ଜ୍ଞାନବ୍ୟାପୀ ମସଜିଦରେ ପ୍ରବେଶ କରିବାକୁ ଦିଆଗଲାନି, ମେ ୯ ପର୍ଯ୍ୟନ୍ତ ଘୁଞ୍ଚିଲା ସର୍ଭେ କାମ

Published By : Prameya-News7 Bureau | May 07, 2022 IST

ଲକ୍ଷ୍ନୌ: ବାରାଣସୀର କାଶୀ ବିଶ୍ଵନାଥ ଏବଂ ଜ୍ଞାନବ୍ୟାପୀ ମସଜିଦ ପରିସରରେ ସ୍ଥିତ  ଶୃଙ୍ଗାର ଗୌରୀ ସମେତ ଅନେକ ବିଗ୍ରହର ସର୍ଭେକୁ ନେଇ ବିବାଦ ଲାଗି ରହିଛି। ଯେବେଠୁ ସର୍ଭେ କାମ ଆରମ୍ଭ ହୋଇଛି, ତେବେଠୁ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହି ପଦକ୍ଷେପକୁ ଏଆଇଏମଆଇଏମର ପ୍ରମୁଖ ଅସଦୁଦ୍ଦୀନ ଓଓ୍ଵେସି ଆଇନର ଉଲ୍ଲଂଘନ ହୋଇଥିବା ଦର୍ଶାଇଛନ୍ତି। ମୁସଲିମ ପକ୍ଷ ମଧ୍ୟ କୋର୍ଟ ଆୟୋଗଙ୍କ ଉପରେ ପକ୍ଷପାତର ଅଭିଯୋଗ ଲଗାଇଛନ୍ତି।

ଅନ୍ୟପକ୍ଷେ ଜ୍ଞାନବ୍ୟାପୀ ମସଜିଦରେ ଶନିବାର ଦ୍ଵିତୀୟ ଦିନ ସର୍ଭେ କରାଯାଇ ପାରିନାହିଁ। ହିନ୍ଦୁ ପକ୍ଷଙ୍କ ଓକିଲଙ୍କ ଦଳ ସର୍ଭେ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାତ୍ର ସେମାନଙ୍କୁ ଭିତରକୁ ଯିବାକୁ ଦିଆଗଲାନି। ଫଳରେ ହିନ୍ଦୁ ପକ୍ଷଙ୍କ ଓକିଲ କାଶୀ ବିଶ୍ଵନାଥ ମନ୍ଦିର ପରିସରରୁ ଫେରି ଯାଇଥିଲେ। ବିରୋଧୀ ପକ୍ଷ ଭିତରକୁ ପ୍ରବେଶ କରିବାର ଆଦେଶ ନଥିବା ଯୁକ୍ତି ବାଢିଛନ୍ତି। ଏହି କାରଣରୁ ସର୍ଭେକୁ ମେ ୯ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

ଜ୍ଞାନବ୍ୟାପୀ ପରିସର ସ୍ଥିତ ଶୃଙ୍ଗାର ଗୌରୀ ସହିତ ଅନ୍ୟ ବିଗ୍ରହଙ୍କ ବସ୍ତୁ  ସ୍ଥିତି ଜାଣିବା ପାଇଁ ସିଭିଲ୍ ଜଜ(ସିନିୟର ଡିଭିଜନ) ରବି କୁମାର ଦିବାକରଙ୍କ ଅଦାଲତ ବରିଷ୍ଠ ଆଡଭୋକେଟ୍ ଅଜୟ କୁମାର ମିଶ୍ରଙ୍କୁ କୋର୍ଟ କମିଶନର ଭାବେ ନିଯୁକ୍ତ କରିଛନ୍ତି। କୋର୍ଟ କମିଶନର ମେ ୬ ତାରିଖରେ ସର୍ଭେ ଆଧାରରେ ଜ୍ଞାନବ୍ୟାପୀ ମସଜିଦର ପଶ୍ଚିମ ସ୍ଥିତ ଶୃଙ୍ଗାର ଗୌରୀ ଏବଂ ଆଖପାଖର ଭିଡିଓଗ୍ରାଫି ଏବଂ ଫଟୋଗ୍ରାଫି କରାଇଥିଲେ।

ଶନିବାର କୋର୍ଟ କମିଶନରଙ୍କୁ ମସଜିଦ ଭିତରେ ପ୍ରବେଶ କରି  ବିଗ୍ରହର ସ୍ଥିତି ଦେଖିବାର ଥିଲା। ସର୍ଭେ କାମ ଅପରାହ୍ନ ୩ଟାରୁ ଆରମ୍ଭ ହେବାର ଥିଲା। ହେଲେ ବିରୋଧୀ ପକ୍ଷ ମସଜିଦ ଭିତରକୁ ପ୍ରବେଶ କରିବାକୁ ଦେଇ ନାହାନ୍ତି। କୋର୍ଟ ଶୁଣାଣି ପରେ ସର୍ଭେ ଜାରି ରଖିବା ଏବଂ ବିରୋଧୀ ପକ୍ଷଙ୍କୁ ମେ ୯ରେ ନିଜ ପକ୍ଷ ରଖିବାକୁ ଆଦେଶ ଜାରି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.