ପରସ୍ପର ଶତ୍ରୁତା ଓ ଲଢେଇ ଭୁଲି ଏକାଠି ହୋଇ କରୋନା ଭାଇରସର ମୁକାବିଲା କରନ୍ତୁ ସବୁ ଦେଶ: ମିଳିତ ଜାତିସଂଘ

Published By : Prameya-News7 Bureau | March 24, 2020 IST

ଓ୍ଵାଶିଂଟନ ୨୪।୦୩:  ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଅ ଗୁଟେରସ ସୋମବାର ଦୁନିଆର ସମସ୍ତ ଦେଶକୁ ତତ୍କାଳ ବିଶ୍ଵ ସଂଘର୍ଷ ବିରାମ ଲଗାଇବାକୁ ଆହ୍ଵାନ କରିଛନ୍ତି। ସେ କହିଛନ୍ତି ଯେ, ସମଗ୍ର ଦେଶ ସଂପ୍ରତି ସଶସ୍ତ୍ର ଯୁଦ୍ଧକୁ ସଂପୂର୍ଣ୍ଣ ଭାବେ ବନ୍ଦ କରି କରୋନା ଭାଇରସ ମହାମାରୀର ମୁକାବିଲା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ୍। ସମଗ୍ର ବିଶ୍ଵରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫ ହଜାର ଟପିବା ପରେ ମିଳିତ ଜାତିସଂଘ ଦୁନିଆର ସମସ୍ତ ଦେଶକୁ ଏହି ଅପିଲ୍ କରିଛନ୍ତି। ଡିସେମ୍ବରରେ ଚୀନର ଉହାନ ସହରରୁ ଉତ୍ପନ ଏହି ଭାଇରସ ସଂପ୍ରତି ପ୍ରାୟ ୧୭୪ଟି ଦେଶକୁ ବ୍ୟାପି ସାରିଲାଣି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟି ୩ ଲକ୍ଷ ୪୧ ହଜାର ୩୦୦କୁ ଛୁଇଁଛି।

{"id":243401,"sizeSlug":"large"}

ଗଣମାଧ୍ୟମକୁ ଦେଇଥିବା ବୟାନରେ ଗୁଟେରସ କହିଛନ୍ତି ଯେ, ଆମ ବିଶ୍ଵ ଏକ ମାରାତ୍ମକ ଶତ୍ରୁର ମୁହାଁମୁହିଁ ହୋଇଛି। କରୋନା ଭାଇରସ ନାଗରିକତା, ଜାତୀୟତା, ଗୋଷ୍ଠୀ ଅଥବା କୌଣସି ବ୍ୟକ୍ତି ବିଶେଷକୁ ଦେଖେ ନାହିଁ। ଏହା ସମସ୍ତଙ୍କ ଉପରେ ସମାନ ପ୍ରହାର କରିଥାଏ। ଭାଇରସର ପ୍ରକୋପ ସମୟରେ ଦେଶମାନେ ପରସ୍ପର  ବିରୋଧରେ ଲଢେଇ କରିବା ମୁର୍ଖତାର ପରିଚୟ ଦେଉଛି। ଏଥିପାଇଁ ଦୁନିଆର ସମଗ୍ର କୋଣ ଅନୁକୋଣକୁ ସଂଘର୍ଷ ବିରାମ ଲଗାଇବାକୁ ଆହ୍ଵାନ କରୁଛି।

ଉଲ୍ଲେଖଯୋଗ୍ୟ, ପୂରା ଦୁନିଆରେ କରୋନା ଭୂତାଣୁରେ ଏ ପର୍ଯ୍ୟନ୍ତ ତିନି ଲକ୍ଷ ୫୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇ ସାରିଲେଣି। ଏହି ମହାମାରୀରେ ମୃତକଙ୍କ ସଂଖ୍ୟା ୧୫, ୮୭୩ ଛୁଇଁଛି। ଚୀନ, ଇଟାଲୀ, ଇରାନ, ସ୍ପେନ ଓ ଫ୍ରାନ୍ସରେ ସ୍ଥିତି ଭୟାନକ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.