କର୍ପୋରେଟରଙ୍କ ଗୁଣ୍ଡାରାଜ, ସମସ୍ୟା ପଚାରିବାରୁ ମରଣାନ୍ତ ଆକ୍ରମଣ, ଥାନା ଘେରାଉ କଲେ ସ୍ଥାନୀୟ ବାସିନ୍ଦା
27/03/2023 at 11:06 PM

ଭୁବନେଶ୍ଵର: କର୍ପୋରେଟର ଓ ତାଙ୍କ ସହଯୋଗୀଙ୍କ ଗୁଣ୍ଡା ରାଜ୍। ଅଭିଯୋଗ ନେଇ ଥାନାକୁ ଯିବାରୁ ଯୁବକଙ୍କୁ କଲେ ମରଣାନ୍ତକ ଆକ୍ରମଣ। ଭାଙ୍ଗିଲେ ଯୁବକଙ୍କ ହାତ ଆଉ ଗୋଡ। ଘଟଣାକୁ ନେଇ ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିଛନ୍ତି ବାଜପେୟୀ ନଗରର ଶତାଧିକ ଲୋକେ। ଅଭିଯୋଗ ଆଧାରରେ ସ୍ଥାନୀୟ ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇଥିବା ବେଳେ କର୍ପୋରେଟରଙ୍କ ସମର୍ଥକ କଥା କଟାକଟି ଓ ଦୁର୍ବ୍ୟବହାର କରିଛନ୍ତି।
ଗତ ୧୩ ତାରିଖରେ ବାଜପେୟୀ ନଗରରେ ସଭା ଚାଲିଥିବା ବେଳେ ସନ୍ତୋଷ କୁମାର ପ୍ରହରାଜ ସ୍ଥାନୀୟ ସମସ୍ୟା କହିବାରୁ ରାଗି ଯାଇଥିଲେ ସ୍ଥାନୀୟ କର୍ପୋରେଟର। ଏଥି ସହିତ ସଭା ସରିବା ପରେ ସନ୍ତୋଷଙ୍କୁ ଗାଳିଗୁଲଜ ଏବଂ ଆକ୍ରମଣ କରିଥିଲେ ୨୦ନମ୍ବର ୱାର୍ଡର କର୍ପୋରେଟର ଓ ତାଙ୍କ ସହଯୋଗୀ। ଏ ନେଇ ସ୍ଥାନୀୟ ବାଜପେୟୀ ନଗରର ଅନେକ ଲୋକ ମିଳିତ ଭାବେ ଲିଖିତ ଅଭିଯୋଗ କରିଥିଲେ। ପରେ ଆପୋଷ ବୁଝାମଣା ହୋଇଥିଲେ ମଧ୍ୟ ପୂର୍ବ ମାମଲାକୁ ନେଇ ସନ୍ତୋଷ ଏବଂ ତାଙ୍କ ସାଥୀ ଏକା ଯାଉଥିବା ବେଳେ ୨୦ ନମ୍ବର ୱାର୍ଡ କର୍ପୋରେଟର ପ୍ରେମାନନ୍ଦ ଜେନା ଓ ତାଙ୍କ ସହଯୋଗୀ ସନ୍ତୋଷକୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ।

ଖବର ପାଇ ଘଟଣା ସ୍ଥଳକୁ ପୁଲିସ୍ ଯାଇ ସନ୍ତୋଷକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ହସ୍ପିଟାଲ୍ ନେଇଥିଲେ। ପରେ ଅଭିଯୋଗ ଆଧାରରେ ଘଟଣାସ୍ଥଳକୁ ପୁଲିସ୍ ଯାଇଥିବା ବେଳେ ପୁଲିସ୍ ମଧ୍ୟ ଧସ୍ତାଧସ୍ତି ଓ ଦୁର୍ବ୍ୟବହାରର ଶିକାର ହୋଇଥିଲା। ସେପଟେ ସାଲିଆ ସାହି ବାଜପେୟୀ ନଗରରରୁ ଆସିଥିବା ଲୋକଙ୍କ କହିବା ଅନୁଯାୟୀ ୨୦ନମ୍ୱର ୱାର୍ଡ କର୍ପୋରେଟର ପ୍ରେମାନନ୍ଦ ଜେନା ବାରମ୍ବାର ଏପରି ଗୁଣ୍ଡାଗିରି କରୁଛନ୍ତି। ତାଙ୍କ ନିଜ ୱାର୍ଡ ଛାଡ଼ି ୧୬ ଅବଂ ୨୧ନମ୍ବର ୱାର୍ଡରେ ଗୁଣ୍ଡା ରାଜ୍ ଖେଳାଉଛନ୍ତି।
ଏନେଇ ସ୍ଥାନୀୟ ୨୦ ନମ୍ବର ୱାର୍ଡ଼ର ବାସିନ୍ଦା ସମେତ ଶତାଧିକ କଂଗ୍ରେସ କର୍ମୀ କର୍ପୋରେଟରଙ୍କ ଗିରଫ ଦାବିରେ ମୈତ୍ରୀ ବିହାର ଥାନାରେ ଧାରଣା ଦେଇଥିଲେ। ଯଦି ବିଜେଡି କର୍ପୋରେଟରଙ୍କୁ ଗିରଫ କରିବା ସହ ଅଭିଯୋଗକାରୀଙ୍କୁ ନ୍ୟାୟ ନ ମିଳେ ତେବେ ଆସନ୍ତା କାଲି ଡିସିପି ଅଫିସ୍ ସମ୍ମୁଖରେ ସମୂହ ଆତ୍ମାହୁତି ତେବେ ବୋଲି ଧମକ ଦେଇଛନ୍ତି।