ଚେକ୍ ଡ୍ୟାମ୍ରୁ ଚାଷୀ ପାଉନି ପାଣି, ନିମ୍ନମାନର କାମ କରି ମାଲାମାଲ୍ ହେଉଛନ୍ତି ଯନ୍ତ୍ରୀ ଓ ଠିକାଦାର
18/07/2019 at 4:41 PM

କନ୍ଧମାଳ ୧୮|୭: ଚାଷୀଙ୍କ ଜମିକୁ ପାଣି ମାଡ଼ିବ । ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଛି ଜଳସେଚନ ପ୍ରକଳ୍ପ । ହେଲେ ଏଥିରୁ ଯିଏ ଉପକୃତ ହେବା କଥା ସିଏ ହେଉନି । ନିମ୍ନମାନର କାମ କରି ମାଲେମାଲ୍ ହେଉଛନ୍ତି ଯନ୍ତ୍ରୀ ଓ ଠିକାଦାର । ଚେକ୍ ଡ୍ୟାମ୍, ଜଳସେଚନ ପ୍ରକଳ୍ପ ନାଁରେ କେମିତି ଟଙ୍କା ଚଳୁ ହେଉଛି ଦେଖନ୍ତୁ ଏଇ ରିପୋର୍ଟ ।

ଚାଷୀଙ୍କ ପାଇଁ ପ୍ରକଳ୍ପ । ହେଲେ ଫାଇଦାରେ ଠିକାଦାର ଏବଂ ଇଂଜିନିୟର । ଅଭିଯୋଗ ଆସିଛି କନ୍ଧମାଳ ଟାକାବାଲିର ଗୁଟିଙ୍ଗିଆ ପଞ୍ଚାୟତରୁ । ଚାଷୀଙ୍କ ଜମିକୁ ପାଣି ମାଡ଼ିବ ବୋଲି କୋଟି କୋଟି ଟଙ୍କା ବ୍ୟୟ କରି ଚେକ୍ ଡ୍ୟାମ୍ ନିର୍ମାଣ କରାଯାଉଛି । ହେଲେ ଠିକାଦାର ଏବଂ ଯନ୍ତ୍ରୀ ମନଇଛା ସ୍ଥାନରେ ଏସବୁ ଚେକ୍ ଡ୍ୟାମ୍ ନିର୍ମାଣ କରୁଛନ୍ତି । ଗୁଟିଙ୍ଗିଆ ପଞ୍ଚାୟତର ଜଲାଙ୍ଗିଆ, ଆର୍ଜଡି, ବିଲାଙ୍ଗି ଠାରେ ୩ଟି ଚେକ୍ ଡ୍ୟାମ୍ ନିର୍ମାଣ ଚାଲିଛି । ଗୋଟିଏ ଗୋଟିଏ ପ୍ରକଳ୍ପର ମୂଲ୍ୟ ୪୦ଲକ୍ଷରୁ ୫୦ଲକ୍ଷ ଟଙ୍କା । ହେଲେ କାମ ବେଳେ ବାଲି ଅଧିକା ପରିମାଣ ଏବଂ ସିମେଣ୍ଟ କମ୍ ପରିମାଣର ବ୍ୟବହାର କରାଯାଉଛି । ସେହିପରି ଚିପସ୍ ସ୍ଥାନରେ ମେଟାଲ ଓ ବଡଗୋଡି ମିଶାଯାଉଛି କୁଆଡେ। ଅଭିଯୋଗ କଲେ କେହି ଶୁଣିବାକୁ ନାହିଁ । ପ୍ରକଳ୍ପ କାମ ସରିବାକୁ ବସିଲାଣି । ହେଲେ ଏହାର ଅଟକଳ ମୂଲ୍ୟ, କତେ ଏକର ଜମି ଜଳସେଚିତ ହୋଇପାରିବ, ପ୍ରକଳ୍ପର ଉଚ୍ଚତା, ଚଉଡା, ଜଳଧାରଣର କ୍ଷମତା ଆଦି ତଥ୍ୟ ସମସ୍ତଙ୍କ ଅବଗତି ନିମନ୍ତେ ଡିସପ୍ଲେ ବୋର୍ଡରେ ରହିବା କଥା । ଲଗାଯିବା କଥା । ହେଲେ ଏଯାଏଁ ଡିସପ୍ଲେ ବୋର୍ଡ ଲାଗିନି । ଅଭିଯୋଗ କଲେ ଗାଁଲୋକଙ୍କୁ ଧମକ ଦେଉଛନ୍ତି ଠିକାଦାର ଓ ଯନ୍ତ୍ରୀ ।

ପ୍ରକଳ୍ପ ମରାମତି ନାଁରେ ଟଙ୍କା ଚଳୁ ହେଉଛି । ଏ ହେଉଛି କ.ନୂଆଗାଁ ସିର୍ତିଗୁଡା ଅଞ୍ଚଳରେ ପ୍ରକଳ୍ପ ମରାମତି କାମରେ ବି ଦୁର୍ନୀତି ହେଉଥିବା ଅଭିଯୋଗ କରିଛନ୍ତି ଖୋଦ୍ ସରପଞ୍ଚ । ତାଙ୍କୁ ଅନ୍ଧାରରେ ରଖି ଯନ୍ତ୍ରୀ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ସରପଞ୍ଚ । ହେଲେ ଚିରାଚରିତ ପ୍ରତିକ୍ରିୟା ରଖି ମୁଣ୍ଡରୁ ଦୋଷ ଛଡ଼ାଇଛନ୍ତି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ।

ଯୋଜନା ନାଁରେ ଟଙ୍କା ଚଳୁ ଚାଲିଛି । ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ଓ ଠିକାଦାରଙ୍କ ଦିନରେ ଚୋରି କଲେ ବି କାର୍ଯ୍ୟାନୁଷ୍ଠାନ ଶୂନ ।