ବିଶ୍ବକପ ହକି ପାଇଁ କାଉଣ୍ଟ ଡାଉନ ଆରମ୍ଭ: ଆଉ ରହିଲା ୧୦୦ ଦିନ

Published By : Prameya-News7 Bureau | August 21, 2018 IST

ଭୁବନେଶ୍ବର ୨୧|୮: ବିଶ୍ବକପ ହକି ପାଇଁ କାଉଣ୍ଟ ଡାଉନ ଆରମ୍ଭ । ୧୦୦ ଦିନ ପରେ ଭୁବନେଶ୍ବରରେ ଆରମ୍ଭ ହେବ ହକି ମହାକୁମ୍ଭ । ଏକାଠି ହେବେ ୧୬ଟି ଦେଶର ୪ ଶହରୁ ଅଧିକ ଖେଳାଳି ଓ ଷ୍ଟାଫ । ପୂର୍ବରୁ ଏସିଆ ଆଥଲେଟିକ ଚାମ୍ପିୟନସିପ୍ ଓ ଅନ୍ୟ ଆନ୍ତର୍ଜାତୀୟ ମ୍ୟାଚ ଆୟୋଜନ କରି ବେଶ ସୁନାମ ସାଉଁଣ୍ଟିଛନ୍ତି ରାଜ୍ୟ ସରକାର । ତେଣୁ ଏହି ମ୍ୟାଚର ଆୟୋଜନ ନେଇ ବେଶ୍ କିଛି କମର କଷୁଛନ୍ତି ରାଜ୍ୟ ସରକାର। ଆଉ ରହିଲା ୧୦୦ ଦିନ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ପୁଣି ଚାଲିବ ହକି କ୍ରେଜ୍। ଆରମ୍ଭ ହେବ ବିଶ୍ବକପ ହକି। ଅଗଷ୍ଟ ୨୦ରୁ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି କାଉଣ୍ଟ ଡାଉନ୍ । ହକି ମହାକୁମ୍ଭର ସୁପରିଚାଳନା ପାଇଁ ହକି ଇଣ୍ଡିଆ, ଫେଡେରେସନ୍ ଅଫ୍ ଇଣ୍ଟରନ୍ୟାସନାଲ ହକି ଓ ରାଜ୍ୟ କ୍ରୀଡ଼ା ବିଭାଗ ଦିନରାତି ଏକ କରିଦେଇଛନ୍ତି । ଖେଳାଳିଙ୍କ ହସ୍ପିଟାଲିଟି ଓ ସୁରକ୍ଷାକୁ ବେଶୀ ଗୁରୁତ୍ବ ଦିଆଯାଉଛି । ସେଥିପାଇଁ ରାଜ୍ୟ ସଚିବାଳୟରେ କମିଶନରେଟ ପୋଲିସ, ହକି ଇଣ୍ଡିଆ ଓ ରାଜ୍ୟ କ୍ରୀଡ଼ା ବିଭାଗ ବୈଠକ କରିଛି ।ଖେଳାଳିଙ୍କ ସୁରକ୍ଷା ତଥା କ୍ରୀଡ଼ା ପ୍ରେମୀଙ୍କ ସୁବ୍ୟବସ୍ଥା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏପଟେ କଳିଙ୍ଗ ଷ୍ଟାଡ଼ିୟମରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ନିର୍ମାଣ ଓ ନବୀକରଣ କାମ ।ସେପ୍ଟେମ୍ବର ୩୦ ସୁଦ୍ଧା ସମସ୍ତ କାମ ସାରି ହକି ଇଣ୍ଡିଆକୁ ଷ୍ଟାଡିୟମ ହସ୍ତାନ୍ତର କରିବାକୁ ଲକ୍ଷ୍ୟ ରଖିଛି କ୍ରୀଡ଼ା ବିଭାଗ । ସେହିପରି ଖେଳାଳି ରହିବା ପାଇଁ ଭୁବନେଶ୍ବର, କଟକ ଓ ପୁରୀରେ ୨ ଶହରୁ ଅଧିକ ହୋଟେଲ ରୁମ୍ ବୁକ୍ କରାଯାଇଛି । ଓଟିଡିସି ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ମଧ୍ୟ ବାହାର ଦର୍ଶକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି । ତେବେ ଏଥର ଷ୍ଟାଡିୟମରେ ଖେଳ ଦେଖିବାରୁ ବାଦ ପଡୁଥିବା ଦର୍ଶକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜନତା ମଇଦାନ, ଆଦିବାସୀ ପଡ଼ିଆ, ବରମୁଣ୍ଡା ଓ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ୪ଟି ବଡ଼ ଏଲଇଡି ସ୍କ୍ରିନ ଲଗାଯିବ ବୋଲି କହିଛନ୍ତି କ୍ରୀଡ଼ା ସଚିବ । ଆନ୍ତଜାର୍ତୀୟ ସ୍ତରର ଏଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ। ତେଣୁ ଖେଳାଳିଙ୍କ ସୁରକ୍ଷା ତଥା ସୁବନ୍ଦୋବସ୍ତ ପାଇଁ ୨୫୦୦ରୁ ଅଧିକ ସିସି ଟିଭି କ୍ୟାମେରା ଲଗାଯିବ । ଯାହାର ତଦାରଖ କରିବ ସ୍ବତନ୍ତ ସ୍କ୍ବାର୍ଡ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.