ଆଇଏଏସ ଅଧିକାରୀ ଏବଂ ପୂର୍ବତନ ବିଧାୟକଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ, ୨୦୨୧ର ଘଟଣା

Published By : Prameya-News7 Bureau | January 09, 2023 IST

ପାଟନା: ବିହାରର ଏକ କୋର୍ଟ ପାଟନା ପୋଲିସକୁ ଆଇଏଏସ ଅଧିକାରୀ ସଞ୍ଜୀବ ହଂସ ଏବଂ ପୂର୍ବତନ ଆରଜେଡି ବିଧାୟକ ଗୁଲାବ ଯାଦବଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦୁହିଁଙ୍କ ବିରୋଧରେ ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିବା ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀର ଏକ ହୋଟେଲରେ ହୋଇଥିବା ଏହି ଦୁଷ୍କର୍ମ ମାମଲା ୨୦୨୧ରେ ସାମନାକୁ ଆସିଥିଲା । ଆଇଏଏସ ଅଧିକାରୀ ସଞ୍ଜୀବ ହଂସ ଏବଂ ପୂର୍ବତନ ବିଧାୟକ ଗୁଲାବ ବନ୍ଧୁକ ମୁନରେ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

ପୀଡିତାଙ୍କ ପକ୍ଷରୁ ଦାଖଲ ଯାଚିକା ଉପରେ ଶୁଣାଣି କରି ଦାନାପୁର ସିଭିଲ କୋର୍ଟ ଜଜ ଦୁଇଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୧ ମସିହାରେ ମହିଳା ଜଣଙ୍କ ଏହି ଯାଚିକା ଦାଖଲ କରିଥିଲେ । ଏହାପରେ କୋର୍ଟ ପାଟନା ପୋଲିସକୁ ମାମଲାରେ ପ୍ରାଥମିକ ରିପୋର୍ଟ ଦେବାକୁ କହିଥିଲେ। ଏହାପରେ ବି ରିପୋର୍ଟ ପ୍ରସ୍ତୁତ କରାଯାଇ ନଥିଲା, ଫଳରେ କୋର୍ଟ ମାମଲାକୁ ଖାରଜ କରିଥିଲେ ।

ଏହାପରେ ପୀଡିତା ଏସିଜେଏମଙ୍କ ନିର୍ଦ୍ଦେଶକୁ ପାଟନା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ହାଇକୋର୍ଟ ମାମଲାରେ ପୁଣି ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ପାଟନା ପୋଲିସକୁ ପୀଡିତାର ଅଭିଯୋଗ ଉପରେ ତଦନ୍ତ କରି ରିପୋର୍ଟ ଏସିଜେଏମ ଦାନାପୁର କୋର୍ଟରେ ଉପସ୍ଥାପନ କରିବାକୁ କହିଥିଲେ । କୋର୍ଟ ଏହି ମାମଲାରେ ପୋଲିସର ଉଦାସୀନତା ଉପରେ ପ୍ରଶ୍ନ କରିଥିଲେ ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଦାନାପୁର କୋର୍ଟରେ ପୁଣି ଥରେ ଶୁଣାଣି ହୋଇଥିଲା । ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଥିଲା ଯେ ଅଧିକାରୀ ସଞ୍ଜୀବ ହଂସ ଏବଂ ଗୁଲାବ ଯାଦବ ପୀଡିତ ମହିଳାଙ୍କ ସହ ଦିଲ୍ଲୀର ଏକ ହୋଟେଲରେ ରହିଥିଲେ । ପୀଡିତା ଅଭିଯୋଗ କରିଥିଲେ ଯେ ବିଧାୟକ ଗୁଲାବ ଯାଦବ ତାଙ୍କୁ ମହିଳା ଆୟୋଗର ସଦସ୍ୟ କରାଇବା ପ୍ରଲୋଭନ ଦେଇଥିଲେ । ପରେ ବିଧାୟକ ତାଙ୍କୁ ପାଟନା ରୁକନପୁରା ସ୍ଥିତି ନିଜ ଘରକୁ ଡାକି ଥିଲେ । ଏହି ସମୟରେ ବିଧାୟକ ତାଙ୍କ ସହ ଦୁଷ୍କର୍ମ କରିଥିଲେ ଏବଂ ଭିଡିଓ କରିଥିଲେ । ପରେ ବିଧାୟକ ତାଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କରିଥିଲେ ।

ମହିଳାଙ୍କ ଅଭିଯୋଗ, ଗୁଲାବ ଯାଦବ ଭିଡିଓ ଭାଇରାଲ କରାଇବା ଭୟ ଦେଖାଇ ତାଙ୍କୁ ବ୍ଲାକମେଲ କରିଥିଲେ ଏବଂ ଦିଲ୍ଲୀର ଏକ ହୋଟେଲକୁ ଡାକିଥିଲେ। ସେଠାରେ ଆଇଏଏସ ଅଧିକାରୀ ସଞ୍ଜୀବ ହଂସ ମଧ୍ୟ ଉପସ୍ଥିତ ରହିଥିଲେ । ଦୁହେଁ  ବନ୍ଧୁକ ମୁନରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.