ଏବେ ଜେଲରେ ବାରମ୍ବାର ଚା ପିଇ ପାରିବେ କେଜରିୱାଲ, ପାଖରେ କେଟଲୀ ରଖିବାକୁ ଅନୁମତି ଦେଲେ କୋର୍ଟ

Published By : Prameya-News7 Bureau | April 03, 2024 IST

ନୂଆଦିଲ୍ଲୀ ୩।୪: ଦିଲ୍ଲୀ କୋର୍ଟ ଅରବିନ୍ଦ କେଜରିୱାଲଙ୍କୁ ଜେଲରେ ଇଲେକ୍ଟ୍ରୋନିକ କେଟଲୀ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି। ଏ ବାବଦେ କେଜରିୱାଲ କହିଛନ୍ତି ଯେ ସେ ଡାୟବେଟିଜ୍ ରେ ପୀଡ଼ିତ, ତାଙ୍କୁ ବାରମ୍ବାର ଚା ପିଇବାକୁ ପଡିଥାଏ। ତେବେ ଜେଲ ଅଥରିଟି କେବଳ ନିୟମ ଅନୁସାରେ ତାଙ୍କୁ ଚା ଉପଲବ୍ଧ କରାଇ ପାରନ୍ତି। ଏଣୁ କୋର୍ଟ ତାଙ୍କୁ ଜେଲରେ ପାଣି ଗରମ କରିବା ଲାଗି ଇଲେକ୍ଟ୍ରୋନିକ କେଟଲୀବ୍ୟବହାର ନିମନ୍ତେ ଅନୁମତି ଦେଇଛନ୍ତି। 

ସେହିପରି ରାଉଜ ଏଭେନ୍ୟୁ କୋର୍ଟ ଜେଲରେ କେଜରିୱାଲଙ୍କ ବହି ପଢାପଢି ପାଇଁ ଜେଲ ଅଥରିଟିକୁ ଚେୟାର ଓ ଟେବୁଲ ବ୍ୟବସ୍ଥା କରିବାକୁ କହିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାର୍ଚ୍ଚ ୨୧ ତାରିଖରେ ଗିରଫ କରିଥିଲା। ପରେ ଇଡି ତାଙ୍କୁ ରିମାଣ୍ଡରେ ନେଇଥିଲା। ଏବେ କୋର୍ଟ କେଜରିୱାଲଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ସେ ତିହାର ଜେଲରେ ରହୁଛନ୍ତି। 

ଦିଲ୍ଲୀ ହାଇକୋର୍ଟରେ ବୁଧବାର କେଜରିୱାଲଙ୍କ ପିଟିସନ ଉପରେ ଶୁଣାଣି ହୋଇଛି। କେଜରିୱାଲଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ କୋର୍ଟରେ ହାଜର ହୋଇଥିବା ବେଳେ ଇଡି ପକ୍ଷରୁ ଅତିରିକ୍ତ ସୋଲିସିଟର ଜେନେରାଲ ହାଜର ହୋଇଥିଲେ। କୋର୍ଟ ଉଭୟପକ୍ଷଙ୍କ ତର୍କ ଶୁଣିବା ପରେ କେଜରିୱାଲଙ୍କ ନିବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି। ତେବେ ଏହା ପୂର୍ବରୁ ଇଡି ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୨ ଏପ୍ରିଲ ମଙ୍ଗଳବାର ତାଙ୍କ ଜବାବ ରଖିଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.