୬ ବର୍ଷର ଝିଅ ସହିତ ଦୁଷ୍କର୍ମ: ମାତ୍ର ୨୭ ଦିନରେ କୋର୍ଟ ଶୁଣାଇଲେ ଫାଶୀ ଦଣ୍ଡ, ସୃଷ୍ଟି କଲେ ଉଦାହରଣ
3/03/2020 at 10:15 PM

ରାଞ୍ଚି ୦୩।୦୩- ଝାଡଖଣ୍ଡର ଏକ ସ୍ଥାନୀୟ ଅଦାଲତ ଦୁଷ୍କର୍ମ ମାମଲାରେ ସର୍ବୋତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛନ୍ତି। ଦୁମକା ଜିଲ୍ଲାର ସେସନ କୋର୍ଟ ଛଅ ବର୍ଷର ଏକ ନିଷ୍ପାପ ଝିଅ ସହିତ ଦୁଷ୍କର୍ମ ମାମଲାର ଶୁଣାଣି କରି କେବଳ ୨୭ ଦିନରେ ଶୁଣାଣି ପୂରା କରିଛନ୍ତି। ଦୁଷ୍କର୍ମ ଓ ହତ୍ୟାର ଏହି ମାମଲାରେ କୋର୍ଟ ପୀଡିତାଙ୍କ କକା ସମେତ ତିନି ଜଣ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ତିନି ଦୋଷୀ ପ୍ରଥମେ କୁନି ଝିଅର ସାମୂହିକ ଦୁଷ୍କର୍ମ କରିବା ପରେ ତାର ହତ୍ୟା କରିଥିଲେ। କେବଳ ଏତିକି ନୁହଁ ତିନି ଦୋଷୀ ଶିଶୁର ଶବକୁ ମଧ୍ୟ ପୋତି ଦେଇଥିଲେ।
ଦୁମକା ଜିଲ୍ଲା ସେସନ କୋର୍ଟର ଜଜ ତୌଫିକ ଉଲ ହସନ ଏହି ମାମଲାର ଶୁଣାଣି କରି ମଙ୍ଗଳବାର ରାୟ ଶୁଣାଇଛନ୍ତି। ପୀଡିତାଙ୍କ କକା ମିଟୁ ରାୟ ବ୍ୟତୀତ ପଙ୍କଜ ମୋହାଲୀ ଓ ଅଶୋକ ରାୟଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। କୋର୍ଟ ତିନି ଜଣଙ୍କୁ ଫାଶି ସଜା ଶୁଣାଇଛନ୍ତି। ଏହା ବ୍ୟତୀତ ତିନି ଜଣଙ୍କ ଉପରେ ୫୦-୫୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଲଗାଇଛନ୍ତି।
ସମସ୍ତ ଦୋଷୀଙ୍କ ବୟସ ୧୯ ରୁ ୨୬ ବର୍ଷ ମଧ୍ୟରେ ହେବ। ଏହି ତିନି ଜଣ ୨୦୨୦ ଫେବୃଆରୀ ୫ରେ କୁନି ଝିଅକୁ ମେଳା ଦେଖାଇବା ବାହାନାରେ ବାହାରକୁ ନେଇ ଦୁଷ୍କର୍ମ କରିଥିଲେ। ଶିଶୁଟି ଯେମିତି କାହାକୁ କିଛି ନକୁହେ ଏଥିପାଇଁ ତାର ବେକ ଚିପି ହତ୍ୟା କରିଥିଲେ ତିନି ଅପରାଧି ଏବଂ ଶବକୁ ପୋତି ଦେଇଥିଲେ। ମାମଲା ସେହି ସମୟରେ ସାମ୍ନାକୁ ଆସିଥିଲା, ଯେବେ ପୋଲିସ ଶିଶୁର ଶବକୁ ରାମଗଢ ଥାନା ଅନ୍ତର୍ଗତ ଇଲାକାରୁ ଜବତ କରିଥିଲା।