ନୂଆଦିଲ୍ଲୀ: ଆମେରିକା ରାଜନୀତିରେ ରୋ ଖନ୍ନାଙ୍କ ନାଁ ହଠାତ୍ ଚର୍ଚ୍ଚାକୁ ଆସିଛି । ୨୦୨୪ରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ପ୍ରାର୍ଥୀତ୍ୱର ସମ୍ଭାବନା ଅଧିକ ରହିଛି । ରୋ ଖନ୍ନା କାର୍ଲିଫର୍ଣ୍ଣିଆରୁ ପ୍ରତିନିଧିତ୍ୱ କରୁଛନ୍ତି । ଯଦି ସେ ରାଷ୍ଟ୍ରପତି ନିର୍ବାଚନ ହୁଅନ୍ତି ତେବେ ବ୍ରିଟେନ ପରେ ଆମେରିକା ଦ୍ୱିତୀୟ ବଡ଼ ଦେଶ ହେବ, ଯାହାର ନେତୃତ୍ୱ କୌଣସି ଭାରତୀୟ ବଂଶୋଦ୍ଭବଙ୍କ ହାତରେ ରହିବ ।
ରୋ ଖନ୍ନାଙ୍କ ଜନ୍ମ ଫିଲାଡେଫ୍ଲିୟାରେ ଏକ ମଧ୍ୟବିତ୍ତ ପରିବାରରେ ହୋଇଥିଲା । ରୋ ଖନ୍ନାଙ୍କ ବାପା-ମାଆ ୧୯୭୦ ଶଦନ୍ଧିରେ ଆମେରିକା ଆସିଥିଲେ । ତାଙ୍କ ବାପା ଜଣେ କେମିକାଲ ଇଞ୍ଜିନିୟର ଏବଂ ମାଆ ଜଣେ ସ୍କୁଲ ଶିକ୍ଷୟିତ୍ରୀ ଥିଲେ । ତେବେ ରୋ ଖନ୍ନାଙ୍କ ଜେଜେ ବାପା ଭାରତର ସ୍ୱାଧୀନତାରେ ସକ୍ରିୟ ସଂଗ୍ରାମୀ ଥିଲେ । ସେ ଲାଲା ଲଜପତ ରାୟଙ୍କ ସହ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ ଏବଂ ଅନେକ ବର୍ଷ ଯାଏଁ ଜେଲରେ ମଧ୍ୟ ରହିଥିଲେ ।
ରୋ ଖନ୍ନା କଂଗ୍ରେସର ପ୍ରତିନିଧି ହେବା ପୂର୍ବରୁ ଷ୍ଟେନଫର୍ଡ ୟୁନିଭର୍ସିଟିରେ ଅର୍ଥନୀତିର ଅଧ୍ୟାପକ ଥିଲେ । ଏହାଛଡା ସେ ଓବାମା ପ୍ରଶାସନରେ ଡେପୁଟି ଆସିଷ୍ଟାଣ୍ଟ ସେକ୍ରେଟାରୀ ଭାବେ କାମ କରିସାରିଛନ୍ତି । ରୋ ଖନ୍ନା ୟୁନିଭର୍ସିଟି ଅଫ୍ ସିକାଗୋରେ ଇକୋନମିକ୍ସରେ ବି.ଏ ଏବଂ ୟେଲ ୟୁନିଭର୍ସିଟିରୁ ଆଇନରେ ଡିଗ୍ରି ହାସଲ କରିଥିଲେ ।