ଧୋଲେରାରେ ସ୍ଥାପନ ହେବ ଦେଶର ପ୍ରଥମ ସେମିକଣ୍ଡକ୍ଟର ପ୍ଲାଣ୍ଟ, ୧ ଲକ୍ଷ ଲୋକଙ୍କୁ ମିଳିବ ରୋଜଗାର
21/02/2023 at 6:20 PM

ନୂଆଦିଲ୍ଲୀ, ୨୧/୦୨: ଗୁଜରାଟ ଧୋଲେରାରେ ସ୍ଥାପନ ହେବ ଦେଶର ପ୍ରଥମ ସେମିକଣ୍ଡକ୍ଟର ପ୍ଲାଣ୍ଟ । ଭାରତୀୟ କମ୍ପାନୀ ବେଦାନ୍ତ ଏବଂ ତାଇଓ୍ବାନ ଇଲେକ୍ଟେ୍ରାନିକ୍ସ କମ୍ପାନୀ ଫକ୍ସକନ୍ ଏହି ମିଳିତ ଭାବରେ ଏହି ପ୍ଲାଣ୍ଟ ନିର୍ମାଣ କରିବେ। ଉଭୟଙ୍କ ମଧ୍ୟରେ ସେମିକଣ୍ଡକ୍ଟର ଏବଂ ଡିସପ୍ଲେ ତିଆରି କରିବା ପାଇଁ ହୋଇଥିବା ସହଭାଗିତା କ୍ରମେ ଗୁଜରାଟର ଅହମଦାବାଦର ଧୋଲେରାରେ ମ୍ୟାନୁଫ୍ୟାକଚରିଂ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ, ବେଦାନ୍ତ ଏବଂ ଫକ୍ସକନ୍ ମଧ୍ୟରେ ନିବେଶର ଏହି ଚୁକ୍ତି ଗତ ବର୍ଷ ହୋଇଥିଲା। ଏହି ସହଭାଗିତା ସ୍ବାଧୀନତା ପରେ କର୍ପୋରେଟ୍ ଇତିହାସରେ ସବୁଠୁ ବଡ଼ ନିବେଶ। ୧,୫୪,୦୦୦ କୋଟି ଟଙ୍କାର ନିବେଶ ଦ୍ବାରା ଗୁଜରାଟରେ ସେମିକଣ୍ଡକ୍ଟର ଏବଂ ଡିସପ୍ଲେ ପ୍ଲାଣ୍ଟ ନିର୍ମାଣ କରାଯିବ। ଏହା ଦେଶର ପ୍ରଥମ ସେମିକଣ୍ଡକ୍ଟର ପ୍ଲାଣ୍ଟ ହେବ। ଗୁଜରାଟ ସରକାରଙ୍କ ଠାରୁ ସଂପୂର୍ଣ୍ଣ ତଥ୍ୟର ବିଶ୍ଲେଷଣ କରିବା ପରେ ବେଦାନ୍ତ ଏବଂ ଫକ୍ସକନ୍ ମିଳିତ ଉଦ୍ୟମରେ ଧୋଲେରାରେ ନିର୍ମାଣ ପ୍ଲାଣ୍ଟ ସ୍ଥାପିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଭାରତ ସରକାରଙ୍କ ତରଫରୁ ମଧ୍ୟ ଏହି ପ୍ରୋଜେକ୍ଟର ମୂଲ୍ୟାଙ୍କନ କରାଯାଉଥିବା ନେଇ କହିଛନ୍ତି ଜଣେ ସରକାରୀ ଅଧିକାରୀ।
୧.୫୦ ଲକ୍ଷ କୋଟି ଟଙ୍କାର ନିବେଶରେ ହେବାକୁ ଥିବା ଏହି ସେମିକଣ୍ଡକ୍ଟର ଏବଂ ଡିସପ୍ଲେ ପ୍ଲାଣ୍ଟରେ ଏକ ଲକ୍ଷରୁ ଅଧିକ ଲୋକଙ୍କ ରୋଜଗାର ମିଳିବା ନେଇ ଅନୁମାନ କରାଯାଉଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ପଟେଲ ଏହି ପ୍ରୋଜେକ୍ଟର ସଫଳ ହେବା ପାଇଁ ମଧ୍ୟ ଘୋଷଣା କରିବା ସହ, ଗୁଜରାଟ ସରକାରଙ୍କ ତରଫରୁ ଏହି ପ୍ରୋଜେକ୍ଟକୁ ସଫଳ କରିବା ପାଇଁ ସବସିଡି ଏବଂ ଇନସେନଟିଭ୍ ଅଫର୍ ଦିଆଯାଇଛି। ଯାହାଦ୍ବାରା ଜମି କିଣା ଉପରେ ଷ୍ଟାମ୍ପ ଡ୍ୟୁଟି, ପାଣି ଏବଂ ବିଜୁଳି ଉପରେ ସବସିଡି ଆଦି ସାମିଲ୍ ରହିଛି।