ନୂଆଦିଲ୍ଲୀ ୪।୧୧: କୁସ୍ତି ସଂଘରେ ମହିଳା ରେସ୍ଲରମାନଙ୍କ ପ୍ରତି ଯୌନ ଶୋଷଣ ମାମଲାରେ ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟ ସୋମବାର ଶୁଣାଣି କରିଛନ୍ତି। ଶୁଣାଣି କାଳରେ ଉପସ୍ଥିତ ନଥିବାରୁ କୋର୍ଟ ଜଣେ ପୀଡ଼ିତାଙ୍କୁ ସମନ ଜାରି କରିବା ସହ ନଭେମ୍ବର ୧୪ ସୁଦ୍ଧା ପ୍ରମାଣ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ପୀଡ଼ିତାଙ୍କୁ ପୂର୍ବରୁ ମଧ୍ୟ ସମନ ଜାରି କରାଯାଇଥିଲା। ତେବେ କୋର୍ଟରେ ଉପସ୍ଥିତ ପୀଡ଼ିତାଙ୍କ ଓକିଲ ସେ ଏବେ ଦେଶରେ ନଥିବା କହିଥିଲେ।
ପୀଡ଼ିତାଙ୍କ ଓକିଲ କହିଛନ୍ତି ଯେ ଆଗାମୀ ମାସରେ ସେ ଏକ ଚାମ୍ପିୟନସିପରେ ସାମିଲ ହେବା ପାଇଁ ଦେଶରୁ ବାହାରକୁ ଯାଇଛନ୍ତି। ସେ ଆଗାମୀ ୨ ମାସ ପର୍ଯ୍ୟନ୍ତ ଦେଶରୁ ବାହାରେ ରହିବେ। ଏହା ଉପରେ ଦିଲ୍ଲୀ ପୋଲିସ କୋର୍ଟଙ୍କୁ ସମନ ଜାରିକରିବା ପାଇଁ ନିବେଦନ କରିଥିଲା। କୋର୍ଟ ପୋଲିସର ଦାବିକୁ ସ୍ୱୀକାର କରିବା ସହ ପୀଡ଼ିତାଙ୍କୁ ନଭେମ୍ବର ୧୪ ସୁଧା କୋର୍ଟରେ ତାଙ୍କ ବୟାନ ରେକର୍ଡ କରିବାକୁ କହିଛନ୍ତି।
କୋର୍ଟରେ ଶୁଣାଣି କାଳରେ ବୃଜଭୂଷଣ ସରଣ ସିଂହଙ୍କ ଓକିଲ ଏ କଥାକୁ ବିରୋଧ କରିଥିଲେ ଯେ ଯେଉଁ ମହିଳା ରେସ୍ଲର ଏହି ଅଭିଯୋଗ କରିଛନ୍ତି ସେ ବୃଜଭୂଷଣ ସିଂହଙ୍କ ସାମ୍ନାରେ କୋର୍ଟରେ ବାୟନ ଦେବା ଦରକାର। ଯଦି ସେପରି ନ ହୋଇ ପାରୁଛି ତେବେ ବୃଜ ଭୂଷଣଙ୍କ ଓକିଲଙ୍କ ସମ୍ମୁଖରେ ବୟାନ ରେକର୍ଡ କରାଯାଉ। ଏହି ଅବସରରେ କୋର୍ଟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବୃଜଭୂଷଣ ସରଣ ସିଂହଙ୍କୁ ତାଙ୍କ ପାସପୋର୍ଟ ନବୀକରଣ ନିମନ୍ତେ ଅନୁମତି ଦେଇଛନ୍ତି। କୋର୍ଟଙ୍କ ଅନୁମତି ମିଳିବା ପରେ ବୃଜ ଭୂଷଣ ଏବେ ତାଙ୍କ ପାସପୋର୍ଟ ରିନ୍ୟୁ କରାଇ ପାରିବେ। କୋର୍ଟ ଏହି ମାମଲାର ଆଗାମୀ ଶୁଣାଣି ନିମନ୍ତେ ନଭେମ୍ବର ୧୪ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି।