ନୂଆଦିଲ୍ଲୀ ୨୪/୧୨: କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ପୁଣି ବିଶ୍ବ ପାଇଁ ସଙ୍କଟ ଆଣିଛି। ବ୍ରିଟେନରେ ଏହାର ନୂଆ ରୂପ ଦେଖିବାକୁ ମିଳିଥିବା ବେଳେ ସାରା ବିଶ୍ବରେ ଏହାକୁ ପ୍ରତିରୋଧ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏପରିକି ଏବେ ସୁଦ୍ଧା ପ୍ରସ୍ତୁତ ହୋଇଥିବା କରୋନା ଟିକା ନୂଆ ପ୍ରକାର ଭାଇରସ୍ ପାଇଁ ପ୍ରଭାବଶାଳୀ ହେବ କି ନାହିଁ ସନ୍ଦେହ ସୃଷ୍ଟି ହୋଇଛି। କିନ୍ତୁ ବ୍ରିଟେନ୍ରେ ଦେଖାଯାଇଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ବିରୋଧରେ ମଡର୍ଣ୍ଣା ଭ୍ୟାକସିନ୍ ପ୍ରଭାବଶାଳୀ ବୋଲି ଆମେରିକୀୟ ଟିକା ନିର୍ମାତା କମ୍ପାନୀ ଦାବି କରିଛି।
ମଡର୍ଣ୍ଣା ବ୍ୟତୀତ ଅନ୍ୟ କରୋନା ଭ୍ୟାକ୍ସିନ୍ ଏବେ ଆମେରିକାରେ ଲୋକଙ୍କ ଶରୀରରେ ପ୍ରୟୋଗ କରାଯାଉଛି। ତେବେ ବ୍ରିଟେନ୍ରେ ଦେଖାଯାଇଥିବା କରୋନାର ନୂଆ ଷ୍ଟ୍ରେନ୍କୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିବା ସ୍ବଭାବିକ୍। କରୋନା ଭ୍ୟାକସିନ୍ ନୂଆ ଷ୍ଟ୍ରେନ ବିରୋଧରେ ପ୍ରଭାବଶାଳୀ ହେବ କି ନାହିଁ ଏବଂ ନୂଆ ପ୍ରକାର କରୋନା ଭାଇରସ୍ କେତେ ଭୟଙ୍କର ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ଷ୍ଟ୍ରେନ୍ ପରିବର୍ତ୍ତନ ହେଲେ ବି ମଡର୍ଣ୍ଣା ଭ୍ୟାକ୍ସିନ୍ ପ୍ରଭାବଶାଳୀ ରହିବ ଓ ଏଥି ପାଇଁ ଟିକାର ଟେଷ୍ଟିଂ ପାଇଁ କମ୍ପାନୀ ଯୋଜନା କରୁଥିବା ନେଇ ସୂଚନା ମିଳିଛି।
ଆମେରିକାର ଏହି କମ୍ପାନୀ ଦାବି କରିଛି ମଡର୍ଣ୍ଣା ଟିକା ପ୍ରଭାବଶାଳୀ ରହିବ ଏବଂ ଏହାକୁ ସୁନିଶ୍ଚିତ କରିବା ପାଇଁ କମ୍ପାନୀ ଅତିରିକ୍ତ ଟେଷ୍ଟିଂ ଜାରି ରଖିବ। ଗୋଟିଏ ପଟେ କରୋନାର ନୂଆ ଷ୍ଟ୍ରେନ୍ ପାଇଁ ବ୍ରିଟେନ୍ ପୁଣିଥରେ ନିୟମ କଡ଼ାକଡ଼ି କରିଥିବା ବେଳେ ମଡର୍ଣ୍ଣାର ଏହି ଦାବି ହୁଏତ ଆଶ୍ବସ୍ତି ଦେବ। ଫଇଜର ଭଳି ମଡର୍ଣ୍ଣା ଟିକାକୁ ବହୁ କମ୍ ତାପମାତ୍ରାରେ ଷ୍ଟୋର କରିବାକୁ ପଡ଼ୁଛି।ଏହି ଭ୍ୟାକ୍ସିନ୍ ୯୪ ପ୍ରତିଶତ ଫଳଫ୍ରଦ ବୋଲି ମଧ୍ୟ ଜଣାପଡ଼ିଛି।
ଗୋଟିଏ ପଟେ ବିଭିନ୍ନ କମ୍ପାନୀ କରୋନା ଟିକା ପ୍ରସ୍ତୁତରେ ବ୍ୟସ୍ତ ଥିବା ବେଳେ ୟୁକେରେ ଭୂତାଣୁର ନୂଆ ଷ୍ଟ୍ରେନ୍ ଚିନ୍ତା ବଢ଼ାଇଛି। ତେବେ କରୋନା ଭ୍ୟାକ୍ସିନ୍ ନୂଆ ଷ୍ଟ୍ରେନ୍ ପାଇଁ ମଧ୍ୟ ପ୍ରଭାବଶାଳୀ ହେବ ଏଥିରେ ଭୟ କରିବାର କିଛି ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।