କରୋନା ଉପରେ FEMAର ତଥ୍ୟ ଲିକ୍, ଆମେରିକାରେ ପ୍ରତି ଦିନ ମରିବେ ୩୦୦୦ ଲୋକ, ଟ୍ରମ୍ପ କହିଲେ- ମିଛ ଖବର
5/05/2020 at 7:05 PM

ଓ୍ଵାଶିଂଟନ ୦୫।୦୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାକୁ ନେଇ FEMAର ଲିକ୍ ହୋଇଥିବା ସୂଚନାକୁ ଖଣ୍ଡନ କରି କହିଛନ୍ତି ଏହା ମିଥ୍ୟା ଖବର। ଲିକ୍ ହୋଇଥିବା ସୂଚନାରେ କୁହାଯାଇଛି ଯେ, ଜୁନ ମାସରେ ଦେଶରେ ପ୍ରତିଦିନ ୩୦୦୦ ଲୋକଙ୍କ କରୋନାରେ ପ୍ରାଣହାନୀ ଘଟିବ। ଟ୍ରମ୍ପ ଏହି ଖବରକୁ ମିଛ ବୋଲି କହିଛନ୍ତି। ଅନ୍ୟପଟେ କୋଭିଡ୍-୧୯ ଉପରେ ନଜର ରଖୁଥିବା ଆଉ ଏକ ସଂସ୍ଥା ଆମେରିକାରେ ଏକ ଲକ୍ଷ ୩୪ ହଜାର ଲୋକଙ୍କ ମୃତ୍ୟୁ ଘଟିବ ବୋଲି କହିଛନ୍ତି।
ସୋମବାର କରୋନା ଭାଇରସ୍କୁ ନେଇ ଦୁଇ ପ୍ରକାରର ଅନୁମାନ କରାଯାଇଛି। ଗୋଟିଏ ପୂର୍ବାନୁମାନ ଏକ ଘରୋଇ ସଂସ୍ଥା ଦ୍ଵାରା କରାଯାଇଛି। ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ଫେଡେରାଲ ଏମରଜେନ୍ସି ମ୍ୟାନେଜମେଣ୍ଟ ଏଜେନ୍ସିର ତଥ୍ୟରୁ ସୂଚନା ସଂଗ୍ରହ କରିଛି। ଏଥିରେ କୁହାଯାଇଛି ଯେ, ଜୁନ ୧ରେ ଆମେରିକାରେ ଦୈନିକ ମୃତ୍ୟୁ ସଂଖ୍ୟା ୩୦୦୦ ହେବ। ଏହା ସଂପ୍ରତି ଦୈନିକ ମୃତ୍ୟୁ ସଂଖ୍ୟାଠୁ ଦୁଇ ଗୁଣ ଅଧିକ ରହିଛି। ଯେବେ ଲିକ୍ ହୋଇଥିବା ଏହି ତଥ୍ୟ ବିଷୟରେ ଟ୍ରମ୍ପ ପ୍ରଶ୍ନ କରାଗଲା, ସେ କହିଛନ୍ତି ମୁଁ ଏହି ବିଷୟରେ କିଛି ଜାଣି ନାହିଁ। ମୋତେ କେହି ବି ଏହି ବିଷୟରେ କିଛି ଜଣାଇ ନାହାନ୍ତି।
ଟ୍ରମ୍ପ କହିଛନ୍ତି ମୋତେ ଲାଗୁଛି ଏହା ଏକ ଫେକ୍ ନ୍ୟୁଜ୍। ହ୍ଵାଇଟ୍ ହାଉସ୍ କହିଛି ଲିକ୍ ହୋଇଥିବା ପ୍ରୋଜେକ୍ସନ କରୋନା ଭାଇରସ୍ ଟାକ୍ସ ଫୋର୍ସ ସାମ୍ନାରେ ରଖା ଯାଇ ନାହିଁ। ଅନ୍ୟ ପକ୍ଷରେ ସୋମବାର ଦ ଇନଷ୍ଟିଚ୍ୟୁୟଟ୍ ଅଫ ହେଲ୍ଥ ମେଟରିକ୍ସ ଆଣ୍ଡ ଇଭାଲୁଏସନ ସଂସ୍ଥା ମଧ୍ୟ ପୂର୍ବାନୁମାନ କରିଛି, ଅଗଷ୍ଟ ୪ ସୁଦ୍ଧା ଦେଶରେ ମୃତକ ସଂଖ୍ୟା ବଢି ଏକ ଲକ୍ଷ ୩୪ ହଜାରରେ ପହଞ୍ଚି ଯିବ। ଅର୍ଥାତ ବର୍ତ୍ତମାନ ମୃତ୍ୟୁ ସଂଖ୍ୟାଠୁ ୭୨ ହଜାର ଅଧିକ। ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୯ ହଜାର ଅତିକ୍ରମ କରିଛି ଏବଂ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ରହିଛି।