୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଫାଶୀ ଦଣ୍ଡ: ମାତ୍ର ୬ ମାସରେ ଦଣ୍ଡ ଶୁଣାଇଲେ କୋର୍ଟ
21/02/2021 at 1:26 PM

ପାଟନା ୨୧/୦୨ : ବିହାର ଗୋପାଳଗଞ୍ଜରେ ୮ ବର୍ଷ ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି କୋର୍ଟ। ମାମଲା ଗୋପାଳଗଞ୍ଜ ଜିଲ୍ଲା ସିଦ୍ଧବଲିଆ ଥାନା ଅନ୍ତର୍ଗତ ବଖରୌର ଗାଁର। ୨୦୨୦ ଅଗଷ୍ଟ ୨୫ ତାରିଖରେ ୮ ବର୍ଷୀୟ ନିରୀହ ଶିଶୁର ଶବ ପଡିଶା ଘରୁ ଉଦ୍ଧାର ହୋଇଥିଲା। ପଡିସା ଘରୁ ଶିଶୁର ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଶିଶୁର ମୃତଦେହ ଅଭିଯୁକ୍ତ ଘରୁ ଏକ ବସ୍ତାରୁ ଉଦ୍ଧାର ହୋଇଥିଲା।
ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ପରେ ସ୍ୱାମୀସ୍ତ୍ରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ଅଭିଯୁକ୍ତକୁ ଖୋଜି ବାହାର କରିଥିଲା। ଘଟଣାର ୬ ମାସ ପରେ କୋର୍ଟ ଦୋଷୀକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି। ଗୋପାଳଗଞ୍ଜ ଜିଲ୍ଲା ନ୍ୟାୟାଧୀଶ ବାଳେନ୍ଦ୍ର ଶୁକ୍ଲା ପୋକ୍ସୋ ଆକ୍ଟ ଅନୁସାରେ ଉଭୟ ପକ୍ଷର ଦଲିଲ ଶୁଣିବା ପରେ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡ ଶୁଣାଇଛନ୍ତି।
ଅଗଷ୍ଟ ୨୫ ତାରିଖରେ ବଖରୌର ଗାଁରେ ୮ ବର୍ଷର ନିରୀହ ଶିଶୁକୁ ସେହି ଗାଁର ଜୟ କିଶୋର ଶାହ ଦୁଷ୍କର୍ମ କରିବା ପରେ ନିର୍ମମ ଭାବେ ହତ୍ୟା କରିଥିଲା। ହତ୍ୟା ପରେ ଶିଶୁର ମୃତଦେହକୁ ବସ୍ତାରେ ବାନ୍ଧି ଘରେ ପକାଇ ଦେଇଥିଲା ଓ ଫେରାର ହୋଇଯାଇଥିଲା। ପୋଲିସ ଘର ତାଲା ଭାଙ୍ଗି ଶିଶୁର ମୃତଦେହ ଜବତ କରିଥିଲା। ପୋଲିସ ତଦନ୍ତ ପରେ ମାମଲା ସାମ୍ନାକୁ ଆସିଥିଲା।