ବାଲିପାଟଣା ବନମାଳୀପୁରରେ ବାଣ ବିସ୍ଫୋରଣ ; ଘଟଣାସ୍ଥଳରେ ସ୍ବାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ

Published By : Prameya-News7 Bureau | November 01, 2018 IST

ବାଲିପାଟଣା ୧|୧୧: ବାଣ ବିସ୍ଫୋରଣରେ ଦମ୍ପତ୍ତି ମୃତ । ବାଲପାଟଣା ବନମାଳୀପୁର ନୂଆସାହିରେ ଘରେ ବାଣ ଭିଡୁଥିବାବେଳେ ବିସ୍ଫୋରଣ  ହୋଇଛି । ବିସ୍ଫୋରଣରେ ବାଣ ଭିଡୁଥିବା ଜ୍ଞାନରଞ୍ଜନ ମିଶ୍ରଙ୍କ ଛାତ ଘରର କାନ୍ଥ ଭୁଶୁଡିପଡିଛି । ଏଥିସହ ଜ୍ଞାନରଞ୍ଜନ ମିଶ୍ର ଓ ତାଙ୍କ ପତ୍ନୀ ଝୁନୁ ମିଶ୍ରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ, ଜ୍ଞାନରଞ୍ଜନ ମିଶ୍ର ଓ ତାଙ୍କ ପତ୍ନୀଙ୍କ ଅଙ୍ଗ ପ୍ରତ୍ୟଙ୍ଗ ଖିନଭିନ ହୋଇ ଚାରି ଆଡକୁ ଛିଟିକି ପଡିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଓ ବାଲିପାଟଣା ପୋଲିସ ପହଞ୍ଚିଛନ୍ତି । କାନ୍ଥ ତଳେ ଆଉ କେହି ଚାପି ହୋଇ ରହିଛନ୍ତି କି ନାହିଁ ତାହା ଯାଞ୍ଚ କରୁଛନ୍ତି । ଆଗକୁ ଦୀପାବଳୀ ଥିବାରୁ ମୃତ ଜ୍ଞାନରଞ୍ଜନ ଘରେ ବ୍ୟାପକ ପରିମାଣର ବାରୁଦ ରଖିଥିଲେ ଓ ନିଜେ ବାଣ ଭିଡୁଥିଲେ । କେଉଁ କାରଣ ଯୋଗୁଁ ବିସ୍ଫୋରଣ ହେଲା ତାହା ଜଣାପଡିନାହିଁ । ସମଗ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ବାଣ ବିସ୍ଫୋରଣ ଜନିତ ଦୁର୍ଘଟଣା ଖବର ପହଞ୍ଚୁଛି । ଘରେ ବାଣ ତିଆରି କରିବା ନେଇ ସରକାରଙ୍କ କଟକଣା ରହିଥିଲେ ମଧ୍ୟ ତାକୁ କଡାକଡି ଭାବେ ନିୟନ୍ତ୍ରଣ ଓ ଯାଞ୍ଚ କରାଯାଉନଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଛି । ନିକଟରେ ରାଉରକେଲାଠାରେ ମଧ୍ୟ ସମାନ ଦୁର୍ଘଟଣା ଘଟି ଗୋଟିଏ ପରିବାରର ୩ଜଣଙ୍କର ଜୀବନ ଯାଇଥିଲା । ବାଣ ତିଆରି, ବିକ୍ରି ଓ ଫୁଟାଇବା ଉପରେ ଚଳିତ ବର୍ଷ ସୁପ୍ରିମକୋର୍ଟ କଟକଣା ଲଗାଇଛନ୍ତି । ତଥାପି ତାର କୌଣସି ପ୍ରଭାବ ଦେଖିବାକୁ ମିଳୁନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.