କେନ୍ଦୁଝର ଜିଲ୍ଲାରେ DMFରେ କୋଟି କୋଟି ଟଙ୍କାର ଦୁର୍ନୀତି, ଗ୍ରାମ୍ୟ ଉଦ୍ୟାନ ନାଁରେ ଗିଳି ଦେଲେ ୧୦ କୋଟିରୁ ଅଧିକ ଟଙ୍କା

Published By : Prameya-News7 Bureau | July 24, 2024 IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ DMFରେ କୋଟି କୋଟି ଟଙ୍କାର ଦୁର୍ନୀତି । ଗ୍ରାମ୍ୟ ଉଦ୍ୟାନ ନାଁରେ ସରକାରୀ ବାବୁ ଓ ଠିକାଦାର ମିଳିମିଶି ଚଳୁ କରିଛନ୍ତି ୧୦କୋଟିରୁ ଅଧିକ ଟଙ୍କା । ଜିଲ୍ଲାର ଖଣି ପ୍ରଭାବିତ ବିଭିନ୍ନ ଗ୍ରାମପଞ୍ଚାୟତ ଓ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଜଳ, ଜମି ଓ ପରିବେଶ ସୁରକ୍ଷା ନାଁରେ DMF ଫଣ୍ଡରୁ ଗ୍ରାମ୍ୟ ଉଦ୍ୟାନ, ଗ୍ରାମ୍ୟ ଉଦ୍ୟାନ ପାର୍କ ଭଳି ୧୦୪ଟି ପ୍ରକଳ୍ପ ନାଁରେ ୧୦କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ବିଭିନ୍ନ ସ୍ଥାନରେ  ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚର ଫଳକ ଲାଗିଛି ହେଲେ ପ୍ରକଳ୍ପର ଉଦେଶ୍ୟ ପୂରଣ ହୋଇନି । 

ଗ୍ରାମ୍ୟ ଉଦ୍ୟାନ ନାଁରେ ଗିଳିଦେଲେ ୧୦କୋଟିରୁ ଅଧିକ ଟଙ୍କା । DMF ଟଙ୍କାରେ ଧୁମ୍ ପକେଟ୍ ଗରମ୍ କରିଛନ୍ତି ଅସାଧୁ ଅଧିକାରୀ ଓ ଠିକାଦାର । କେନ୍ଦୁଝର ଜିଲ୍ଲା ଗୋପୀନାଥପୁର ଗ୍ରାମପଞ୍ଚାୟତରେ ନିର୍ମାଣ ହୋଇଥିବା ଗ୍ରାମ୍ୟ ଉଦ୍ୟାନରେ ହୋଇଛି ବଡ଼ ଦୁର୍ନୀତି।   ଏହି ଗ୍ରାମ୍ୟ ଉଦ୍ୟାନ ପାଇଁ ଖର୍ଚ୍ଚ ହୋଇଛି ୧୮ଲକ୍ଷ ୩୪ହଜାର ଟଙ୍କା ।୨୦୨୨-୨୩ରେ ଡିଷ୍ଟ୍ରିକ୍ଟ ମିନେରାଲ୍ ଫଣ୍ଡରୁ ନିର୍ମାଣ ହୋଇଥିଲା ଏହି ଗ୍ରାମ୍ୟ ଉଦ୍ୟାନ। ଏଠି ଗଛ ତ ନାହିଁ କେବଳ ଘାସବଣରେ ହୋଇଛି ଗ୍ରାମ୍ୟ ଉଦ୍ୟାନ । 

