ଘରୁ ଦମ୍ପତ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଋଣ ବୋଝ ସହି ନପାରି ଆତ୍ମହତ୍ୟା କରିଥିବା ସନ୍ଦେହ

Published By : Prameya-News7 Bureau | June 10, 2022 IST

ଢେଙ୍କାନାଳ ୧୦।୬: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କଙ୍କଡପାଳ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘରୁ ଦମ୍ପତ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କଙ୍କଡପାଳ ଗ୍ରାମରେ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଘର ଛାତ ଉପରେ ରଶି ଲଗାଇ ଦମ୍ପତ୍ତି ଆତ୍ମହତ୍ୟା କରିଛନ୍ତି । ମୃତ ଦମ୍ପତ୍ତି ହେଲେ ସ୍ବାମୀ ବିଶିକେଶନ ସାହୁ ଏବଂ ସ୍ତ୍ରୀ ସସ୍ମିତା ସାହୁ । ଝୁଲନ୍ତା ଅବସ୍ଥାରେ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି ।

ବିଶିକେଶନ  ଘର ପାଖରେ ଦହି ବରା ବେପାର କରି ଗୁଜୁରାଣ ମେଣ୍ଟାନ୍ତି । ତେବେ ତାଙ୍କର କିଡନୀ ଜନିତ ରୋଗ ଅସହ୍ୟ କରିବାରୁ ସ୍ବାମୀ-ସ୍ତ୍ରୀ କଟକ ଡାକ୍ତରଖାନାକୁ ଯାଇଥିଲେ । ଗୁରୁବାର ଉଭୟେ ସେଠାରୁ ଫେରି ଚିନ୍ତାରେ ରହିଥିଲେ । ଏପରି ସ୍ଥଳେ ଗରମ ଯୋଗୁଁ ଗୁରୁବାର ରାତିରେ ଉଭୟେ ଛାତ ଉପରକୁ ଶୋଇବାକୁ ଯାଇଥିଲେ। ମାତ୍ର ଶୁକ୍ରବାର ସକାଳେ ଉଭୟଙ୍କ ମୃତଦେହ ସିଡ଼ି ଘର କଡିରେ ଝୁଲୁଥିବା ପରିବାର ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ।

ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ମୃତ ବିଶିକେଶନଙ୍କର କିଡନୀ ରୋଗର ଚିକିତ୍ସା ପାଇଁ ଅର୍ଥାଭାବ ଏକ କାରଣ ବୋଲି ମୃତକଙ୍କ ବାପା ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ ସଦର ତାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି ।

ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଦମ୍ପତ୍ତି ପ୍ରଥମେ ବିଷ ପିଇବା ପରେ ପିନ୍ଧା ଲୁଗାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ରୋଷେଇ ଘର ଚୁଲି ନିକଟରେ ଅଙ୍ଗାରରେ ସୁଇସାଇଡାଲ୍ ଲେଖା ଯାଇଥିବା ଦେଖିବାକୁ ମିଳିଛି । ଘର ଭିତରୁ ବିଷ ବୋତଲ ଜବତ କରିଛି ପୋଲିସ । ସୁଇସାଇଡାଲ୍‌ରେ ‘ଆମେ ବିଷ ପିଇ ଦେଇଛୁ’ ଲେଖା ରହିଥିବା ଦେଖିବାକୁ ମିଳିଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.