KISSକୁ ନେଇ ଚର୍ଚ୍ଚା : କୋଭିଡ୍ ହସ୍ପିଟାଲରେ ଖୁସିର ଲହରୀ ବାଣ୍ଟିଲା କରୋନା ସଂକ୍ରମିତ ୧୫ମାସର କୁନି ଝିଅ
9/05/2020 at 10:39 AM

ଚଣ୍ଡିଗଡ଼ ୯/୫: କରୋନା ଭାଇରସ ଆତଙ୍କ ସମୟରେ ବେଳେବେଳେ ସୋସିଆଲ ମିଡିଆରେ ଏପରି ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖି ମନ ପ୍ରସନ୍ନ ହୋଇଯାଉଛି। ଏବେ ଠିକ୍ ଏପରି ଏକ ଭିଡିଓ ଭାଇରାଲ୍ ହୋଇଛି ଯେଉଁଥିରେ ଜଣେ ୧୫ମାସର କରୋନା ସଂକ୍ରମିତ ଶିଶୁ ଡାକ୍ତରଙ୍କୁ ହସ୍ପିଟାଲରେ ଫ୍ଲାଇଂ କିସ୍ କରିଛି।
ଏହି ଘଟଣା ଚଣ୍ଡିଗଡ଼ର PGIMER ହସ୍ପିଟାଲର। ଏଠାରେ ଭର୍ତ୍ତି ହୋଇଥିବା ଜଣେ ୧୫ମାସର ଶିଶୁର ଭିଡିଓ ଭାଇରାଲ୍ ହେଉଛି,ଯେଉଁଠି ଏହି ଶିଶୁ ଜଣେ ଡାକ୍ତରଙ୍କୁ ଫ୍ଲାଇଂ କିସ୍ ଦେଉଛି। ଏହା ସହିତ ସେ ନର୍ସଙ୍କ ସହ ହାତ ମିଳାଉଛି।

ଭିଡିଓରେ କୁନି ଝିଅଟି ସହ ନଜର ଆସିଥିବା ଡାକ୍ତର ନରେନ୍ଦ୍ର ତ୍ୟାଗୀ କହିଛନ୍ତି ଏହି ଘଟଣା ମେ ୪ତାରିଖ ରାତି ୧୧.୩୦ର। ଡାକ୍ତର ସେହି ଦିନ ନାଇଟ୍ ସିଫ୍ଟରେ ଥିଲେ। ଭିଡିଓରେ କୁନି ଝିଅର ମାଆଙ୍କ ପାଟି ମଧ୍ୟ ଶୁଣାଯାଉଛି। ଶିଶୁର ମାଆଙ୍କ କରୋନା ଟେଷ୍ଟ୍ ନେଗେଟିଭ ବାହାରିଛି।
ଏହି ଭିଡିଓ ଏଥିପାଇଁ ଭାଇରାଲ୍ ହେଉଛି କାରଣ କୁନି ଝିଅଟି ନର୍ସିଂ ଅଫିସରଙ୍କ ଅତ୍ୟନ୍ତ ନିକଟରେ ଛିଡ଼ା ହୋଇଛି। ନିକଟରେ ଏହା ଚର୍ଚ୍ଚା ହେଉଥିଲା ଯେ ନର୍ସିଂ ଅଫିସର କିମ୍ବା ଡାକ୍ତର କରୋନା ଭାଇରସ ସଂକ୍ରମିତ ରୋଗୀଙ୍କଠୁ ଦୂରରେ ରହିବା ଉଚିତ୍।
ଏହି ଭିଡିଓଟି ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ୍ ହେଉଛି। ଲୋକେ କୁନି ଝିଅ ଏବଂ ଡାକ୍ତରଙ୍କ ପ୍ରଶଂସା କରୁଛନ୍ତି।