ଖୋଲିଲା କୋର୍ଟ, ଭିଡିଓ କନଫରେନ୍ସିଂରେ ହାଜର ହେବେ ଅଭିଯୁକ୍ତ

Published By : Prameya-News7 Bureau | August 24, 2020 IST

ଭୁବନେଶ୍ବର ୨୪।୮: ଆଜିଠୁ ସମ୍ପୂର୍ଣ୍ଣ ରୂପେ ଖୋଲିଲା କୋର୍ଟ। ପୂର୍ବଭଳି ସ୍ବାଭାବିକ ହେବ ନ୍ୟାୟିକ ବ୍ୟବସ୍ଥା। କୋର୍ଟରେ ଟ୍ରାଏଲ୍‌ ଚାଲିବ । ସିଭିଲ୍‌ ମାମଲାର ଶୁଣାଣି କରାଯିବ। ମହକିଲମାନେ ନ୍ୟାୟିକ ପ୍ରକ୍ରିୟାର ସୁବିଧା ପାଇପାରିବେ ।

କରୋନା କଟକଣାର ଛାଟ କୋର୍ଟରେ ପଡି଼ଥିଲା । ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ପ୍ରହାରରେ ଭୁବନେଶ୍ୱରର ସମସ୍ତ କୋର୍ଟ ପ୍ରାୟ ୫ ମାସ ଧରି ବନ୍ଦ ପଡିଥିଲା । କେବଳ ଅଭିଯୁକ୍ତଙ୍କ କୋର୍ଟ ଚାଲାଣ ଓ ଜାମିନ୍‌ ପ୍ରକ୍ରିୟା ସହ ଅନ୍ୟ କିଛି ନିର୍ଦ୍ଧିଷ୍ଟ କାମ ପାଇଁ କୋର୍ଟ ଦ୍ୱାର ଖୋଲାଯାଉଥିଲା । ତାହା ପୁଣି ସକାଳ ୧୦ଟାରୁ ଦିନ ୧ଟା ଯାଏଁ କାମ ଚାଲୁଥିଲା । ଏଥିଯୋଗୁଁ ଲକ୍ଷାଧିକ ମାମଲା ପଡି ରହିଥିଲା । କୋର୍ଟ ସଂକ୍ରାନ୍ତୀୟ କାର୍ଯ୍ୟ ଏକରକମର ଠପ୍‌ ହୋଇଯାଇଥିଲା ।

ଏନେଇ ଗତ ୨୧ ତାରିଖରେ ହାଇକୋର୍ଟ ଏକ ନିର୍ଦ୍ଦେଶମାନା ଜାରି କରିଥିଲେ । ସକାଳ ୧୦ଟା ୩୦ ମିନିଟ୍‌ରୁ ସନ୍ଧ୍ୟା ୫ଟା ଯାଏଁ ସମସ୍ତ କୋର୍ଟ ଓ ଦପ୍ତର ଖୋଲାରହିବ । ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ନିୟମ ମୁତାବକ, କେବଳ ସପ୍ତାହନ୍ତ ସଟ୍‌ଡାଉନ୍‌ ବେଳେ କୋର୍ଟକୁ ବନ୍ଦ କରାଯିବ । ଶନିବାର ଓ ରବିବାର କେବଳ ଜରୁରୀ ମାମଲାଗୁଡିକ ପାଇଁ କୋର୍ଟ ୧୦ଟା ୩୦ ମିନିଟ୍‌ରୁ ଦିନ ୧ଟା ଯାଏଁ ଖୋଲିବ ।

କରୋନା ସଙ୍କଟ ଯୋଗୁଁ ଭର୍ଚୁଆଲ ମୋଡରେ ଅଧିକାଂଶ ମାମଲା ଆଗେଇବାକୁ ନିର୍ଦ୍ଦେଶ ମିଳିଛି । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସାକ୍ଷ୍ୟ ପ୍ରମାଣ ରେକର୍ଡିଂ, ସିଭିଲ୍‌ ମାମଲାର ଟ୍ରାଏଲ୍‌, ପୁରୁଣା ମାମଲାର ଶୁଣାଣି କରିବାକୁ କୁହାଯାଇଛି । ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଇବାଠାରୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ସେମାନଙ୍କୁ କୋର୍ଟରେ ଉପସ୍ଥିତ କରାଯାଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.