କୋରିୟର ସାମଗ୍ରୀ ଧରାଇ ଦେଲା କୋରିୟର ବୟର ହତ୍ୟାକାରୀକୁ, ଜାଣନ୍ତୁ କିପରି?

Published By : Prameya-News7 Bureau | March 02, 2024 IST

ବେଙ୍ଗାଲୁରୁ ୨।୩: ଆଇଫୋନର  ମୋହ ସଜେଇ ଦେଇଛି ହତ୍ୟାକାରୀ।  କୋରିୟର ବୟକୁ ହତ୍ୟା ମାମଲାରେ ଡେଲିଭରୀ ହୋଇନଥିବା କୋରିୟର ସାମଗ୍ରୀ ଶେଷରେ ଧରା ପକାଇଛି ହତ୍ୟାକାରୀକୁ। ଏଭଳି ରହସ୍ୟମୟ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି  କର୍ଣ୍ଣାଟକ ଅରାସିକେରେ ପୋଲିସ। ୭ ଫେବୃଆରୀ ୨୦୨୩ର ଏହି ହତ୍ୟାକାଣ୍ଡର ଆସାମୀ ହେମନ୍ତ ଦତ୍ତକୁ ପୋଲିସ ଗିରଫ କରିଛି। ପଚରାଉଚରାରେ ହତ୍ୟାକାରୀ ଆଇଫୋନ ଲାଗି କୋରିୟର ବୟକୁ ହତ୍ୟା କରିଥିବା ସ୍ୱୀକାର କରିଛି।

ପୋଲିସ ସୂଚନା ଅନୁସାରେ ୮ ଫେବୃଆରୀ ୨୦୨୩ରେ ମଞ୍ଜା ନାୟକ ନାମକ ଜନୈକ ଯୁବକ ଅରାସିକେରେ ଟାଉନ ପୋଲିସକୁ ଯାଇ ତା ଭାଇ ହେମନ୍ତ ନାୟକ ନିଖୋଜ ଥିବାର ଅଭିଯୋଗ କରିଥିଲା। ପୋଲିସକୁ ଏପରି ଅନେକ ନିଖୋଜ ଅଭିଯୋଗ ମିଳିଥାଏ, ଯାହା ଉପରେ ପୋଲିସ କିଛି ସମୟ ପର୍ଯ୍ୟନ୍ତ ଜୋର ଦେଇ ନଥାଏ। ତେବେ ୧୦-୧୫ ଦିନ ପରେ ଯଦି ନିଖୋଜ ନ ଫେରିଲା ପୋଲିସ ତଦନ୍ତ ଆଗକୁ ବଢାଏ। ହେମନ୍ତ ନାୟକ କ୍ଷେତ୍ରରେ ମଧ୍ୟ ସେଇଆ ହୋଇଥିଲା। ହେମନ୍ତ ନିଖୋଜ ନେଇ ଭାଇ ମଞ୍ଜା ନାୟକ ପୋଲିସରେ କରିଥିବା ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା।

ହେମନ୍ତ କୋରିୟର ବୟ ଭାବେ କାମ କରେ। ସେ ୭ ତାରିଖ ଦିନ କାମକୁ ଯାଇଥିଲା, ତେବେ କୋରିୟର ଡେସ୍ପାଚ୍ ବ୍ୟାଗ୍‌ ନେଇ ବାହାରିବା ପରେ ତା ଫୋନ ସ୍ୱିଚ୍‌ ଅପ ହୋଇଯାଇଥିବା ନେଇ ହେମନ୍ତର ସାଙ୍ଗ ତା ଭାଇ ମଞ୍ଜା ନାୟକକୁ ଏ କଥା ଜଣାଇଥିଲା। ଏହା ପରଦିନ ମଞ୍ଜା ଅରାସିକେରେ ପୋଲିସକୁ ଯାଇ ଭାଇ ନିଖୋଜ ହୋଇଥିବା ନେଇ ଅଭିଯୋଗ କରିଥିଲା। ହେଲେ ବି ହେମନ୍ତର କୌଣସି ସନ୍ଧାନ ମିଳିନଥିଲା। ଏଥିରେ ଫେବୃଆରୀ ୧୬ ତାରିଖ ଦିନ ଅରାସିକେରେ ନିକଟସ୍ଥ ରେଲୱେ ପୋଲ ନିକଟରେ ଏକ ଅଜ୍ଞାତ ଶବ ପଡିଥିବାର ପ୍ରଚାରିତ ହୋଇଥିଲା।

