ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ମିଳିଲାନି ଆଶ୍ବସ୍ତି। ଜେଲରେ ହିଁ ରହିବେ ଅରବିନ୍ଦ କେଜରିଓ୍ବାଲ । ପୁଣି ବିଚାର ବିଭାଗୀୟ ହାଜତ ଅବଧି ବଢ଼ାଇଲେ କୋର୍ଟ। ସୂଚନା ଅନୁଯାୟୀ, ମଙ୍ଗଳବାର ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କ ବିଚାର ବିଭାଗୀୟ ହାଜତକୁ ମେ ୭ ପର୍ଯ୍ୟନ୍ତ ବଢ଼ାଇଛନ୍ତି କୋର୍ଟ।
ଏହା ସହ ଅବକାରୀ ନୀତି ଘୋଟାଲା ମାମଲାରେ କଥିତ ଅନ୍ୟ ଅଭିଯୁକ୍ତ ବିଆରଏସ ନେତ୍ରୀ କେ କବିତା ଓ ଚନପ୍ରୀତ ସିଂହଙ୍କ ବିଚାର ବିଭାଗୀୟ ହାଜତକୁ ମଧ୍ୟ ବଢ଼ାଇଛନ୍ତି କୋର୍ଟ। କେ କବିତାଙ୍କ ବିଚାର ବିଭାଗୀୟ ହାଜତ ମଧ୍ୟ ମେ ୭ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ, ଚନପ୍ରୀତ ସିଂହ ଏବଂ କେ କବିତା ଜେଲରୁ ଭର୍ଚୁଆଲ ମାଧ୍ୟମରେ ହାଜର ହୋଇଥିଲେ।
ଆହୁରି ପଢ଼ନ୍ତୁ:
ଗୋମାଂସ ଭକ୍ଷଣକୁ ପ୍ରୋତ୍ସାହନ ଅଭିଯୋଗରେ ଓୱେସୀଙ୍କ ବିରୋଧରେ ଇସିଙ୍କ ପାଖରେ ଫେରାଦ ହେଲେ ମାଧବୀ ଲତା
ଏହା ପୂର୍ବରୁ ଅରବିନ୍ଦ କେଜରିଓ୍ବାଲଙ୍କ ବିଚାର ବିଭାଗୀୟ ହାଜତ ଏପ୍ରିଲ ୨୩ ପର୍ଯ୍ୟନ୍ତ ବଢ଼ାଯାଇଥିଲା। ଆଉ ଏହି ଅବଧି ଶେଷ ହେବା ପରେ ତାଙ୍କୁ ମଙ୍ଗଳବାର ବିଚାରପତି କାବେରୀ ବାବେଜାଙ୍କ ଅଦାଲତରେ ହାଜର କରାଯାଇଥିଲା। ବିଚାରପତି ଏବେ କେଜରିଓ୍ବାଲଙ୍କ ବିଚାର ବିଭାଗୀୟ ହାଜତ ବଢ଼ାଯିବାକୁ ଆଦେଶ ଦେଇଛନ୍ତି। ସୂଚନାଥାଉକି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ନିଜ ଗିରଫଦାରୀ ଏବଂ ଜାମିନକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛନ୍ତି। ଏହି ମାମଲାରେ ଏପ୍ରିଲ ୨୯ରେ ଶୁଶାଣି ହେବ।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ତିହାର ଜେଲରେ ଅରବିନ୍ଦ କେଜରିଓ୍ବାଲଙ୍କ ସ୍ବାସ୍ଥ୍ୟକୁ ନେଇ ବେଶ୍ ହଙ୍ଗାମା ଦେଖିବାକୁ ମିଳିଥିଲା। ଆପ୍ ଅଭିଯୋଗ ଆଣିଥିଲା ଯେ, ଅରବିନ୍ଦ କେଜରିଓ୍ବାଲଙ୍କ ରକ୍ତ ସର୍କରା ସ୍ତର ବଢ଼ିଛି କିନ୍ତୁ ତିହାର ଜେଲ୍ ପ୍ରଶାସନ ତାଙ୍କୁ ଇନସୁଲିନ ଦେଉନାହିଁ। ଏମିତିକି ଆପ୍ ଏହା ମଧ୍ୟ କହିଥିଲା ଯେ, ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କ ମାରିବାକୁ ଉଦ୍ୟମ କରଯାଉଛି। ଯାହା ପରେ ମାମଲା କୋର୍ଟରେ ପହଞ୍ଚିଥିଲା।ଆଉ କୋର୍ଟ ମେଡିକାଲ ବୋର୍ଡ ଗଠନ କରିବାକୁ ଆଦେଶ ଦେବା ସହ ଚିକିତ୍ସା ପରେ କେଜରିଓ୍ବାଲଙ୍କୁ ଇନସୁଲିନ ଦେବାକୁ ପରାମର୍ଶ ଦେଇଥିଲେ। ଏହିକ୍ରମରେ ମଙ୍ଗଳବାର ଅରବିନ୍ଦ କେଜରିଓ୍ବାଲଙ୍କୁ ଜେଲରେ ଇନସୁଲିନ ଦିଆଯାଇଛି।