ନ୍ୟୁଜ୍‌କ୍ଲିକ୍‌ ମାମଲାରେ ପ୍ରବୀର ପୁରକାୟସ୍ଥଙ୍କୁ ମିଳୁନାହିଁ ଆଶ୍ୱସ୍ତି, ପୁଣି ୫ ଦିନ ନ୍ୟାୟିକ ହେପାଜତ ବଢ଼ାଇଲେ କୋର୍ଟ

Published By : Prameya-News7 Bureau | October 20, 2023 IST

ନୂଆଦିଲ୍ଲୀ: ନ୍ୟୁଜ୍‌କ୍ଲିକ୍ ସଂସ୍ଥାପକ ପ୍ରବୀର ପୁରକାୟସ୍ଥ ଏବଂ ଓ୍ବେବସାଇଟ୍‌ର ଏଚଆର ଅମିତ ଚକ୍ରବର୍ତ୍ତୀଙ୍କ ପାଇଁ ଅଡ଼ୁଆ କମିବାର ନାଁ ନେଉନାହିଁ । ଦିଲ୍ଲୀର ଏକ ଅଦାଲତ ‘ନ୍ୟୁଜ୍‌କ୍ଲିକ୍’ ମାମଲାରେ ପ୍ରବୀର ପୁରକାୟସ୍ଥ ଏବଂ ଅମିତ ଚକ୍ରବର୍ତ୍ତୀଙ୍କୁ ନ୍ୟାୟିକ ହେପାଜତକୁ ପାଞ୍ଚ ଦିନ ପାଇଁ ବଢ଼ାଇଛନ୍ତି । ଉଭୟଙ୍କୁ ଅବୈଧ ଗତିବିଧି ଆକ୍ଟ ଅନୁଯାୟୀ ଗିରଫ କରାଯାଇଛି। ଅଭିଯୋଗ ରହିଛି ଯେ, ଚୀନର ସମର୍ଥନ ପାଇଁ ନ୍ୟୁଜ୍‌କ୍ଲିକ୍‌ ପୋର୍ଟାଲକୁ ବିଦେଶରୁ ଟଙ୍କା ମିଳିଥିଲା।

ନ୍ୟାୟିକ ହେପାଜତ ଅବଧି ଶେଷ ହେବା ପରେ ଦିଲ୍ଲୀ ପୋଲିସ୍‌ ଶୁକ୍ରବାର ତାଙ୍କୁ ଅଦାଲତରେ ହାଜର କରିଥିଲା ଏବଂ ପ୍ରବୀରଙ୍କ ହେପାଜତ ଅବଧିକୁ ବଢ଼ାଇବା ପାଇଁ ଆବେଦନ କରିଥିଲା। ଯାହା ପରେ ଅତିରିକ୍ତ କୋର୍ଟ ବିଚାରପତି ହରଦୀପ କୌର ଏହି ଦିଲ୍ଲୀ ପୋଲିସ୍‌ ଅନୁରୋଧକୁ ମଞ୍ଜୁରୀ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍‌ ଅକ୍ଟୋବର ତିନିରେ ପୁରକାୟସ୍ଥ ଏବଂ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲେ।

ଆହୁରି ପଢ଼ନ୍ତୁ: ନ୍ୟୁଜ୍ କ୍ଲିକ୍‌ ବିରୋଧରେ ହୋଇଥିବା ମାମଲା ରଦ୍ଦ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ପ୍ରବୀର ପୁରକାୟସ୍ତ

ପ୍ରାଥମିକ ଅଭିଯୋଗ ରହିଛି ଯେ, ଭାରତର ସାର୍ବଭୌମତ୍ବକୁ କ୍ଷତି ପହଞ୍ଚାଇବା ଏବଂ ଦେଶରେ ଅସନ୍ତୋଷ ସୃଷ୍ଟି କରିବା ପାଇଁ ସମାଚାର ପୋର୍ଟାଲକୁ ଚୀନରୁ ବିପୁଳ ଅର୍ଥ ମିଳିଥିଲା। ଏଥିରେ ଏହା ମଧ୍ୟ ଅଭିଯୋଗ ହୋଇଥିଲା ୨୦୧୯ରେ ଲୋକସଭା ନିର୍ବାଚନ ପ୍ରକ୍ରିୟାକୁ କ୍ଷତି ପହଞ୍ଚାଇବା ପାଇଁ ପୁରକାୟସ୍ଥ ‘ପିପୁଲ୍ସ ଆଲାଏନ୍ସ ଫର ଡେମୋକ୍ରେସି ଆଣ୍ଡ୍‌ ସେକ୍ୟୁଲାରିଜିମ’ (ପିଏଡିଏସ) ଗ୍ରୁପ୍‌ ସହ ମିଶି ଷଡ଼ଯନ୍ତ୍ର ରଚିଥିଲେ।

ପୋଲିସ କହିଛି ଯେ, ପ୍ରାଥମିକ ତଦନ୍ତ ପରେ ସାମ୍ନାକୁ ଆସିଥିବା ସନ୍ଦିଗ୍ଧଙ୍କ ଉପରେ ଅକ୍ଟୋବର ୩ରେ ଦିଲ୍ଲୀରେ ୮୮ ଏବଂ ଅନ୍ୟ ରାଜ୍ୟରେ ସାତ ସ୍ଥାନରେ ରେଡ୍‌ ହୋଇଥିଲା। ନ୍ୟୁଜ୍‌କ୍ଲିକ୍‌ର କାର୍ଯ୍ୟାଳୟ ଏବଂ ସାମ୍ବାଦିକଙ୍କ ଆବାସରୁ ପ୍ରାୟ ୩୦୦ ଇଲେକ୍ଟ୍ରୋନିକ୍‌ ଉପକରଣ ଜବତ କରାଯାଇଥିଲା। ରେଡ୍‌ ପରେ ସ୍ବତନ୍ତ୍ର ସେଲ୍‌ ଦିଲ୍ଲୀ ଏବଂ ଏନସିଆରରେ ୯ଜଣ ମହିଳା ସାମ୍ବାଦିକଙ୍କ ସମେତ ୪୬ ଜଣକୁ ପଚରାଉଚରା କରିଥିଲା।

ଆହୁରି ପଢ଼ନ୍ତୁ: ନ୍ୟୁଜକ୍ଲିକ୍ ଫଣ୍ଡିଂ କେସ୍‌, ଗିରଫ ହେଲେ ସଂସ୍ଥାପକ ପ୍ରବୀର ପୁରକାୟସ୍ଥ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.