{"id":916388,"width":841,"height":561,"sizeSlug":"full","linkDestination":"none"}

ଶବ ଆଂଶିକ ପୋଡା ଥିଲା। ଏଥିରେ ମୃତକର ମୁହଁ ପୋଡି ଯାଇଥିଲା ଓ ଚିହ୍ନି ହେଉ ନଥିଲା। ରେଳବାଇ ପୋଲିସ ଏକ ମୋକଦ୍ଦମା ରୁଜୁ କରି ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିଲା। ମଞ୍ଜା ନାୟକକୁ ଶବ ସମ୍ପର୍କରେ ତାର ଜଣେ ସାଙ୍ଗ ସୂଚନା ଦେଇଥିଲା। ମଞ୍ଜା ତୁରନ୍ତ ରେଳବାଇ ଥାନାକୁ ଯାଇ ଶବ ଚିହ୍ନଟ କରିବାକୁ ଚେଷ୍ଟା କରିଥିଲା। ଯଦିଓ ମୃତକର ମୁହଁ ଜଳି ଯାଇଥିଲା ସେ ପିନ୍ଧିଥିବା ସାର୍ଟ ପ୍ୟାଣ୍ଟରୁ ହେମନ୍ତ ବୋଲି ତା ଭାଇ ଚିହ୍ନଟ କରିଥିଲା। ଏହା ପରେ ରେଳବାଇ ପୋଲିସ ମାମଲାକୁ ଅରାସିକେରେ ପୋଲିସୁ ଟ୍ରାନ୍ସଫର କରିଦେଇଥିଲା।

ହେମନ୍ତର ହତ୍ୟା ହୋଇଥିବା ପୋଲିସ ଜାଣିବା ପରେ ତଦନ୍ତ ଆରମ୍ଭ କରିଦେଇଥିଲା। ଏଥିରେ ପୋଲିସ ହେମନ୍ତ ଫୋନର କଲ ଡିଟେଲ ରେକର୍ଡ (ସିଡିଆର) ସଂଗ୍ରହ କରି ଯାଞ୍ଚ କରିଥିଲା। ଏଥିରେ ହେମନ୍ତ ଶେଷ କଲ ହେମନ୍ତ ଦତ୍ତ ନାମକ କୌଣସି ବ୍ୟକ୍ତିକୁ କରିଥିଲା। ହେମନ୍ତ ଦତ୍ତକୁ ସେ ଏକ ଆଇଫୋନ ଡେଲିଭରୀ କରିବାର ଥିଲା।  ପୋଲିସ ହେମନ୍ତ ଦତ୍ତର କଲ ରେକର୍ଡ ଯାଞ୍ଚ କରିବା ବେଳେ ତାହା ୭ ଫେବୃଆରୀରୁ ବନ୍ଦ ଥିବାର ଜଣାପଡିଥିଲା। ଏଣୁ ପୋଲିସ ଡେଲିଭରି ଠିକଣାରେ ଟିମ୍‌କୁ ପଠାଇଥିଲା। ହେଲେ ଠିକଣାରେ ସେପରି କେହି ରହୁ ନଥିବା ପୋଲିସ ଜାଣିବାକୁ ପାଇଥିଲା। ଫଳରେ ମାମଲା ଜଟିଳ ହୋଇଯାଇଥିଲା, ହେଲେ ହେମନ୍ତ ଦତ୍ତ ହିଁ ହତ୍ୟାକାରୀ ହୋଇପାରେ ବୋଲି ପୋଲିସକୁ ସନ୍ଦେହ ହୋଇଥିଲା।

