ରାଜନୈତିକ ସ୍ଥିରତା ଓ ଭ୍ରଷ୍ଟାଚାରମୁକ୍ତ ସରକାର ଯୋଗୁ ଦେଶରେ ତୀବ୍ର ଅର୍ଥନୈତିକ ଅଭିବୃଦ୍ଧି ହୋଇଛି: ଅମିତ ଶାହ

Published By : Prameya-News7 Bureau | November 12, 2022 IST

ନୂଆଦିଲ୍ଲୀ: ରାଜନୈତିକ ସ୍ଥିରତା ଓ ଭ୍ରଷ୍ଟାଚାରମୁକ୍ତ ସରକାର ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ମୁଖ୍ୟ ଭୂମିକା ନିଭାଇଛି। ୨୦୨୫ ସୁଧା ଦେଶ ନିଶ୍ଚିତ ରୂପରେ ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।   

ଶାହ ଆହୁରି କହିଛନ୍ତି "ଗତ ୮ ବର୍ଷରେ ଅର୍ଥନୀତି ଓ ବିକାଶ ଦିଗରେ ଦେଶ ଭଲ ଉନ୍ନତୀ କରିଛି। ୨୦୨୫ ସୁଧା ଭାରତ ୫ ଟ୍ରିଲିୟନ ଆମେରିକା ଡଲାର ଅର୍ଥନୀତି ହେବ ବୋଲି ସେ କହିଛନ୍ତି।" ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ। ତା ସହିତ ଆର୍ଥିକ ସେବା ପ୍ରଦାନକାରୀ କମ୍ପାନୀ ମୋର୍ଗାନ ଷ୍ଟେନ୍‌ଲେଙ୍କ ରିପୋର୍ଟକୁ ମଧ୍ୟ ଉଦାହରଣ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ।

ଶାହ କହିଛନ୍ତି " ନିକଟରେ ମୋରଗାନ ଷ୍ଟେନଲେଙ୍କ ରିପୋର୍ଟ ଅନୁସାରେ, ୨୦୨୭ ସୁଧା ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତିରେ ପରିଣତ ହେବ। ତେଣୁ ଏଥିପାଇଁ ନିର୍ମାଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ପ୍ରଭାବଶାଳୀ ଓ ପାରଦର୍ଶି ନୀତି ଯୋଗୁ ଗତ ୮ ବର୍ଷ ହେଲା ମୋଦୀ ସରକାର ବିଭିନ୍ନ ଦିଗରେ ଅନେକ ସଫଳତା ପାଇଛନ୍ତି।"

କେବଳ ସେତିକି ନୁହେଁ ଭାରତକୁ ନେଇ ଅନ୍ୟ ଦେଶର ଅର୍ଥନୀତିଜ୍ଞମାନେ ଯାହା ଯାହା ଅନୁମାନ କରୁଛନ୍ତି ତାହା ଜନସାଧାରଣଙ୍କୁ ଜଣାଇଛନ୍ତି ଶାହ।  ଫ୍ରାନ୍ସ ଅର୍ଥନୀତିଜ୍ଞ ତଥା ଆଇଏମ୍‌ଏଫ୍ ମୁଖ୍ୟ ପାଇର ଓଲିଭର ଗୌରିଞ୍ଚାସଙ୍କ କଥା ବି କହିଛନ୍ତି ଶାହ। ଗତ ମାସରେ ଓଲିଭର କହିଥିଲେ ଯେ ସାରା ବିଶ୍ୱ ଆର୍ଥିକ ଘାଟା ଦେଇ ଗତି କରୁଥିବା ବେଳେ ଭାରତ ଏକ ଉଜ୍ଜ୍ୱଳ କିରଣ ଭଳି ଆଗକୁ ବଢୁଛି। ଓଲିଭରଙ୍କର କଥାକୁ ଉଦାହରଣ ଦେଇ ଶାହ କହିଛନ୍ତି ଯେ ଭାରତ ବର୍ତ୍ତମାନ ବିଶ୍ୱ ଅର୍ଥନୀତିର ଅନ୍ଧାରୀ ମୂଲକରେ ଉଜ୍ଜ୍ୱଳ ହୋଇ ଆଗକୁ ବଢ଼ୁଛି ବୋଲି ଆଇଏମ୍‌ଏଫ୍ କହୁଛି। ଖୁବଶୀଘ୍ର ଏହା ଅର୍ଥନୀତିରେ ଅନ୍ୟ ଦେଶକୁ ପଛରେ ପକାଇବ ବୋଲି ଶାହ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.