ନୂଆଦିଲ୍ଲୀ ୧୭।୨: ଦିଲ୍ଲୀ ପାଟିଆଲା ହାଉସ୍ କୋର୍ଟ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅପରାଧୀଙ୍କୁ ଦଣ୍ଡିତ କରିବା ଲାଗି ସୋମବାର ସାନି ‘ଡେଥ୍ ୱାରେଣ୍ଟ’ ଜାରି କରିଛନ୍ତି। ଏହାକୁ ମିସାଇ କୋର୍ଟ ଏପର୍ଯ୍ୟନ୍ତ ୩ ଥର ୱାରେଣ୍ଟ ଜାରି କରିଥିବା ବେଳେ ପୂର୍ବ୨ ଥର ଯାକ ଦୋଷୀଙ୍କ ଆଇନଗତ ଉପଚାର ସରି ନଥିବାରୁ ଦଣ୍ଡ ଟଳିଛି। ହେଲେ ତୃତୀୟ ବାର ଜାରି ଡେଥ୍ ୱାରେଣ୍ଟ କାର୍ଯ୍ୟକାରୀ ହେବ କି ନା ସେ ନେଇ କିନ୍ତୁ ଏବେବି ଜାରି ରହିଛି ଅନିଶ୍ଚିତତା।
କୋର୍ଟଙ୍କ ପକ୍ଷରୁ ଜାରି ନୂଆ ୱାରେଣ୍ଟ ଅନୁସାରେ ମାର୍ଚ୍ଚ ୩ ତାରିଖ ପୂର୍ବାହ୍ନ ୬ଟା ବେଳେ ସେମାନଙ୍କୁ ଦଣ୍ଡିତ କରାଯିବାକୁ କୁହାଯାଇଛି। ହେଲେ ଅପରାଧୀଙ୍କ ନିକଟରେ ଏବେବି ଦୁଇଟି ବିକଳ୍ପ ବାକି ଅଛି। ଏଥିରେ ମାମଲାର ଅନ୍ୟତମ ଦୋଷୀ ପବନ ଅଗ୍ରୱାଲ ଏପର୍ଯ୍ୟନ୍ତ କୋର୍ଟଙ୍କୁ କ୍ୟୁରେଟିଭ ପିଟିସନ ଦେଇ ନଥିବା ବେଳେ ରାଷ୍ଟ୍ରପତିଙ୍କୁ କ୍ଷମାନିବେଦନ ବି କରିନି। ଏଣୁ ତା ଲାଗି ଦଣ୍ଡ ବିଳମ୍ବିତ ହେବାନେଇ ଏବେ ଆଶଙ୍କା ଉପୁଜିଥିବା ବେଳେ ଏବେ ଅକ୍ଷୟ ଲାଗି ପୁଣି ଥରେ ରାଷ୍ଟ୍ରପତିଙ୍କୁ କ୍ଷମା ନିବେଦନ କରାଯିବ ବୋଲି ତା ଓକିଲ ଏ.ପି. ସିଂହ କହିଛନ୍ତି।
ସୋମବାର କୋର୍ଟରେ ଦୋଷୀଙ୍କ ନିମନ୍ତେ ନୂଆ ଦଣ୍ଡ ତିଥି ନିର୍ଦ୍ଧାରିତ କରିବା ଲାଗି ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଶୁଣାଣି ହୋଇଥିଲା। ଏଥିରେ ସରକାରୀ ଓକିଲ ମାମଲାର ୩ ଅପରାଧୀ ଅକ୍ଷୟ, ବିନୟ ଓ ମୁକେଶଙ୍କ ଦୟା ନିବେଦନ ରାଷ୍ଟ୍ରପତିଙ୍କ ନିକଟରେ ଅଗ୍ରାହ୍ୟ ହୋଇଥିବା ବେଳେ କେବଳ ଜଣେମାତ୍ର ଦୋଷୀ ପବନ ଏପର୍ଯ୍ୟନ୍ତ ଆଇନରେ ଥିବା ବିକଳ୍ପର ଉପଯୋଗ କରି ନାହିଁ ବୋଲି କହିଥିଲେ। ସେହିପରି ଏଥିଲାଗି ପବନକୁ କୋର୍ଟ ୭ ଦିନ ସମୟ ଦେଇଥିବା ବେଳେ ତାହା ଗତ ଫେବୃଆରୀ ୧୧ ତାରିଖରେ ଶେଷ ହୋଇଛି। ଏଣୁ ଦୋଷୀ ୪ ଜଣଙ୍କର କୌଣସି ଆବେଦନ, ନିବେଦନ ଏବେ କୌଣସି କୋର୍ଟରେ ଲମ୍ବିତ ନଥିବାରୁ ସେମାନଙ୍କ ଲାଗି କୋର୍ଟ ନୂଆ ଦଣ୍ଡ ତିଥି ନିର୍ଦ୍ଧାରିତ କରିପାରିବେ ବୋଲି କହିଥିଲେ। ସେହି ଅନୁସାରେ ପାଟିଆଲା ହାଉସ୍ କୋର୍ଟ ମାର୍ଚ୍ଚ ୩ ତାରିଖକୁ ସେମାନଙ୍କ ନିମନ୍ତେ ଦଣ୍ଡ ଧାର୍ଯ୍ୟ କରିଦେଇଛନ୍ତି।
