ ସହ ପ୍ରଭାବୀ କହିଲା ଭାରତ ବାୟୋଟେକ୍
8/01/2022 at 9:56 PM

ନୂଆଦିଲ୍ଲୀ ୦୮/୦୧: ଦେଶରେ କରୋନା ନୂଆ ପ୍ରଜାତି ଓମିକ୍ରନ ବ୍ୟାପିବା ସହ ସଂକ୍ରମଣ ମାମଲାରେ ବି ଲଗାତାର ବୃଦ୍ଧି ଘଟୁଛି। ଏପରି କି ମାତ୍ର କିଛି ଦିନ ଭିତରେ ଦେଶରେ ଚିହ୍ନଟ ଦୈନିକ କରୋନା ମାମଲା ଏକ ଲକ୍ଷ ଅତିକ୍ରମ କରିଛି । ତେବେ ଏହାରି ଭିତରେ ଏକ ଆଶ୍ୱସ୍ତିର ଖବର ସାମ୍ନାକୁ ଆସିଛି । ସ୍ୱଦେଶୀ ଟିକା କୋଭାକ୍ସିନ ଦେଖାଇଛି ବଡ ଆଶା । କୋଭାକ୍ସିନର ବୁଷ୍ଟର ଡୋଜ କରୋନା ଭାଇରସରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁରକ୍ଷା ଦେବ ବୋଲି ଟିକା ନିର୍ମାତା କମ୍ପାନି ଭାରତ ବାୟୋଟେକ୍ ପକ୍ଷରୁ କୁହାଯାଇଛି ।
କୋଭାକ୍ସିନର ବୁଷ୍ଟର ଡୋଜ ବିନା କୌଣସି ପ୍ରତିକୂଳ ଘଟଣାରେ ଦୀର୍ଘକାଳିନ ସୁରକ୍ଷା ପ୍ରଦାନ କରୁଥିବା ଭାରତ ବାୟୋଟେକ ପକ୍ଷରୁ ଦାବି କରାଯାଇଛି। କମ୍ପାନି ପକ୍ଷରୁ କୁହାଯାଇଛି, ଯେଉଁ ସ୍ୱେଚ୍ଛାସେବୀଙ୍କୁ କୋଭାକ୍ସିନର ବୁଷ୍ଟର ଡୋଜ ଦିଆଯାଇଛି, ସେଥିରୁ ୯୦ ପ୍ରତିଶତଙ୍କ ନିକଟରେ ୱାଇଲ୍ଡ ଟାଇପ୍ ପ୍ରଜାତିରୁ ସୁରକ୍ଷା ଦେବା ପାଇଁ ଆଣ୍ଟିବଡ଼ି ସୃଷ୍ଟି ହୋଇଛି । ଏହାସହ ବୁଷ୍ଟର ଡୋଜ ନେଇଥିବା କୌଣସି ସ୍ୱେଚ୍ଛାସେବୀଙ୍କ ନିକଟରେ କୌଣସି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇନାହିଁ । କରୋନା ଭାଇରସ ବିରୁଦ୍ଧରେ ଏହା ଏକ ବଡ ସଫଳତା ବୋଲି କମ୍ପାନୀ ଦାବି କରିଛି ।