କଫ୍ ସିରପ ବ୍ୟବସାୟୀ ଓ ୬ ମଦ ବେପାରୀ ଗିରଫ; ସାମ୍ୱାଦିକ ସମ୍ମିଳନୀରେ ଏସଡିପିଓଙ୍କ ସୂଚନା
3/02/2023 at 8:30 PM

ବଲାଙ୍ଗୀର ୦୩/୦୨: କଫ୍ ସିରପ ବ୍ୟବସାୟୀ ଓ ମଦ ମଫିଆଙ୍କୁ ଗିରଫ କଲା ପୋଲିସ। ଏପରି ଘଟଣା ବଲାଙ୍ଗୀର ଜିଲ୍ଲାରେ ଦେଖିବାକୁ ମିଳିଛି। ଏନେଇ ବଲାଙ୍ଗୀର ଏସଡିପିଓ ଶୁକ୍ରବାର ଟାଉନ ଥାନାରେ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଗିରଫ କଫ୍ ସିରପ୍ ବେପାରୀର ପରିଚୟ ପ୍ରଶାନ୍ତ ଜେନା। ସେ ବଲାଙ୍ଗୀର ସହର ବରପାଲିର ବାସିନ୍ଦା। ତା ପାଖରୁ କଫ ସିରପ ବୋତଲ, ନିଶା ବଟିକା ଓ ଷ୍ଟିଙ୍ଗ ବୋତଲ ଇତ୍ୟାଦି ପୋଲିସ ଜବତ କରିଛି । ଏନେଇ ଏସଡିପିଓ ତୋଫାନ ବାଗ ଜଣାଇଛନ୍ତି। ପୂର୍ବରୁ ମଧ୍ୟ ଏହି ଅଭିଯୋଗରେ ସେ ଗିରଫ ହୋଇଥିଲା।

ସୂଚନାଥାଉକି, ବଲାଙ୍ଗୀରରେ କୁଚିଆ ମଦ ବେପାରୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏହି ଅଭିଯୋଗରେ ପୋଲିସ ଶୁକ୍ରବାର ୬ ଜଣ ପେସାଦାର କୁଚିଆ ମଦ ବେପାରୀଙ୍କୁ ୧୧୦ ଦଫାରେ କୋର୍ଟ ଚାଲାଣ କରିଛି। ପୂର୍ବରୁ ମଧ୍ୟ ଏହି ୬ ଅଭିଯୁକ୍ତ ଗିରଫ ହୋଇ ଜେଲ ଯାଇଥିଲେ। ତେବେ ବାରମ୍ବାର ଗିରଫ ହୋଇ ଜେଲ ଗଲେ ମଧ୍ୟ ଜାମିନରେ ବାହାରି ପୁଣି ସେମାନେ ମଦ ବେପାର କରୁଥିବା ଜଣାପଡ଼ିଛି। ତେବେ ଏଭଳି ମଦ ବେପାରୀମାନଙ୍କୁ ସାବାଡ କରିବା ପାଇଁ ବଲାଙ୍ଗୀର ଏସପି ନିତିନ କୁଶଲକରଙ୍କ ନିର୍ଦ୍ଦେଶରେ ୧୧୦ ସିଆରପିସି ଦଫାରେ ଗିରଫ କରିଯାଇଛି ।