ଏହି ଗାଁ ଠାରୁ ୨ କିଲୋମିଟର ଦୂରରେ ନିର୍ମାଣ ହୋଇଥିବା ଟିକରପଡ଼ା ଗ୍ରାମ୍ୟ ଉଦ୍ୟାନର ଫଳକ ଲାଗିଛି। ଏହି ଗ୍ରାମ୍ୟ ଉଦ୍ୟାନ ପାଇଁ ଖର୍ଚ୍ଚ ହୋଇଛି ପାଖାପାଖି ୨୨ଲକ୍ଷ ଟଙ୍କା । କେନ୍ଦୁଝର ସଦର ବ୍ଲକରେ ଥିବା ମହାଦେଇର  ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ହୋଇଛି ଗ୍ରାମ୍ୟ ଉଦ୍ୟାନ । ଏଥିରେ ଖର୍ଚ୍ଚ ହୋଇଛି ପାଖାପାଖି ୧୩ଲକ୍ଷ ଟଙ୍କା । କେବଳ ଏଇ କେତେଗୋଟି ପ୍ରକଳ୍ପ ନୁହେଁ କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ପଞ୍ଚାୟତରେ  ୨୦୨୨-୨୩ରେ ଡିଷ୍ଟ୍ରିକ୍ଟ ମିନେରାଲ୍ ଫଣ୍ଡରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଗ୍ରାମ୍ୟ ଉଦ୍ୟାନ, ପାର୍କ  ପ୍ରକଳ୍ପର ଅବସ୍ଥା ସମାନ । ଖଣି ଅଂଚଳରେ ଲୋକଙ୍କୁ ପ୍ରଦୂଷଣରୁ ରକ୍ଷା କରିବାକୁ ଡିଷ୍ଟ୍ରିକ୍ଟ ମିନେରାଲ୍ ଫଣ୍ଡରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଗ୍ରାମ୍ୟ ଉଦ୍ୟାନ ନିର୍ମାଣ କରାଯାଇଛି । କିଛି ଅସାଧୁ ସରକାରୀ ବାବୁ ଓ ଠିକାଦାର ମିଳିମିଶି କୋଟି କୋଟି ଟଙ୍କା ହରିଲୁଟ୍ କରିଛନ୍ତି ସିନା ହେଲେ ଗ୍ରାମ୍ୟ ଉଦ୍ୟାନର ପ୍ରକୃତ ଉଦେଶ୍ୟ ପୂରଣ ହୋଇନି । 

ଗାଁ ଲୋକଙ୍କ ପାଇଁ ଗ୍ରାମ୍ୟ ଉଦ୍ୟାନ ନିର୍ମାଣ ହୋଇଛି । ହେଲେ ଏ ସମ୍ପର୍କରେ ନାଁ ଗାଁ ଲୋକେ ଜାଣିଛନ୍ତି, ନା’ ଗାଁର ସରପଞ୍ଚ । ଉପର ଲେବଲରେ ସରକାରୀ ଅଧିକାରୀ ସେମାନଙ୍କ ମନପସନ୍ଦର ଠିକାଦାରଙ୍କୁ ଧରି ଖେଳ କରିଛନ୍ତି । ରାଧେ ରାଧେ ତମର ଅଧେକୁ ଆମର ଅଧେ ନ୍ୟାୟରେ DMF ଫଣ୍ଡକୁ ହରିଲୁଟ୍ କରିଛନ୍ତି କିଛି ଅସାଧୁ ଅଧିକାରୀ ଓ ଠିକାଦାର । କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ପଞ୍ଚାୟତରେ ହୋଇଥିବା ଏସବୁ ପ୍ରକଳ୍ପରେ ପ୍ରାୟ ୧୦କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ହୋଇତିବା କଥା ସାମ୍ନାକୁ ଆଣିଛନ୍ତି ସୂଚନା ଅଧିକାର କର୍ମୀ ହିମାଂଶୁ ଶେଖର ନାଏକ । ସରକାରୀ ଓ୍ବେବ୍ ସାଇଟ୍ରେ ଏସବୁ ପ୍ରକଳ୍ପ ବାବଦ ଖର୍ଚ୍ଚର ହିସାବ ଦିଆଯାଇଛି । ହେଲେ ଗ୍ରାଉଣ୍ଡରେ  ପ୍ରକଳ୍ପର ପ୍ରକୃତ ରୂପ କିନ୍ତୁ ପୂରା ଭିନ୍ନ ।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ୨୦୨୨-୨୩ ଯେତେବେଳେ ଏସବୁ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା ସେତେବେଳେ ଅଂଚଳବାସୀ ଏସବୁ କାମ ବାବଦରେ ଜାଣିବାକୁ ଚାହିଁଲେ ମଧ୍ୟ ସେମାନଙ୍କୁ ନା ନା ଧମକ ଦିଆଯାଉଥିଲା । ଏମିତିକି ସ୍ବର ଉଠାଇଲେ ମିଛ ମକଦମା କରି ଜେଲ୍ ପଠାଇ ଦେବାକୁ ଧମକ ଦିଆଯାଉଥିଲା । ବର୍ତ୍ତମାନ ଦୁର୍ନୀତି ଧରାପଡ଼ିବା ପରେ ଏଥିରେ ସଂପୃକ୍ତ କାର୍ପଟଦାରମାନଙ୍କୁ ତୁରନ୍ତ ଗିରଫ କରି ଜେଲ୍ ପଠାଇବାକୁ ନୂଆ ସରକାରଙ୍କ ନିକଟରେ ଦାବି ହୋଇଛି ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.