ତେବେ ଅପରାଧୀଙ୍କ ଓକିଲ ଏ.ପି. ସିଂହଙ୍କ ଅନୁସାରେ ଏବେବି ଦଣ୍ଡରୁ ବଞ୍ଚିବାଲାଗି ସେମାନଙ୍କ ନିକଟରେ ଅନେକ ବିକଳ୍ପ ରହିଛି। ଏଥିରୁ ଆଇନରେ ଥିବା ୨ଟି ବିକଳ୍ପ ସେମାନଙ୍କ ଦଣ୍ଡକୁ ପୁଣି ଟାଳିପାରେ। ଏଥିରେ ପବନର କ୍ୟୁରେଟିଭ ପିଟିସନ ଓ ରାଷ୍ଟ୍ରପତିଙ୍କୁ କ୍ଷମା ନିବେଦନ ସେମାନଙ୍କ ଦଣ୍ଡକୁ ଘୁଞ୍ଚାଇପାରେ ବୋଲି କହିଛନ୍ତି ସିଂହ। ପବନ ଯଦି ଏବେ କ୍ୟୁରେଟିଭ ପିଟିସନ ଫାଇଲ କରେ ତେବେ କୋର୍ଟ ତାକୁ ତୁରନ୍ତ ଅଗ୍ରାହ୍ୟ କରିପାରନ୍ତି ଅଥବା ହାତରେ ସମୟ ଥିବାରୁ ଶୁଣାଣିରେ ସାମାନ୍ୟ ବିଳମ୍ବ ବି ହୋଇପାରେ। ଯଦି ପବନ ଫେବୃଆରୀ ୨୯ ତାରିଖରେ କୋର୍ଟଙ୍କୁ ଦଣ୍ଡ ପୁନର୍ବିଚାର ନିବେଦନ କରେ ତେବେ ଦଣ୍ଡ ଟଲିବା ନିଶ୍ଚିତ।
ଫେବୃଆରୀ ୨୯ ଅଥବା ତା ପରେ କୌଣସି ଦିନ ଯଦି ସେ ପିଟିସନ ଫାଇଲ କରେ ତେବେ ଶୁଣାଣି ଲାଗି ସମୟ ନିଶ୍ଚିତ ଲାଗିବ ଓ କୋର୍ଟ ଦଣ୍ଡ ଉପରେ ରହିତାଦେଶ ନିଶ୍ଟିତ ଜାରି କରିବେ। ଏଥିରେ ଏବେ ଅକ୍ଷୟ ଲାଗି ପୁଣି ଥରେ ଉଦ୍ୟମ କରିବେ ବୋଲି କହିଛନ୍ତି ଓକିଲ ଏ.ପି.ସିଂହ। ତା ଲାଗି ରାଷ୍ଟ୍ରପତିଙ୍କ ନିକଟରେ ପୁଣି ଥରେ କ୍ଷମା ନିବେଦନ କରିବେ ବୋଲି କହିଛନ୍ତି। ପୂର୍ବରୁ ଅକ୍ଷୟ ଲାଗି ତରବରିଆ ଭାବେ ତା ପିତାମାତା କ୍ଷମା ନିବେଦନ କରିଥିଲେ। ଏଥିରେ ସେମାନେ ସମସ୍ତ ଦସ୍ତାବେଜ ଦେଇ ପାରିନଥିଲେ। ଏଣୁ ଏଥିନିମନ୍ତେ ପୁଣି କୋର୍ଟଙ୍କ ଶରଣାପନ୍ନ ହେବେ ବୋଲି କହିଛନ୍ତି ସିଂହ। ଯଦି କୋର୍ଟ ଅନୁମତି ଦିଅନ୍ତି ତେବେ ଅକ୍ଷୟଲାଗି କ୍ଷମାନିବେଦନ କରାଯିବ।
ସେହିପରି ପବନର ନୂଆ ଓକିଲ ରବି କାଜୀ ମଧ୍ୟ ତା ଲାଗି କୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି। ଏଥିଲାଗି ସେ କୋର୍ଟରେ ମଧ୍ୟ ନିବେଦନ କରିଥିବା କହିଛନ୍ତି। ଏଣୁ ପବନ ଓ ଅକ୍ଷୟ ଯଦି ପୁଣି କୋର୍ଟକୁ ମୋଡିଯିବେ ତେବେ ସେମାନଙ୍କ ଧାର୍ଯ୍ୟ ଦଣ୍ଡ ପୁଣି ବିଳମ୍ବିତ ହେବାର ଆଶଙ୍କା କରାଯାଉଛି।