ଏଥିରେ ପୋଲିସ ଜାଣିବାକୁ ପାଇଥିଲା ହେମନ୍ତ ଓ ଦତ୍ତଙ୍କ ଫୋନ ଗୋଟିଏ ସ୍ଥାନରେ ସକ୍ରିୟ ଥିଲା। ଏଣୁ ପୋଲିସ ଇଣ୍ଟରନ୍ୟାସନାଲ ମୋବାଇଲ ଇକ୍ୱିପମେଣ୍ଟ ଆଇଡେଣ୍ଟିଟି (ଆଇଏମଇଆଇ) ନମ୍ବର ଜରିଆରେ ଫୋନକୁ ଟ୍ରାକ୍ କରିଥିଲା। ତେବେ ଏଥିରୁ ପୋଲିସକୁ ସେପରି କୌଣସି ସୁଫଳ ମିଳି ନଥିଲା। ହେଲେ ଫେବୃଆରୀ ୧୮ ତାରିଖ ଦିନ ଅରାସିକେରେ ବସ୍ ଷ୍ଟାଣ୍ଡରେ ଜଣେ ଯୁବକକୁ ଏକ ବଡ଼ ବ୍ୟାଗ ନେଇ ଜୋରଜୋର ଚାଲି ଯାଉଥିବାର ଦେଖି ପୋଲିସକୁ ସନ୍ଦେହ ହୋଇଥିଲା। ପୋଲିସ ଯୁବକକୁ ଅଟକାଇ ବ୍ୟାଗ ଖୋଲାଇଥିଲା। ବ୍ୟାଗ୍ ଯାଞ୍ଚ ପରେ ପୋଲିସ ବ୍ୟାଗ୍ ସହ ଯୁବକକୁ ଥାନାକୁ ନେଇଯାଇଥିଲା।

ବ୍ୟାଗରେ ୪ ହଳରୁ ଅଧିକ ଚପଲ ଓ ୪ ହଳ ଯୋତା ଥିଲା। ଏହା କୌଣସି କୋରିୟର ସାମଗ୍ରୀ ପରି ଜଣାପଡୁଥିଲା। ହେମନ୍ତ ଦତ୍ତ ମଧ୍ୟ ଆଗରୁ କୋରିୟର କାମ କରୁଥିଲା। ଏଣୁ କୋରିୟର ସିଷ୍ଟମ ସମ୍ପର୍କରେ ତାର ଧାରଣାଥିଲା। ତେବେ ସେତେବେଳକୁ ହେମନ୍ତ ଦତ୍ତର ଫଟୋ ପୋଲିସକୁ ମିଳି ସାରିଥିଲା ଓ ଫଟୋକ ମିସାଇ ହେମନ୍ତର ହତ୍ୟାକାରୀ ବୋଲି ପୋଲିସ ନିଶ୍ଚିତ ହୋଇଥିଲା। ଏହା ପରେ ପଚରା ଉଚରାରେ ହେମନ୍ତ ଦତ୍ତ ଆଇ ଫୋନ ଯୋଗୁ କୋରିୟର ବୟକୁ ହତ୍ୟା କରିଥିବା ମାନିଯାଇଥିଲା। ହେମନ୍ତ ଦତ୍ତ ଏବେ  ଜେଲ ହାଜତରେ, ଜାମିନ ପାଇଁ ନିବେଦନ କରିଥିଲା। ହେଲେ ଜାମିନ ଖାରଜ ହୋଇଯିବାରୁ ସେ ଏବେ ଜେଲରେ ଅଛି ବୋଲି ଅରାସିକେରେ ଥାନା ଅଧିକାରୀ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.