ସିବିଆଇ ଡିଏସପି ଗିରଫ ଓ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ମାମଲା ପରେ ଏବେ ଓଡିଶାରେ ସିବିଆଇ କରୁଥିବା ବିଭିନ୍ନ ମାମଲାର ନିରପେକ୍ଷ ତଦନ୍ତ ନେଇ ଉଠିଲା ପ୍ରଶ୍ନ

Published By : Prameya-News7 Bureau | October 22, 2018 IST

ଭୁବନେଶ୍ବର ୨୨|୧୦: ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇରେ ଦୁର୍ନୀତିର ଝଡ । ଚିଟଫଣ୍ଡ ଆଦି ବହୁ ବଡ ବଡ କେସ୍ ତଦନ୍ତ କରୁଥିବା ସିବିଆଇ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୁଦ୍ଧରେ ଆସିଛି ଲାଞ୍ଚ ଅଭିଯୋଗ । ଏହି ଅଭିଯୋଗ ବାହାରୁ ନୁହେଁ ଖୋଦ୍ ସିବିଆଇ ହିଁ ଉଠାଇଛି ଆଉ ତାଙ୍କ ବିରୁଦ୍ଧରେ କେସ୍ ରୁଜୁ କରିଛି। ଏଥିସହିତ ଜଣେ ଅଧିକାରୀଙ୍କୁ ଗିରଫ ମଧ୍ୟ କରାଯାଇଛି। ଏକଥା ଶୁଣିବା ପରେ ଓଡିଶାର ବିଭିନ୍ନ କେସ୍ ର ତଦନ୍ତ କରୁଥିବା ସିବିଆଇ କିଭଳି ଦୋଷୀଙ୍କୁ ଧରିବ ସେନେଇ ପ୍ରଶ୍ନ ଉଠିଛି । ଦୁର୍ନୀତି ମୂଳପୋଛ କରୁକରୁ ସିବିଆଇ ମୂଳରେ ଲାଗିଛି ଦୁର୍ନୀତି ପୋକ ।  ଖୋଦ୍ ସିବିଆଇ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୁଦ୍ଧରେ ଆସିଛି ଲାଞ୍ଚ କାରବାର ଅଭିଯୋଗ । ଲାଞ୍ଚ ପୁଣି ୨ କୋଟି ଟଙ୍କାର। ଆସ୍ଥାନାଙ୍କ ନାଁରେ କେସ୍ ରୁଜୁ ହୋଇଛି । କେବଳ ସେତିକି ନୁହେଁ ଏହି ମାମଲା ସହିତ ଜଡ଼ିତ ଜଣେ ଡେପୁଟି ଏସପି ଦେବେନ୍ଦ୍ର ଶର୍ମାଙ୍କୁ ଆଜି ଗିରଫ କରାଯାଇଛି ।  ସେପଟେ ଆସ୍ଥାନା କିନ୍ତୁ କହିଛନ୍ତି ତାଙ୍କୁ କୁଆଡ଼େ ଫସେଇ ଦିଆଯାଉଛି। କଥା ହେଉଛି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ଭିତରେ ଶୀତଳ ଯୁଦ୍ଧ ପୁରୁଣା।  ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ତାଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି ବୋଲି ରାକେଶ ଆସ୍ଥାନା କ୍ୟାବିନେଟ ସଚିବଙ୍କ ପାଖରେ ଫେରାଦ ହୋଇଥିଲେ। କ୍ୟାବିନେଟ ସଚିବ ମାମଲାକୁ ସିଭିସିଙ୍କ ପାଖକୁ ପଠାଇଥିଲେ । ଆଉ ଏତିକିବେଳେ ଆସ୍ଥାନାଙ୍କ ବିରୋଧରେ ଆସିଛି ଲାଞ୍ଚ କାରବାର ଅଭିଯୋଗ। ଯାହାକୁ ନେଇ ବିରୋଧୀ ସିଧା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିସାନା ସାଧିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହି ମାମଲାରେ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଦେଶର ବହୁ ବଡବଡ ଓ ହାଇପ୍ରୋଫାଇଲ କେସ୍ ର ତଦନ୍ତ କରୁଥିବା ସିବିଆଇ ଯଦି ଦୁର୍ନୀତିରେ ଉବୁଟୁବୁ ତାହାଲେ ସେସବୁ କେସ୍ ର ଭାଗ୍ୟ କଣ ହେବ । ଓଡିଶାରେ ଚିଟ୍ ଫଣ୍ଡ, ବ୍ଲାକ ରୋଜ ଆଦି କେସ୍ ର ତଦନ୍ତ ସିବିଆଇ କରୁଛି । ଯେହେତୁ ସିବିଆଇ ସ୍ବତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନା ଖୋଦ୍ ଚିଟଫଣ୍ଡ ତଦନ୍ତ କଥା ବୁଝିବାକୁ ଓଡିଶା ଆସିଥିଲେ ଏବଂ ବେଶ୍ ତନାଘନା କରିଥିଲେ ଏବେ ସେହି ଅଫିସରଙ୍କ ବିରୁଦ୍ଧରେ ଲାଞ୍ଚ ଅଭିଯୋଗ ସମସ୍ତଙ୍କୁ ଚକିତ କରିଛି । ତେବେ ଦାମଙ୍କ ଭଳି କିଛି ନେତା ସିବିଆଇ କଳିରେ ରୋଟି ସେକିବାକୁ ଭୁଲି ନାହାଁନ୍ତି । କହିଛନ୍ତି ବିଜେଡି ବହୁ ସିବିଆଇ କେସ୍ କୁ ମ୍ୟାନେଜ୍ କରିଛି । ବିଜେଡି ମୁଖପାତ୍ର ପ୍ରତାପ ଦେବ ମଦ୍ୟ ସିବିଆଇର ବିଶ୍ବସନୀୟତା ନେଇ ପ୍ରଶ୍ନ ଉଠାଇଛନ୍ତି । କଂଗ୍ରେସ ନେତା ପ୍ରଫୁଲ୍ଲ ମାଝୀ ଅନୁରୂପ ଭାବେ ବିଜେପି ସରକାର ଉପରେ ବର୍ଷିଛନ୍ତି । ସିବିଆଇ କେସ୍ ରେ ଛନ୍ଦି ହୋଇଥିବା ହାଇଦ୍ରାବାଦର ଜଣେ ମାଂସ ବ୍ୟବସାୟୀ ମୋଇନ୍ କ୍ୟୁରେସିଙ୍କୁ ମୁକୁଳାଇବାକୁ ରାକେଶ ଆସ୍ଥାନା କୁଆଡ଼େ ୨ କୋଟି ଟଙ୍କା ଲାଞ୍ଚ ନେଇଥିଲେ। ସାଂଘାତିକ କଥା ହେଲା “ର” ଭଳି ସସ୍ଥାର ଅଫିସରଙ୍କ ବିରୋଧରେ ବି ଦୁର୍ନିତି ଅଭିଯୋଗ ଆସିଛି । "ର" ର ସ୍ବତନ୍ତ୍ର ନିର୍ଦ୍ଦେଶକ ସାମନ୍ତ ଗୋଏଲ ଏଥିରେ  ମଧ୍ୟସ୍ଥି କରିଥିବା ଅଭିଯୋଗ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.