ରିପୋର୍ଟ ନେଗେଟିଭ ହୋଇଥିଲେ ବି କୋଭିଡ-୧୯ ସଂକ୍ରମିତ ହୋଇନଥିବା କୁହାଯାଇ ପାରିବନି, ବିଶେଷଜ୍ଞଙ୍କ ଦାବି

Published By : Prameya-News7 Bureau | July 10, 2020 IST

ନୂଆଦିଲ୍ଲୀ ୧୦/୭: କରୋନା ଭାଇରସ୍ ଭାକ୍ସିନର ସନ୍ଧାନ ଲଗାତାର ଜାରି ରହିଛି,କିନ୍ତୁ ଏହାକୁ ନେଇ ସମୟ ସମୟରେ ଭିନ୍ନ ଭିନ୍ନ ଧରଣର ଆଶ୍ଚର୍ଯ୍ୟକର ରିପୋର୍ଟ ମଧ୍ୟ ସାମନାକୁ ଆସୁଛି। ଏବେ ଏହି ମହାମାରୀ ମାମଲାରେ ଏକ ନୂଆ ରିପୋର୍ଟ ସାମନାକୁ ଆସିଛି। ଯେଉଁଥିରେ ଦାବି କରାଯାଇଛି ଯେ କରୋନା ଭାଇରସର ରିପୋର୍ଟ ନେଗେଟିଭ ଆସିଲେ ମଧ୍ୟ ଲୋକେ ଏଥିରେ ସଂକ୍ରମିତ ହେବାର ଆଶଙ୍କା ରହିଛି। ନିକଟରେ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି ଜଣେ ରୋଗୀଙ୍କ ଯାଞ୍ଚ କରାଯାଇଥିଲା,ଯେଉଁଥିରେ ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି।

ଜଣେ ୮୦ବର୍ଷ ବୟସ୍କ ରୋଗୀଙ୍କଠାରେ କରୋନା ଭଳି ଲକ୍ଷଣ ଦେଖାଯାଇଥିଲା,ଯାହା ପରେ ଡାକ୍ତର ତାଙ୍କ କରୋନା ଟେଷ୍ଟ କରିଥିଲେ,କିନ୍ତୁ ରିପୋର୍ଟ ନେଗେଟିଭ ଆସିଥିଲା। ଏହା ପରେ ଡାକ୍ତର ଥରେ ନୁହେଁ ବରଂ ୩ଥର ତାଙ୍କ କରୋନା ଟେଷ୍ଟ୍ କରିଥିଲେ। ଯାହା ଦ୍ବାରା ଏହା ଜଣା ପଡ଼ିଯିବ ଯେ ସେ କରୋନା ସଂକ୍ରମିତ କି ନୁହେଁ କିନ୍ତୁ ପ୍ରତି ଥର ସେହି ରୋଗୀଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ଡାକ୍ତରଙ୍କୁ ତାଙ୍କଠାରେ କରୋନାର ଲକ୍ଷଣ ପରିଷ୍କାର ଭାବେ ଦେଖାଯାଉଥିଲା।

ଯେତେବେଳେ ଡାକ୍ତର କରୋନା ଟେଷ୍ଟ କରି ହାରି ଯାଇଥିଲେ ସେତେବେଳେ ସେମାନେ କରୋନା ସଂକ୍ରମଣର ପତ୍ତା ଲଗାଇବା ପାଇଁ ଶରୀରରେ କରୋନା ଆଣ୍ଟିବଡିଜର ଯାଞ୍ଚ କରିଥିଲେ। ଏହି ଯାଞ୍ଚ ପ୍ରଥମେ ହୋଇଥିବା ଯାଞ୍ଚଠାରୁ ଅଲଗା ଥିଲା ଏବଂ ଆଶ୍ଚର୍ଯ୍ୟଜନକ ଥିଲା। ରୋଗୀଙ୍କ ଶରୀରରେ କରୋନାର ଆଣ୍ଟିବଡିଜ ମିଳିଥିଲା। ଏବେ ଡାକ୍ତର ଚିନ୍ତାରେ ପଡ଼ି ଯାଇଥି​‌ଲେ ଯଦି ଯାଞ୍ଚରେ କରୋନାର ରିପୋର୍ଟ ନେଗେଟିଭ ଆସିଥିଲା ତେବେ ରୋଗୀଙ୍କ ଶରୀରରେ କରୋନାର ଆଣ୍ଟିବଡିଜ ଆସିଲା କିପରି?

