ଦୁର୍ନୀତି ବିରୋଧରେ କାଉନସିଲରଙ୍କ ଆମରଣ ଅନଶନ ୧୫ତମ ଦିନରେ

Published By : Prameya-News7 Bureau | August 08, 2022 IST

ଦେବଗଡ: ଦେବଗଡ ପୌର ପରିଷଦ ସମ୍ମୁଖରେ ଦୁର୍ନୀତିକୁ ବିରୋଧ କରି ୧୫ ଦଫା ଦାବି ନେଇ ବିଜେପି ଓ ସ୍ବାଧୀନ କାଉନସିଲରଙ୍କ ଆମରଣ ଅନଶନ ସୋମବାର ୧୫ତମ ଦିନରେ ପହଞ୍ଚିଛି। ଗତ ଜୁଲାଇ ୨୫ ସୋମବାର ଠାରୁ ଆମରଣ ଅନଶନ କରିଥିବା ବେଳେ ଆଜି ପନ୍ଦର ଦିନରେ ପହଞ୍ଚିଛି। ପ୍ରଶାସନ ପକ୍ଷରୁ  ଅନଶନରେ ବସିଥିବା କାଉନସିଲରମାନଙ୍କସହ ବିଭିନ୍ନ ସମୟରେ  ଆଲୋଚନା କରାଯାଇଥିବାବେଳେ କୌଣସି ନିଷ୍କର୍ସ ବାହାରିପାରିନାହିଁ। ପୌର ପରିଷଦର ବିଭିନ୍ନ ନିଷ୍ପତ୍ତିକୁ ବିରୋଧ କରି କାଉନସିଲର ମାନେ ଏହି ଆମରଣ ଅନଶନ  କରୁଛନ୍ତି।

ପୌର ପରିଷଦରେ ହୋଇଥିବା ବିଭିନ୍ନ ଅନିୟମିତତା ଓ ଦୁର୍ନୀତିକୁ ବିରୋଧ କରି ତିନି ଜଣ ମହିଳା କାଉନସିଲର ଙ୍କ ସମେତ ମୋଟ ସାତ ଜଣ କାଉନସିଲର ଏହି ଅନଶନରେ ବସିଛନ୍ତି ।  ଖାସକରି ଦୈନିକ ବଜାରର ଖଜଣା ଆଦାୟ ପାଇଁ ହୋଇଥିବା ଟେଣ୍ଡର, ପ୍ରଧାନପାଟ ଜଳପ୍ରପାତ ଅଞ୍ଚଳରେ ପାର୍କିଂ ଫି ଓ ଶୌଚାଳୟର ଟେଣ୍ଡରରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜଙ୍କ ନେତୃତ୍ଵରେ ସମସ୍ତ ବିଜେପି କାଉନସିଲର ଓ ଏକମାତ୍ର ସ୍ବାଧୀନ କାଉନସିଲର ଧର୍ମେନ୍ଦ୍ର କୁମାର ଦେବତା ପୌର କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ରେ ବସିଛନ୍ତି ।  କାଉନସିଲ ମିଟିଂରେ ଅନୁମୋଦିତ ହୋଇଥିବା ପ୍ରସ୍ତାବକୁ ବାଦଦେଇ ଅନେକ କାର୍ଯ୍ୟ କରାଯାଉଛି ବୋଲି କାଉନସିଲରମାନେ ଅଭିଯୋଗ କରିଛନ୍ତି। ସେହିପରି ଦଳୀୟ ମନୋଭାବ ରଖି କେବଳ ବିଜେଡି କାଉନସିଲର ଜିତିଥିବା ୱାର୍ଡରେ ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି ଓ ଅନ୍ୟ ୱାର୍ଡରେ ପାତରଅନ୍ତର ନୀତି ରେ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି। ଏଣୁ ଏସବୁ ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରାଯାଇଛି।

ପୌର ପରିଷଦରେ ହେବାକୁ ଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କାଉନସିଲ ବୈଠକରେ ଅନୁମୋଦିତ ହେବା ପରେ କାର୍ଯ୍ୟକାରୀ ହେବା କଥା । ମାତ୍ର ସମସ୍ତ ପ୍ରକାର ନିତିନିୟମ ଉଲଙ୍ଘନ କରାଯାଇଥିବା ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଅଭିଯୋଗ କରିଛନ୍ତି। ଏନେଇ ଦେବଗଡ ବିଧାୟକ ବିଧାନସଭାରେ ଉଦବେଗ ପ୍ରକାଶ କରିଥିଲେ ମଧ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ କରାଯାଉନଥିବାର ସେ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ କହିବା କଥା କାଉନସିଲରମାନଙ୍କ ଦାବି ପୂରଣ ନେଇ ପଦକ୍ଷେପ ନିଆଯାଉଛି।  ଖୁବ୍ ଶୀଘ୍ର କାଉନସିଲର ମାନଙ୍କ ସହ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.