ବେଆଇନ୍‌ କଫ୍‌ ସିରପ୍‌ କାରବାରର ପର୍ଦ୍ଦଫାସ୍‌ କଲା ସୋହେଲା ପୋଲିସ୍‌: ୪ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

Published By : Prameya-News7 Bureau | October 15, 2020 IST

ବରଗଡ଼ ୧୫/୧୦: ରାଜ୍ୟରେ ବଢ଼ିଚାଲିଛି ବେଆଇନ୍‌ କଫ୍‌ ସିରପ୍‌ କାରବାର। କଫ୍‌ ସିରପ୍‌ ନିଶାରେ ବାୟା ଯୁବପୀଢ଼ି। ଅନକେ ସମୟରେ ବେଆଇନ୍‌ କଫ୍‌ ସିରପ୍‌ ରାକେଟ୍‌ର ପୋଲିସ ପର୍ଦ୍ଦାଫାସ କରୁଛି।
ବରଗଡ଼ ଜିଲ୍ଲାରେ ଦିନକୁ ଦିନ ବେଆଇନ କଫ୍‌ ସିରପ୍‌ ବିକ୍ରି ବୃଦ୍ଧି ପାଇଥିବା ବେଳେ ଆଜି ଜିଲ୍ଲାର ସୋହେଲା ପୋଲିସକୁ ମିଳିଛି ବଡ ସଫଳତା ।ଏହି କଫ୍‌ ସିରପ୍‌ କାରବାରରେ ସମ୍ପୃକ୍ତ ୪ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଯାଇଥିବା ବରଗଡ଼ ଏସପି ପଦ୍ମିନୀ ସାହୁ କହିଛନ୍ତି ।

ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲାର ଶ୍ରୀ ନାରାୟଣ ଏଣ୍ଟରପ୍ରାଇଜେସ ମେଡ଼ିସିନ ଦୋକାନର ମାଲିକ ସଂଗ୍ରାମ ସାହୁ ଯିଏକି ମେଡ଼ିସିନ ହୋଲସେଲ କରନ୍ତି ସିଏ ଜାଲ୍‌ ଜିଏସଟି ଓ ଜାଲ ଚାଲାଣ ଜରିଆରେ ମଧ୍ୟପ୍ରଦେଶର ଗ୍ୱ।ଲିୟର ରୁ ସଇଁତଲାର ପ୍ରିୟା ମେଡ଼ିକାଲ ଷ୍ଟୋର ନାଁରେ ୧୩୨୦୦ ବୋତଲ କଫ ସିରଫ ସେଫ ଏକ୍ସପ୍ରେସ କୋରିୟର ମାଧ୍ୟମରେ ମଗାଇଥିଲେ । ଯାହାକି ସୋହେଲା ପୋଲିସ ନାକା କରୁଥିବା ବେଳେ ହଲଦୀପାଲି ଛକ ନିକଟରେ ଧରା ପଡିଥିଲା ।

ଏହି ଘଟଣାରେ ଧରାପଡିଥିବା କଫ୍‌ ସିରପ୍‌ର ଆନୁମାନିକ ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ବିପୁଳ କଫ୍‌ ସିରପ୍‌ ସମେତ ଗୋଟିଏ ପିକଅପ୍‌ ଭ୍ୟାନ୍‌, ଜାଲ ଜିଏସଟି ବିଲ, ୨୦ ଲିଟର ଅପମିଶ୍ରିତ ସିରପ୍‌ ଥିବା ଜାର୍କିନ ଆଦି ଜବତ କରିଛି ସୋହେଲା ପୋଲିସ ।

ଏହି ଘଟଣାରେ ସୋହେଲା ପୋଲିସ ସମ୍ବଲପୁର ଜିଲ୍ଲା ତାଲପଦରର ଗୁରୁ ମିର୍ଦ୍ଧା, ଶାସନର ଆକାଶ କୁମ୍ଭାର,ଦେହେରି ପାଲିର ଆଲୋକ ମହାରଣା ଏବଂ ବଲାଙ୍ଗୀର ଜିଲ୍ଲାର ଶଙ୍କର ଦେବ ଓରଫ ଦୀପକ ସେଠକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଶ୍ରୀ ନାରାୟଣ ଏଣ୍ଟର ପ୍ରାଇଜେସର ମାଲିକ ଫେରାର ହୋଇଯାଇଥିବା କହିଛିନ୍ତି ଏସପି ପଦ୍ମିନୀ ସାହୁ । ସେଫ୍‌ ଏକ୍ସପ୍ରେସ୍‌ କୋରିଅର ସଂସ୍ଥା କାର୍ଯ୍ୟକଳାପ ସମ୍ପର୍କରେ ମଧ୍ୟ ତଦନ୍ତ ଚାଲିଥିବା ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.