ଚିକିତ୍ସା ପରେ ଯେତେବେଳେ ରୋଗୀଙ୍କଠାରେ କରୋନାର ଲକ୍ଷଣ ଦେଖାଯିବା ବନ୍ଦ ହୋଇଯାଇଥିଲା ସେତେବେଳେ ତାଙ୍କୁ ହସ୍ପିଟାଲରୁ ଛୁଟି ଦିଆଯାଇଥିଲା। କିନ୍ତୁ ରୋଗୀଙ୍କ ରିପୋର୍ଟ ନେଗେଟିଭ ଆସିବା ସତ୍ବେ ତାଙ୍କ ଶରୀରରେ କରୋନାର ଆଣ୍ଟିବଡିଜ ମିଳିବା ଦ୍ବାରା ବିଶେଷଜ୍ଞଙ୍କ ପାଇଁ ବିଭିନ୍ନ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା କାରଣ ସେହି ରୋଗୀଙ୍କ କରୋନା ସଂକ୍ରମଣ ଯାଞ୍ଚ ଆରଟିପିସିଆର ଟେଷ୍ଟ୍ ଆଧାରରେ କରାଯାଇଥିଲା ଏବଂ ବର୍ତ୍ତମାନ ବିଶେଷଜ୍ଞ ଏହି ଟେଷ୍ଟକୁ ବିଶ୍ବର ସବୁଠୁ ଅଧିକ ବିଶ୍ବାସଯୋଗ୍ୟ ଟେଷ୍ଟ୍ ଭାବେ କୁହାଯାଉଛି।

ଆଣ୍ଟିବଡିଜ ଇମ୍ୟୁନ ସେଲ୍ସ ଅର୍ଥାତ୍ ରୋଗ ପ୍ରତିରୋଧକ କୋଶିକା ହୋଇଥାଏ,ଯାହା ମନୁଷ୍ୟ ଶରୀରରେ କୌଣସି ଭାଇରସ ସଂକ୍ରମଣ ବଢ଼ିବାକୁ ରୋକିଥାଏ। ଯେତେବେଳେ କୌଣସି ଭାଇରସ୍ ଆମ ଶରୀରରେ ପ୍ରବେଶ କରିଥାଏ ସେତେବେଳେ ଆମ ଶରୀର ପ୍ରଥମେ ଏହାର ଯାଞ୍ଚ କରିଥାଏ ଏବଂ ଏହା ପରେ ଏହାକୁ ମାରିବା ପାଇଁ ଆଣ୍ଟିବଡିଜ ପ୍ରସ୍ତୁତ କରିଥାଏ।

ଏପରି ଏକ ମାମଲା ପଞ୍ଜାବର ମୋହାଲିରେ ସାମନାକୁ ଆସିଛି। ଏଠାକାର ଫୋର୍ଟିସ୍ ହସ୍ପିଟାଲରେ ଜଣେ ୫୭ବର୍ଷ ବୟସ୍କ ରୋଗୀ ଭର୍ତ୍ତି ହୋଇଛନ୍ତି ଯିଏ ଜଣେ ବ୍ୟାଙ୍କ ମ୍ୟାନେଜର। କରୋନାର ଲକ୍ଷଣ ଦେଖାଯିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା,କିନ୍ତୁ ଯେତେବେଳେ ଏହା ଯାଞ୍ଚ କରାଯାଇଥିଲା ସେତେବେଳେ ରିପୋର୍ଟ ନେଗେଟିଭ ଆସିଥିଲା। ଏପରି ଦୁଇ ଥର ହୋଇଥିଲା। ତୃତୀୟ ଥର ଯାଞ୍ଚ ହେବାରୁ ରୋଗୀ ପଜିଟିଭ ଜଣା ପଡ଼ିଥିଲେ। ବର୍ତ୍ତମାନ ସେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.